ଭାରତ ବନାମ ଆମେରିକା…

BHUBANESWAR:  ବିଶ୍ବରେ ୨ଟି ଦେଶ, ଯାହାଙ୍କ ମଧ୍ୟରେ ରହିଛି ସବୁଠାରୁ ବଡ଼ ସାମଞ୍ଜସ୍ୟ । ସେ ଦୁଇଟି ଦେଶ ହେଉଛି, ଭାରତ ଏବଂ ଆମେରିକା । କଣ ଏହି ଦୁଇଟି ଦେଶ ମଧ୍ୟରେ ସବୁଠୁ ବଡ଼ ସାମଞ୍ଜସ୍ୟ ? ତାହା ହେଉଛି ‘ଗଣତନ୍ତ୍ର’ । ଆମେରିକାର ଗଣତନ୍ତ୍ର ସର୍ବ ପୁରାତନ ହୋଇଥିବା ବେଳେ ଭାରତର ଗଣତନ୍ତ୍ର ସର୍ବ ବୃହତ । ଦୁଇଟି ବାକ୍ୟ ମଧ୍ୟରେ ‘ଗଣତନ୍ତ୍ର’ ଶବ୍ଦ ପରେ ‘ସର୍ବ’ ଶବ୍ଦ ରହିଛି, ଯାହାକି ସବୁଠାରୁ ବଡ଼ ସାମଞ୍ଜସ୍ୟ । କିନ୍ତୁ ସବୁଠାରୁ ଗୋଟେ ବଡ଼ ଅସାମଞ୍ଜସ୍ୟ ସୃଷ୍ଟି ହୋଇ ସାରିଛି । ତାହ ହେଉଛି, ବିଶ୍ବର ସର୍ବ ପୁରାତନ ଗଣତନ୍ତ୍ର ଆମେରିକା, ଏବେ ବି ସାମ୍ବିଧାନିକ ପଥରେ ଚାଲିଛି । କିନ୍ତୁ ଭାରତ, ସାମ୍ବିଧାନିକ ପଥ ଛାଡ଼ି ଧର୍ମୀୟ ପଥ ଅନୁସରଣ କରୁଛି । ଯେତେବେଳେ କି ସରକାର ସାମ୍ବିଧାନିକ ପଥରେ ଚାଲିଲେ ଦେଶର ବିକାଶ ହୋଇଥାଏ, ସେତେବେଳେ ସାମ୍ବିଧାନିକ ପଥ ଛାଡ଼ି ଭାରତର ସରକାର ଧର୍ମର ପଥ ଅନୁସରଣ କରିଛନ୍ତି । ଏଠି କହିବା କାହାକୁ, ଶୁଣିବ ବା କିଏ ! କିଏ ବା କଣ କରିପାରିବ ! କାରଣ, ‘କରି କରାଉ ଥାଏ ସେହି, ତା ବିନୁ ଆନ କେହି ନାହିଁ’ ।…

ଆମେରିକା ଏବେ ବି ସାମ୍ବିଧାନିକ ପଥରେ ଚାଲୁଛି । ଟ୍ରମ୍ପଙ୍କ Sweeping Tariff Policy ପଲିସି ଉପରେ ଶୁଣାଣି କରି ଆମେରିକାର ସୁପ୍ରିମକୋର୍ଟ, ଅନେକ କିଛି ସ୍ପଷ୍ଟ କରି ଦେଇଛନ୍ତି । ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ଥିଲେ ମଧ୍ୟ, ତାଙ୍କ ନିଷ୍ପତ୍ତିକୁ ବେଆଇନ ବୋଲି କହିଛନ୍ତି । ଖାଲି ସେତିକି ନୁହେଁ, ଦ୍ବିତୀୟ ଥର ରାଷ୍ଟ୍ରପତି ହେବା ପରେ ପରେ Hush Money ମାମଲାରେ ଆମେରିକୀୟ କୋର୍ଟ ମଧ୍ୟ ଟ୍ରମ୍ପଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଟ୍ରମ୍ପ ଆମେରିକା ପାଇଁ ଇତିହାସ । କାରଣ, ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ଅଦାଲତଙ୍କ ଦ୍ବାରା ଦୋଷୀ ସାବ୍ୟସ୍ତ ହୋଇ ମଧ୍ୟ, Presidential Immunity ବଳରେ ସେ ଆମେରିକାର President ହୋଇ ରହିଛନ୍ତି ।…

