ଭାରତ-ଚୀନ୍ ବିବାଦ; ଆସନ୍ତାକାଲି ଲେଫ୍ଟନାଣ୍ଟ ଜେନେରାଲ୍ ସ୍ତରୀୟ ବୈଠକ
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଭାରତ ଓ ଚୀନ୍ ଭିତରେ ଲେଫ୍ଟନାଣ୍ଟ ଜେନେରାଲ୍ ର୍ୟାଙ୍କ ସ୍ତରୀୟ ଅଧିକାରୀଙ୍କ ମଧ୍ୟରେ ମଙ୍ଗଳବାର ଦିନ ଚୁସୁଲ ଠାରେ ଆଲୋଚନା ହେବ ବୋଲି ସୁତ୍ରରୁ ପ୍ରକାଶ । ଦୁଇ ଦେଶ ମଧ୍ୟରେ ହେବାକୁ ଥିବା ଏହି କଥାବାର୍ତ୍ତା ସକାଳ ୧୧ଟା ୩୦ମି.ରେ ଆରମ୍ଭ ହେବ।
କମାଣ୍ଡର ସ୍ତରୀୟ ବୈଠକରେ ପୂର୍ବ ଲଦାଖର ଲାଇନ୍ ଅଫ୍ ଆକଚୁଆଲ୍ କଣ୍ଟ୍ରୋଲ୍ (ଏଲଏସି) ଆଖାପାଖ ଅଞ୍ଚଳରେ ଲାଗି ରହିଥିବା ଉତ୍ତେଜନା କମାଇବା ଲାଗି କଥାବାର୍ତ୍ତା ହେବ । ସୀମା ଉପରେ ମୁତୟନ ଯବାନ, ଗନ ଟ୍ୟାଙ୍କ୍, ହତିଆର ରକେଟ୍ ଲଞ୍ଚର, ମିସାଇଲ୍, ଫାଇଟର ଜେଟକୁ ପଛକୁ ହଟାଇବା ଓ ରୋଡ୍ ମ୍ୟାପ୍ପୁନଃ ପ୍ରତିଷ୍ଠା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇପାରେ ବୋଲି ଜଣାପଡିଛି ।
ତେବେ ଆସନ୍ତାକାଲି ଦୁଇ ଦେଶ ମଧ୍ୟରେ ହେବାକୁ ଥିବା ବୈଠକକୁ ନେଇ ଭାରତୀୟ ସେନା ଆଶାବାଦୀ ରହିଛନ୍ତି ।
ଜୁନ୍ ୩୦ ବୈଠକରେ ଯେଉଁ ବିଷୟ ଉପରେ ଦୁଇ ଦେଶର ସହମତି ମିଳିଥିଲା, ଆସନ୍ତାକାଲି ତା’ ଉପରେ ଆଲୋଚନା ହେବ । ଏଲଏସିର ଯେଉଁ ଯେଉଁ ସ୍ଥାନରେ ଉତ୍ତେଜନା ସୃଷିଟି ହୋଇଛି ସେ ସବୁ ସ୍ଥାନରେ ଉତ୍ତେଜନା କମ୍ କରିବା ଲାଗି ମଧ୍ୟ କଥାବାର୍ତ୍ତା ହେବେ । ଏହାପୂର୍ବରୁ ଜୁନ୍ ୬ ଓ ୨୨ରେ ଚୀନର ମୋଲଦା ଏବଂ ଜୁନ୍ ୩୦ ତାରିଖରେ ଚୁସୁଲ ଠାରେ ଲେଫ୍ଟନାଣ୍ଟ ଜେନେରାଲ୍ ର୍ୟାଙ୍କ୍ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ।
ସୂଚନାଯୋଗ୍ୟ, ଅନେକ ସମୟରେ ଭାରତ ଓ ଚୀନ ମଧ୍ୟରେ ଲଦାଖର ପାଙ୍ଗୋଙ୍ଗ ସୋ, ଗଲୱାନ ଭ୍ୟାଲି ଓ ଲଦାଖର ଗୋଗ୍ରା ହଟ୍ ସ୍ପ୍ରିଙ୍ଗ୍ ପରି ଅଞ୍ଚଳରେ ବିବାଦ ସୃଷ୍ଟି ହୋଇଛି । ଗତ ମାସରେ ଦୁଇ ଦେଶର ସେନା ମଧ୍ୟରେ ଗଲୱାନ ଭ୍ୟାଲିରେ ହୋଇଥିବା ସଂଘର୍ଷରେ ଭାରତର ପ୍ରାୟ ୨୦ ଯବାନ ସହିଦ ହୋଇଥିଲେ । ଚୀନ୍ ସେନାର ୪୦ ଯବାନ ନିହତ ହୋଇଥିବାର ସୂଚନା ମିଳିଥିଲା । ଯାହା ଫଳରେ ଏହି ଦୁଇ ଦେଶ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି ।