ଦେଶରେ ୨୩ ଲକ୍ଷ ଟପିଲା କରୋନା ସଂକ୍ରମଣ; ୨୪ ଘଣ୍ଟାରେ ୬୦ ହଜାରରୁ ଉର୍ଦ୍ଧ୍ୱ ପଜିଟିଭ, ୮୪୩ ମୃତ
ନୂଆଦିଲ୍ଲୀ, (ଓଡ଼ିଶା ଟାଇମ୍): ଦେଶରେ କରୋନା ଭାଇରସ୍ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଯାହା ଫଳରେ ଭାରତରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ୨୩ ଲକ୍ଷ ୨୯ ହଜାର ୬୩୯ରୁ ଅଧିକ ଟପିଛି ।
ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୬,୦୯୧ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ସର୍ବାଧିକ ୬୦,୯୬୩ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୮୩୪ ଜଣଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ଆକ୍ଟିଭ୍ କେସ୍ ୬,୪୩,୯୪୮ ରହିଛି ।
ଏହା ବ୍ୟତୀତ ୧୬ ଲକ୍ଷ ୩୯ ହଜାର ୬୦୦ ଜଣ କରୋନାରୁ ଆରୋଗ୍ୟ ଲାଭ କରିଥିବା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ଏଥି ସହିତ ମହାରାଷ୍ଟ୍ର ଓ ଦିଲ୍ଲୀରେ ସବୁଠାରୁ ଅଧିକ ସଂକ୍ରମିତ ହୋଇଥିବା ବେଳେ ଭାରତ ବିଶ୍ଵରେ ୩ୟ ସଂକ୍ରମିତ ରାଷ୍ଟ୍ର ଭାବେ ରହିଛି ।
ସେହିପରି ବିଶ୍ୱରେ ଏବେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨,୦୨,୮୪,୮୮୨ରେ ରହିଛି। ଜନ ହପକିନ୍ସ ଯୁନିଭର୍ସିଟିର ପ୍ରକାଶିତ ରିପୋର୍ଟ ଅନୁଯାୟୀ ପ୍ରାୟ ୧୮୮ରୁ ଅଧିକ ଦେଶକୁ କରୋନା ଭାଇରସ୍ ବ୍ୟାପିଥିବା ବେଳେ ଏହାର ସଂକ୍ରମଣରେ ଏଯାବତ୍ ପ୍ରାୟ ୭ ଲକ୍ଷ ୪୦ ହଜାର ୨୭୬ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି ।