ଟିକାକରଣକୁ ନେଇ ବଡ଼ ଘୋଷଣା କଲେ ଜାଭଡେକର, କହିଲେ- ୨୦୨୧ ଶେଷ ସୁଦ୍ଧା ସମସ୍ତେ ନେଇସାରିଥିବେ ଭ୍ୟାକ୍‌ସିନ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): କରୋନାର ଦ୍ବିତୀୟ ଲହର ଘାତକ ହୋଇଥିବା ବେଳେ ଏବେ ଦେଶରେ ଟିକାକରଣ ଚାଲିଛି। ଟିକା ଉତ୍ପାଦନ କ୍ଷମତା ବୃଦ୍ଧି କରିବାକୁ ସରକାର ପଦକ୍ଷେପ ନେଉଛନ୍ତି। ଏହା ସହ ବିଦେଶରୁ ଟିକା ଆମଦାନୀ ଉପରେ ଜୋର ଦେଉଛନ୍ତି ସରକାର। ଏବେ ବିନା ଟ୍ରାଏଲ୍‌ରେ ବିଦେଶୀ ଟିକାକୁ ସରକାର ଅନୁମତି ଦେବେ। ଟିକା ପରିମାଣକୁ ନେଇ ଦ୍ବନ୍ଦ୍ବ ଲାଗିରହୁଥିବା ବେଳେ ବିଭିନ୍ନ ରାଜ୍ୟରେ ବେଳେ ବେଳେ ଟିକାକରଣ ମଧ୍ୟ ବନ୍ଦ ରହୁଥିଲା। କିନ୍ତୁ ଏହି ଅସୁବିଧା ଖୁବଶୀଘ୍ର ଦୂର ହୋଇଯିବ। ଏହା ସହ ୨୦୨୧ ଶେଷ ସୁଦ୍ଧା ସମସ୍ତ ଦେଶବାସୀଙ୍କୁ ଟିକା ଲାଗିଯିବ ବୋଲି ଶୁକ୍ରବାର କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର।

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି ସରକାରଙ୍କ ଲକ୍ଷ୍ୟ ସମ୍ପର୍କରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ। ରାହୁଲ ଗାନ୍ଧୀ କହିଥିଲେ ଦେଶରେ ୧୩୦ କୋଟି ଲୋକ ଥିବା ବେଳେ ଏବେ ସୁଦ୍ଧା​‌ କେବଳ ୩ ପ୍ରତିଶତ ଲୋକଙ୍କୁ ଟିକା ଲାଗିଛି। ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି ଜାଭଡେକର କହିଛନ୍ତି, ତାଙ୍କୁ କଂଗ୍ରେସ ଶାସିତ ରାଜ୍ୟ ଉପରେ ନଜର ରଖିବା ଦରକାର ଯେଉଁଠି ଟିକାକରଣକୁ ନେଇ ବିଭିନ୍ନ ସମସ୍ୟା ରହିଛି। ପ୍ରକାଶ ଜାଭଡେକର ଆହୁରି କହିଛନ୍ତି, ଭାରତରେ ୨୦୨୧ ଶେଷ ସୁଦ୍ଧା ସମସ୍ତଙ୍କ ଟିକାକରଣ ହୋଇସାରିଥିବ। ଯଦି ରାହୁଲ ଗାନ୍ଧୀଙ୍କୁ ଭ୍ୟାକସିନ୍‌କୁ ନେଇ ଚିନ୍ତା ହେଉଛି ତେବେ ସେ କଂଗ୍ରେସ ଶାସିତ ରାଜ୍ୟକୁ ଲକ୍ଷ ଦେବା ଦରକାର। ସେଠାରେ ଅନେକ ଅସୁବିଧା ରହିଛି।

କଂଗ୍ରେସ ଶାସିତ ରାଜ୍ୟ ୧ ମେ’ରୁ ଦିଆଯାଉଥିବା ଟିକା ଗ୍ରହଣ କରୁନାହାନ୍ତି। ଟିକାକରଣରେ ମ୍ୟାନେଜମେଣ୍ଟ ଅଭାବକୁ ନେଇ କଂଗ୍ରେସର ଅଭିଯୋଗ ଉପରେ ଟୁଲକିଟ୍‌ ମାମଲା ଉଠାଇଛନ୍ତି ଜାଭଡେକର। ଭିଡିଓ କନଫରେନ୍ସିଂ ମାଧ୍ୟମରେ କରିଥିବା ସମ୍ବାଦିକ ସମ୍ମଳନୀରେ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ । ମୋଦୀଙ୍କ ଅବହେଳା ପାଇଁ ଦେଶରେ କରୋନାର ଦ୍ବିତୀୟ ଲହର ଘାତକ ହୋଇଛି। ଏହା ସହ ମୋଦୀ ଜଣେ ଇଭେଣ୍ଟ ମ୍ୟାନେଜର ବୋଲି ରାହୁଲ କହିଥିଲେ । ତାଙ୍କୁ ରଣନୀତି ତିଆରି କରିବା ଆସୁନାହିଁ। ଦେଶରେ ଟିକାକରଣ ହିଁ ସ୍ଥାୟୀ ସମାଧାନ ବୋଲି କହିବା ସହ ମାସ୍କ ଏବଂ ସାମାଜିକ ଦୂରତା ନିୟମ ଦ୍ବାରା ଦୀର୍ଘ ଲଢ଼େଇ ସମ୍ଭବ ନୁହେଁ ବୋଲି ରାହୁଲ କହିଥିଲେ । ସେପଟେ ଚଳିତବର୍ଷ ଡିସେମ୍ବର ସୁଦ୍ଧା ଦେଶରେ ୨୧୬ କୋଟି କରୋନା ଟିକା ଉତ୍ପାଦନ ହୋଇପାରିବ ବୋଲି ପ୍ରକାଶ ଜାଭଡେକର କହିଛନ୍ତି ।

Leave a Reply

Your email address will not be published. Required fields are marked *