କୁହାଯାଏ ଗଣତନ୍ତ୍ରର ୪ଟି ସ୍ତମ୍ଭ । ନ୍ୟାୟପାଳିକା ଗଣତନ୍ତ୍ରର ସବୁଠାରୁ ପ୍ରମୁଖ ଏବଂ ବଳିଷ୍ଠ ସମ୍ଭ ହୋଇଥିବା ବେଳେ, ତିଳେ ମାତ୍ର ସାମ୍ବିଧାନିକ ମାନ୍ୟତା ନଥାଇ ନିଜକୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ କହୁଥିବା ଗଣମାଧ୍ୟମ, ଏବେ ଭାରତରେ ଗୋଦି ମିଡିଆ ହୋଇଯାଇଛି । ତେଣୁ ଏଠି ଆମେରିକା ସୁପ୍ରିମକୋର୍ଟ ଏବଂ ଭାରତର ସୁପ୍ରିମକୋର୍ଟଙ୍କ ମଧ୍ୟରେ ଫରକ କେମିତି ବା ନରହିବ ! …

ମହାରାଷ୍ଟ୍ରରେ ଯେତେବେଳେ ଉଦ୍ଧବ ଥାକରେ ନେତୃତ୍ବାଧୀନ ସରକାରକୁ ଏକନାଥ ସିନ୍ଧେ ଗୋଷ୍ଠୀ ଭାଙ୍ଗିଦେଲା, ସେତେବେଳର ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କୁ ଦୋଷୀ ବୋଲି ଇଙ୍ଗିତ କରିଥିଲେ ସେତେବେଳର ପ୍ରଧାନ ବିଚାରପତି ଜଷ୍ଟିସ୍ ଡି. ୱାଇ. ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ଖଣ୍ଡପୀଠ । ଏକନାଥ ସିନ୍ଦେ ନେତୃତ୍ବାଧୀନ ସରକାରକୁ ବେଆଇନ ବୋଲି କହିଥିଲେ ସୁପ୍ରିମକୋର୍ଟ । କିନ୍ତୁ ସରକାର ଭଙ୍ଗ କରି ଉଦ୍ଧବ ଥାକରେ ସରକାରର ପୁନଃ ସ୍ଥାପନା ପାଇଁ କିଛି କହି ନଥିଲେ କି ପଥ ସୁଗମ କରି ନଥିଲେ । ଠିକ ଏମିତି ଏକ ସନସନି, ଇଲେକ୍ଟୋରାଲ୍ ବଣ୍ଡକୁ ନେଇ ସୃଷ୍ଟି କରିଥିଲେ ଜଷ୍ଟିସ୍ ଡି. ୱାଇ. ଚନ୍ଦ୍ରଚୂଡ଼ଙ୍କ ସେତେବେଳର ଖଣ୍ଡପୀଠ । ବିଜେପି ଓ ମୋଦି ସରକାରଙ୍କୁ ଏକ ରକମ କାଠଗଡ଼ାରେ ଛିଡ଼ା କରାଇ ଦେଇଥିଲେ, କିନ୍ତୁ ପରେ ଗଣେଶ ଆରତୀ ମାଧ୍ୟମରେ ଅନେକ କିଛି ସ୍ପଷ୍ଟ କରିଦେଲେ ।…

୨୦୨୦ ରାଷ୍ଟ୍ରପତି ନିର୍ବାଚନ ହାରିବା ପରେ ଟ୍ରମ୍ପଙ୍କ ସମର୍ଥକମାନେ Capitol Hillରେ କରିଥିଲେ ବ୍ୟାପକ ଭଙ୍ଗାରୁଜା । ସେତେବେଳେ ଆମେରିକା କଂଗ୍ରେସର ବାଚସ୍ପତି ଥିବା ଟ୍ରମ୍ପଙ୍କ ରିପବ୍ଲିକାନ୍ ପାର୍ଟି ନେତ୍ରୀ ନାନସୀ ପେଲୋସୀ, ଟ୍ରମ୍ପଙ୍କୁ ହିଁ ଦୋଷୀ ବୋଲି କହିଥିଲେ । କିନ୍ତୁ ଭାରତର ବାଚସ୍ପତି, ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ଲୋକସଭାରେ କହିବାକୁ ସୁଯୋଗ ଦେଉ ନାହାଁନ୍ତି । ପୁଣି ନିକଟରେ ବାଚସ୍ପତି ଓମ ବିର୍ଲାଙ୍କ ଜଣେ Die-Hard ସମର୍ଥକ ରାଜ ସିଂହ ଆମେରା, ରାହୁଲଙ୍କୁ ଦେଇଛନ୍ତି ହତ୍ୟା ଧମକ । ରାହୁଲଙ୍କୁ ଘରେ ପଶି ଗୁଳି କରିବେ ବୋଲି କହିଛନ୍ତି । ସଂପୃକ୍ତ ବ୍ୟକ୍ତିଙ୍କୁ ରାଜସ୍ଥାନ ପୋଲିସ ଅଟକ ରଖିଥିଲେ ମଧ୍ୟ ବାଚସ୍ପତି ବିର୍ଲାଙ୍କ ନିରବତା ଅନେକ କିଛି ସନ୍ଦେହ ସୃଷ୍ଟି କରୁଛି । ଗୋଦି ମିଡିଆରେ ବି ଏହାର ସୋର୍ ଶବ୍ଦ ନାହିଁ । …

