ପ୍ରକାଶ ପାଇଲା ଭୂମି ପୂଜନ ନିମନ୍ତ୍ରଣ ପତ୍ର

ଭୁବନେଶ୍ବର, (ଓଡିଶା ଟାଇମ୍) : ବୁଧବାର ଅଯୋଧ୍ୟାରେ ହେବ ବହୁ ପ୍ରତୀକ୍ଷିତ ରାମ ମନ୍ଦିରର ଭୂମି ପୂଜନ ଉତ୍ସବ ବା ଶିଳାନ୍ୟାସ । ତେବେ ତା’ର ଦିନକ ପୂର୍ବରୁ ପ୍ରକାଶ ପାଇଛି ଅତିଥି ତାଲିକା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମନ୍ଦିରର ଶିଳାନ୍ୟାସ କରିବେ । ଯେତେ ଦୂର ଆଶା 40 କିଲୋଗ୍ରାମ୍ ଓଜନର ଏକ ରୁପା ଇଟା ପୋତି ମନ୍ଦିରର ଶିଳାନ୍ୟାସ କରିବେ ସେ । ତେବେ କରୋନା ମହାମାରୀ ପାଇଁ ବହୁ କଟକଣା ଭିତରେ ହେବ ଭୂମି ପୂଜନ ଉତ୍ସବ । ପ୍ରଧାନମନ୍ତ୍ରୀଙ୍କୁ ମିଶାଇ ମଞ୍ଚରେ ମାତ୍ର 5 ଜଣ ଅତିଥି ରହିବେ । ସେମାନେ ହେଲେ ରାଷ୍ଟ୍ରୀୟ ସ୍ୱୟଂ ସେବକ ମୁଖ୍ୟ ମୋହନ ଭାଗବତ, ମହନ୍ତ ନୃତ୍ୟ ଗୋପାଳଦାସ, ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ୍ ପଟେଲ୍ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏମାନଙ୍କ ବ୍ୟତୀତ 175 ଜଣ ସ୍ୱତନ୍ତ୍ର ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି । ଯେଉଁମାନେ ମଞ୍ଚ ତଳେ ସାମାଜିକ ଦୂରତା ରକ୍ଷା କରି ଉପସ୍ଥିତ ରହିବେ । ନିମନ୍ତ୍ରଣ ପତ୍ରର ଉପରେ ରହିଛି ରାମଲଲାଙ୍କ ଫଟୋ ଚିତ୍ର ଏବଂ ସୁରକ୍ଷା କୋଡ୍ । ଥରେ ଉତ୍ସବ ସ୍ଥଳରୁ ବାହାରକୁ ଆସିବା ପରେ ଦ୍ୱିତୀୟ ଥର ସେହି ଅତିଥି ଆଉ ପ୍ରବେଶ କରିପାରିବେ ନାହିଁ । ଏହି 175 ଜଣ ଅତିଥି କେବଳ ଅଯୋଧ୍ୟା ନିବାସୀ ହୋଇଥିବା ବେଳେ ତାଲିକାର ପ୍ରଥମରେ ରହିଛନ୍ତି ଇକବାଲ୍ ଅନସାରୀ, ଯିଏକି ଅଯୋଧ୍ୟା ମାମଲାରେ ପକ୍ଷଭୁକ୍ତ ଥିଲେ । ନିମନ୍ତ୍ରଣ ପତ୍ର ପାଇବା ପରେ ଖୁସି ବ୍ୟକ୍ତ କରିଛନ୍ତି ସେ । ଏହା ଭଗବାନ ଶ୍ରୀରାମଙ୍କ ଇଚ୍ଛା ବୋଲି ସେ କହିଛନ୍ତି । ଦ୍ୱିତୀୟ ନିମନ୍ତ୍ରିତ ଅତିଥି ଅଛନ୍ତି, 10 ହଜାରରୁ ଅଧିକ ଅଚିହ୍ନା ମୃତକଙ୍କ ଶବ ସତ୍କାର କରିଥିବା ପଦ୍ମଶ୍ରୀ ମହମ୍ମଦ ସରିଫ୍ ।

ରାମ ମନ୍ଦିରର ମୁଖ୍ୟ ନାୟକ ଲାଲକୃଷ୍ଣ ଆଡଭାନି, ମୁରଲୀ ମନୋହର ଯୋଶୀ ଏବଂ ଉମା ଭାରତୀଙ୍କୁ ଟେଲିଫୋନରେ ନିମନ୍ତ୍ରଣ କରାଯାଇଛି । ତେବେ ଲାଲକୃଷ୍ଣ ଆଡଭାନି ଓ ମୁରଲୀ ମନୋହର ଯୋଶୀ, ଭିର୍ଚୁଆଲ୍ ପଦ୍ଧତିରେ ଉତ୍ସବରେ ଉପସ୍ଥିତ ରହିବେ । କରୋନା ପାଇଁ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା କାମନା କରି ଉତ୍ସବକୁ ଯିବେ ନାହିଁ ଉମାଭାରତୀ । ତେବେ ସମସ୍ତେ ଯାଇ ସାରିବା ପରେ ଭୂମି ପୂଜନ ସ୍ଥଳକୁ ସେ ଯିବେ ବୋଲି କହିଛନ୍ତି ।

Leave a Reply

Your email address will not be published.