ମସ୍କୋରେ ଭାରତ-ତାଲିବାନ ଆଲୋଚନା
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଆଫଗାନିସ୍ତାନ ପ୍ରସଙ୍ଗରେ ମସ୍କୋରେ ଭାରତ ଓ ତାଲିବାନ ମଧ୍ୟରେ ଆଲୋଚନା ହୋଇଛି । ଆଫଗାନିସ୍ତାନ ସରକାରର ଉପ ପ୍ରଧାନମନ୍ତ୍ରୀ ଅବ୍ଦୁଲ ସଲାମ ହନଫିଙ୍କ ନେତୃତ୍ୱରେ ତାଲିବାନୀ ପ୍ରତିନିଧିମଣ୍ଡଳ ଭାରତର ପ୍ରତିନିଧିଙ୍କ ସହ ବୈଠକ କରିଛନ୍ତି । ତାଲିବାନର ପ୍ରବକ୍ତା ଜବୀଉଲ୍ଲାହ ମୁଜାହିଦ ଏକ ବୟାନ ଜାରି କରି ଏନେଇ ସ୍ପଷ୍ଟ କରିଛନ୍ତି । ତେବେ ଭାରତ ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇ ନାହିଁ ।
ତାଲିବାନ ସହ ଭାରତର ପ୍ରଥମ ଔପଚାରିକ କଥାବାର୍ତ୍ତା ଅଗଷ୍ଟ ୩୧ ତାରିଖରେ ଦୋହାରେ ହୋଇଥିଲା । ଆଫଗାନର ଅନ୍ତରୀଣ କ୍ୟାବିନେଟ ଘୋଷଣା ପରେ ମସ୍କୋରେ ଏହା ପ୍ରଥମ ଆଲୋଚନା ଅଟେ । ତେବେ ବୈଠକରେ ତାଲିବାନ ମାନବ ଅଧିକାର ଉପରେ ଗୁରୁତ୍ୱ ଦେବ କହିଥିବା ସୂଚନା ମିଳିଛି ।
ମସ୍କୋ ବୈଠକରେ ଅବ୍ଦୁଲ ସଲାମ ହନଫ ଅନ୍ତରାଷ୍ଟ୍ରୀୟ ସମୁଦାୟଙ୍କୁ ତାଲିବାନ ସରକାରକୁ ମାନ୍ୟତା ଦେବାକୁ ଆହ୍ୱାନ ଦେଇଛନ୍ତି । ଏହାସହ ସେ ଆମେରିକାକୁ ମଧ୍ୟ ଆର୍ଥିକ ସହାୟତା ମାଗିଛନ୍ତି । ସୂଚନାଯୋଗ୍ୟ, ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ପ୍ରତ୍ୟାହାର ପରେ ତାଲିବାନ ଅଗଷ୍ଟ ୧୫ ତାରିଖରେ କବଜା କରିନେଇଥିଲା । ଅଗଷ୍ଟରେ ଆଫଗାନ କବଜା ପରେ ତାଲିବାନ ପ୍ରସଙ୍ଗରେ ମସ୍କୋରେ ପ୍ରଥମ ଥର ପାଇଁ ବିଶ୍ୱ ସମୁଦାୟ ବୈଠକ କରିଛନ୍ତି । ଏହି ବୈଠକ ଋଷର ପ୍ରତ୍ୟକ୍ଷ ହସ୍ତକ୍ଷେପରେ ହୋଇଛି ।