୨୦୨୦ ମେ’ ମାସରେ ଯେତେବେଳେ ଆମେରିକାର ମିନେସୋଟାରେ ଆଫ୍ରିକୀୟ ଆମେରିକୀୟ ଜର୍ଜ ଫ୍ଲଏଡଙ୍କୁ ପୋଲିସ ମାରିଦେଲା, ତା ପରେ ଦେଶର ଆଇନ ଶୃଙ୍ଖଳା ପରିସ୍ଥିତି ଅତି ମାତ୍ରାରେ ବିଗିଡ଼ି ଯାଇଥିଲା । ପୋଲିସ Restraint Exercise କରି ପରିସ୍ଥିତିକୁ ନିୟନ୍ତ୍ରଣ କରୁଥିବା ବେଳେ ସେନାକୁ ଡାକିବାକୁ କହିଥିଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । କିନ୍ତୁ ହଷ୍ଟନ ପୋଲିସ ମୁଖ୍ୟ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଶୁଣାଇଥିଲେ ଚରମ ବାଣୀ ‘If The President does not have anything constructive to say, then he should zip his lip’ କହିଥିଲେ ହଷ୍ଟନ ପୋଲିସ ମୁଖ୍ୟ ଆର୍ଟ ଆକଭେଡୋ । ଯେତେବେଳେ କି ଭାରତର ଶାସନ ମୁଖ୍ୟଙ୍କୁ ଏଭଳି କହିବାକୁ ଭାରତର କୌଣସି ପୋଲିସ ଅଧିକାରୀଙ୍କ ଜିଭରେ ହାଡ଼ ହିଁ ନାହିଁ । ଖାଲି ସେତିକି ନୁହେଁ, ୨୦୨୦ ନିର୍ବାଚନ ପ୍ରଚାର ବେଳେ ଟ୍ରମ୍ପ ତାଙ୍କ ଭାଷଣରେ ଡାହା ମିଛ କହୁଥିବା କହି Live Telecast ବନ୍ଦ କରି ଦେଇଥିଲେ ଆମେରିକାର ସମସ୍ତ ଗଣମାଧ୍ୟମ । ତଥାପି ରାଷ୍ଟ୍ରପତି ଟ୍ରମ୍ପ, ହ୍ବାଇଟ ହାଉସ ପକ୍ଷରୁ ଦୈନିକ ସାମ୍ବାଦିକ ସମ୍ମିଳନୀ କରି ଚାଲିଛନ୍ତି । ସାମ୍ବାଦିକମାନେ ଯେଉଁଠି, ଯେତେବେଳେ ଯାହା ପଚାରୁଛନ୍ତି, ତାର ଉତ୍ତର ଦେଉଛନ୍ତି । ଟାରିଫ୍ ଉପରେ ସୁପ୍ରିମକୋର୍ଟଙ୍କ ରାୟ ପରେ ମଧ୍ୟ ସାମ୍ବାଦିକ ସମ୍ମିଳନୀ କରି ନିଜ ସରକାରର ଆଭିମୁଖ୍ୟ ସ୍ପଷ୍ଟ କରି ସାରିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ । ଯାହାକି ୧୨ ବର୍ଷ ହେଲା ଭାରତରେ ବିଲୁପ୍ତ ହୋଇ ଯାଇଥିବା ବେଳେ ସରକାରଙ୍କ କୁକର୍ମ ଲୁଚାଇବାକୁ ନିରନ୍ତର କୀର୍ତ୍ତନ କରି ଚାଲିଛି ଭାରତର ଗୋଦି ମିଡିଆ । ଗଲଗୋଟିଆ Blunder ଅନ୍ତର୍ଜାତୀୟ ସ୍ତରରେ ଭାରତର ନାକ କାଟି ଦେଇଥିବା ବେଳେ ସରକାର ମୁହଁ ଖୋଲୁ ନାହାଁନ୍ତି । ଗୋଦି ମିଡିଆ ବି ସେ ପ୍ରସଙ୍ଗକୁ ଲୁଚାଇ ଦେଇ ସରକାରୀ ହୁକୁମରେ ତରକାରୀ ତିଆରି କରି ଚାଲିଛି ।…

