ଭାରତୀୟ ଅର୍ଥନୀତି ପାଇଁ ଖୁସି ଖବର: ବିଦେଶୀ ମୁଦ୍ରା ଭଣ୍ଡାରରେ ଜବରଦସ୍ତ ବୃଦ୍ଧି
ନୂଆଦିଲ୍ଲୀ, (ଓଡିଶା ଟାଇମ୍) : କରୋନା ସଙ୍କଟ ସମୟରେ, ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର ପକ୍ଷରୁ ଏକ ବଡ ଖୁସି ଖବର ଅଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ର ସର୍ବଶେଷ ଆକଳନରୁ ଜଣାପଡିଛି ଯେ ପ୍ରଥମ ଥର ପାଇଁ ବୈଦେଶିକ ମୁଦ୍ରା ସଂରକ୍ଷଣ ୫୦୦ ବିଲିୟନ ଡଲାର ସ୍ତର ଅତିକ୍ରମ କରିଛି । ପ୍ରଥମ ଥର ପାଇଁ ୫୦୦ ବିଲିୟନ ଡ଼ଲାର ଅତିକ୍ରମ କରି ଜୁନ୍ ୫ ରେ ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର ୮.୨୨ ବିଲିୟନ ଡ଼ଲାର ବୃଦ୍ଧି ପାଇଛି ।
ରିଜର୍ଭ ବ୍ୟାଙ୍କ ତଥ୍ୟ ଅନୁଯାୟୀ ଏହି ସମୟ ମଧ୍ୟରେ ବୈଦେଶିକ ମୁଦ୍ରା ଭଣ୍ଡାର ୫୦୧.୭୦୩ ବିଲିୟନ ଡ଼ଲାରକୁ ବୃଦ୍ଧି ପାଇଛି । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ସୂଚନା ଅନୁସାରେ, ବିଦେଶୀ ମୁଦ୍ରା ଭଣ୍ଡାର ୫ଶହ ବିଲିୟନ ଆମେରିକୀୟ ଡଲାର ପାର୍ କରିଛି । ଅନ୍ତରାଷ୍ଟ୍ରୀୟ କାରବାର ପାଇଁ ବିଦେଶୀ ମୁଦ୍ରାର ଆବଶ୍ୟକତା ରହିଥାଏ । ବିଶେଷ କରି ଭାରତ ଅଧିକ ମାତ୍ରାରେ ଅଶୋଧିତ ତୈଳ ଆମଦାନୀ କରିଥାଏଅ। ଏହାର ଦେଣନେଣ ପାଇଁ ଆମେରିକୀୟ ଡଲାର ବ୍ୟବହାର କରାଯାଇଥାଏ ।
ସୂଚନାଥାଉ କି, ଯେଉଁ ଦେଶ ପାଖରେ ଯେତେ ବିଦେଶୀ ମୁଦ୍ରା ମହଜୁଦ ଥାଏ, ସେହି ଦେଶ ସେତେ ଅଧିକା ବିଦେଶୀ ବସ୍ତୁ ଓ ସାମଗ୍ରୀର ଆମଦାନୀ କରିବାର କ୍ଷମତା ରଖିଥାଏ ।
ବୈଦେଶିକ ମୁଦ୍ରା ଭଣ୍ଡାର ବୃଦ୍ଧିରେ ଭାରତର ଭେଟେରାନ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ, ‘୩୦ ବର୍ଷ ପୂର୍ବେ ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର ପ୍ରାୟ ଶୂନ ହୋଇଯାଇଥିଲା । କିନ୍ତୁ ବର୍ତ୍ତମାନ ଆମର ତୃତୀୟ ବୃହତ୍ତମ ବିଶ୍ୱ ବୈଦେଶିକ ମୁଦ୍ରାର ସଂରକ୍ଷଣ ଅଛି । ‘ ମହିନ୍ଦ୍ରା କହିଛନ୍ତି, ‘ଏହି ଅନିଶ୍ଚିତ ସମୟ ମଧ୍ୟରେ ଏହି ଖବର ମନୋବଳ ବୃଦ୍ଧି କରିବାକୁ ଯାଉଛି। ଦେଶର ସାମର୍ଥ୍ୟକୁ ଭୁଲିଯାଅ ନାହିଁ ଏବଂ ଅର୍ଥନୈତିକ ଅଭିବୃଦ୍ଧି ପଥକୁ ଫେରିବା ପାଇଁ ଏହି ଉତ୍ସକୁ ବୁଦ୍ଧିମାନ ଭାବରେ ବ୍ୟବହାର କର ।
ଶୁକ୍ରବାର ଦିନ ଖୁଚୁରା ମୁଦ୍ରାସ୍ଫୀତି ଉପରେ ସରକାର ଆଂଶିକ ତଥ୍ୟ ପ୍ରକାଶ କରିଛନ୍ତି, ଯେଉଁଥିରେ କେବଳ ଖାଦ୍ୟ ମୂଲ୍ୟ ରହିଛି। ତଦନୁସାରେ, ମେ ମାସରେ ଖାଦ୍ୟ ମୁଦ୍ରାସ୍ଫୀତି ୯.୨୮ପ୍ରତିଶତ ଥିଲା, ଯାହା ମେ ୨୦୧୯ ରେ ୧.୮୩ ପ୍ରତିଶତ ଥିଲା । ପରିସଂଖ୍ୟାନ ମନ୍ତ୍ରଣାଳୟ କହିଛି ଯେ ଦେଶରେ ଲକଡାଉନ ଲାଗୁ ହୋଇଥିବାରୁ ପ୍ରକୃତ ମୁଦ୍ରାସ୍ଫୀତି ତଥ୍ୟ ବାହାର କରିବା କଷ୍ଟକର । ତେଣୁ କେବଳ ଖାଦ୍ୟ ମୁଦ୍ରାସ୍ଫୀତି ବିଷୟରେ ହିଁ ସୂଚନା ଦିଆଯାଇଛି ।