ଭାରତ-ପାକ୍ ସୀମାରୁ ୬ ପାକିସ୍ତାନୀ ସୈନ୍ୟ ଗିରଫ
ଶ୍ରୀନଗର, (ଓଡିଶା ଟାଇମ୍) :ସୀମା ସୁରକ୍ଷା ବଳ ବା ବିଏସଏଫ ଶୁକ୍ରବାର ପଞ୍ଜାବର ଭାରତ-ପାକ୍ ଅନ୍ତରାଷ୍ଟ୍ରୀୟ ସୀମା ନିକଟରୁ ୬ ପାକିସ୍ତାନୀ ଯବାନଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଗିରଫ ସମସ୍ତ ଯବାନଙ୍କ ବୟସ ୨୦ରୁ ୨୧ ବର୍ଷ ବୋଲି ଡଣାପଡିଛି । ସନ୍ଧ୍ୟା ୫ଟାରେ ସୀମାବର୍ତ୍ତୀ ଅଞ୍ଚଳରେ ସେମାନଙ୍କୁ ଗିରଫ କରାଯାଇଥିଲା ।
ସୂତ୍ରାନୁସାରେ, ଗିରଫ ୬ ପାକିସ୍ତାନୀଙ୍କୁ ଗୁଇନ୍ଦା ବିଭାଗର ଅଧିକାରୀମାନେ ଅଜ୍ଞାତ ସ୍ଥାନରେ ଜେରା କରୁଛନ୍ତି । ସେମାନେ କିଛି ମନ୍ଦ ଉଦ୍ଦେଶ୍ୟରେ ଭାରତୀୟ ସୀମାରେ ପହଁଚିଥିଲେ ନା ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ତେବେ ସେମାନେ ଭାରତୀୟ ଯବାନଙ୍କ ଉପରେ ଆକ୍ରମଣ କରିବାକୁ ଆସିଥିବା ସନ୍ଦେହ କରାଯାଉଛି ।
ଅନ୍ୟଦିଗରେ ବିଏସଏଫ ଡିଜି ଏନଏସ ଜମଓ୍ୱାଲ ଶୁକ୍ରବାର ଜମ୍ମୁ-କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ସହ କଥା ହୋଇ ଅନ୍ତରାଷ୍ଟ୍ରୀୟ ସୀମା ସୁରକ୍ଷା ସ୍ଥିତି ବାବଦରେ ସମୀକ୍ଷା କରିଥିଲେ । ସେ ରାଜ୍ୟପାଳଙ୍କୁ ପାକିସ୍ତାନ ସହ ସଂଲଗ୍ନ ସୀମାରେ ଥିବା ବିପଦ, ବିଭିନ୍ନ ଚ୍ୟାଲେଞ୍ଜକୁ କିପରି ମୁକାବିଲା କରାଯିବ ଓ ସୁରକ୍ଷା କର୍ମୀଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ବାବଦରେ କହିଥିଲେ ।