ଭାରତ ଏବଂ ଆମେରିକା ଏହି ଦୁଇ ଦେଶର ସମ୍ପର୍କ ବେଶ ପୁରୁଣା । କିନ୍ତୁ ୨୦୧୪ରେ ଭାରତରେ ନରେନ୍ଦ୍ର ମୋଦି ଏବଂ ୨୦୧୬ରେ ଆମେରିକାରେ ଡୋନାଲ୍ଡ ଟ୍ରମ୍ପ ଆସିବା ପରେ ଦୁଇ ଦେଶ ଛାତିରେ ଛାତି ମିଶାଇ ଦେଇଥିଲେ । ୨୦୨୦ର ‘ଅବ୍ କୀ ବାର୍ ଟ୍ରମ୍ପ ସରକାର’ ନାରା ଫେଲ ହେବା ପରେ ୨୦୨୪ରେ ଟ୍ରମ୍ପଙ୍କ ବିଜୟକୁ ନେଇ ଭାରତରେ କିଛି କମ ହୋମଯଜ୍ଞ ହୋଇ ନଥିଲା । କିନ୍ତୁ କାହିଁକି କେଜାଣି ଦୁଇ ଦେଶର ସମ୍ପର୍କରେ ସତେ ଯେମିତି କାହା ନଜର ଲାଗିଗଲା !…

ଏବେ ଆମେରିକା ସୁପ୍ରିମକୋର୍ଟଙ୍କ ରାୟ, ଭାରତର ପଲାକୁ ଟିକେ ଭାରି କରିଛି ସତ, କିନ୍ତୁ ଭାରତର ଏହି ଆଂଶିକ ବିଜୟ ପଛରେ କିଏ ସେହି ବଳିଷ୍ଠ ବ୍ୟକ୍ତିତ୍ବ ? ସେ ହେଉଛନ୍ତି, ଆମେରିକୀୟ ଓକିଲ ତଥା ମୂଳ ଭାରତୀୟ ନୀଲ କୁମାର କତ୍ୟାଲ । ଆଡଭୋକେଟ୍ କତ୍ୟାଲ ହିଁ ଟ୍ରମ୍ପଙ୍କ Tariff Terror ବିରୋଧରେ ଆଗତ ମାମଲାର ଓକିଲ ଥିଲେ । ଜଣେ ମୂଳ ଭାରତୀୟ, ବିଶ୍ବର ସବୁଠାରୁ ଶକ୍ତିଶାଳୀ ଦେଶର ରାଷ୍ଟ୍ରମୁଖ୍ୟଙ୍କୁ କାଠଗଡ଼ାରେ ଛିଡ଼ା କରାଇ ଧୂଳି ଚଟାଇ ଦେଲେ । ଆଉ ଏବେ ଆଡଭୋକେଟ୍ କତ୍ୟାଲଙ୍କ ମୂଳ ଦେଶ ଭାରତରେ ଚାଲିଛି ଗଣତନ୍ତ୍ର ଏବଂ ସମ୍ବିଧାନ ବଦଳାଇବାର ମହାଭାରତ । କିନ୍ତୁ ଏହା କଣ ସମ୍ଭବ ହେବ ! ଏ ପରା ଭାରତ, ଦେଖିଛି ଅନେକ ମହାଭାରତ… ମୋଗଲମାନେ ଏ ଦେଶକୁ ୭ ଶହ ବର୍ଷ ଶାସନ କରିଛନ୍ତି, କିନ୍ତୁ ମୁସଲମାନଙ୍କୁ ସଂଖ୍ୟାଗରିଷ୍ଠ କରାଇ ଦେଇପାରି ନାହାଁନ୍ତି । ସେହିଭଳି ଇଂରେଜମାନେ ୨ ଶହ ବର୍ଷ ଶାସନ କରିଥିଲେ ମଧ୍ୟ ଭାରତକୁ ଏକ ଖ୍ରୀଷ୍ଟିଆନ ବହୁଳ ଦେଶ କରିପାରି ନାହାଁନ୍ତି । ଆଉ ଏବେ ଚାଲିଛି ଅଯଥା ଉଦ୍ୟମ, ଯେତେବେଳେ କି ଭାରତ ଦେଖିଛି ଅନେକ ମହାଭାରତ ।…

Leave a Reply

Your email address will not be published. Required fields are marked *