ଦେଶରେ ୧୯ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା; ୨୪ ଘଣ୍ଟାରେ ସର୍ବାଧିକ ୫୨ ହଜାରରୁ ଉର୍ଦ୍ଧ୍ୱ ପଜିଟିଭ
ନୂଆଦିଲ୍ଲୀ, (ଓଡ଼ିଶା ଟାଇମ୍): ଦେଶରେ କରୋନା ଭାଇରସ୍ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଯାହା ଫଳରେ ଭାରତରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ୧୯ ଲକ୍ଷ ୦୮ ହଜାର ୨୫୫ରୁ ଅଧିକ ଟପିଛି ।
ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୯,୭୯୫ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ ସର୍ବାଧିକ ୫୨,୫୦୯ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୮୫୭ ଜଣଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ଆକ୍ଟିଭ୍ କେସ୍ ୫,୮୬,୨୪୪ ରହିଛି ।
ଏହା ବ୍ୟତୀତ ୧୨ ଲକ୍ଷ ୮୨ ହଜାର ୨୧୬ ଜଣ କରୋନାରୁ ଆରୋଗ୍ୟ ଲାଭ କରିଥିବା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ଏଥି ସହିତ ମହାରାଷ୍ଟ୍ର ଓ ଦିଲ୍ଲୀରେ ସବୁଠାରୁ ଅଧିକ ସଂକ୍ରମିତ ହୋଇଛନ୍ତି । ମହାରାଷ୍ଟ୍ରରେ ଏଯାଏଁ ୧୬୧୪୨ରୁ ଅଧିକ ସଂକ୍ରମିତ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଦିଲ୍ଲୀରେ ୪୦୩୩ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଭାରତ ବିଶ୍ଵରେ ୩ୟ ସଂକ୍ରମିତ ରାଷ୍ଟ୍ର ଭାବେ ରହିଛି।
ସେହିପରି ବିଶ୍ୱରେ ଏବେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧,୮୪,୮୦,୦୦୦ରେ ରହିଛି। ଜନ ହପକିନ୍ସ ଯୁନିଭର୍ସିଟିର ପ୍ରକାଶିତ ରିପୋର୍ଟ ଅନୁଯାୟୀ ପ୍ରାୟ ୧୮୮ରୁ ଅଧିକ ଦେଶକୁ କରୋନା ଭାଇରସ୍ ବ୍ୟାପିଥିବା ବେଳେ ଏହାର ସଂକ୍ରମଣରେ ଏଯାବତ୍ ପ୍ରାୟ ୭ ଲକ୍ଷ ୦୦ ହଜାର ୬୪୭ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି ।