କାରଗିଲ୍ ବିଜୟ ଦିବସକୁ ପୂରିଲା ୨୧ ବର୍ଷ
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ୧୯୯୯ ମସିହା ଜୁଲାଇ ୨୬ ତାରିଖ ତଥା ଆଜିର ଦିନରେ ଭାରତୀୟ ସେନା କାରଗିଲ୍ ଯୁଦ୍ଧରେ ‘ଅପରେସନ୍ ବିଜୟ’କୁ ସଫଳତା ପୂର୍ବକ ଜିତି ଦେଶରୁ ଅନୁପ୍ରବେଶ କାରୀଙ୍କୁ ହଠାଇ ଦେଇଥିଲେ ।
ଏହି ସ୍ମୃତିକୁ ମନେ ପକାଇବା ପାଇଁ ପ୍ରତିବର୍ଷ ଜୁଲାଇ ୨୬ ତାରିଖକୁ ‘କାରଗିଲ୍ ବିଜୟ ଦିବସ’ ରୂପେ ପାଳନ କରାଯାଉ ଅଛି । ଏହି ଦିନରେ ଦେଶ ପାଇଁ ସହିଦ ହୋଇଥିବା ସେନାଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥାଏ ।
କାରଗିଲ୍ ବିଜୟ ଦିବସ-
୧୯୯ ୯ ମସିହା ମେ ମାସରେ ପାକିସ୍ତାନୀ ସେନା ଓ କିଛି ଉଗ୍ରବାଦୀ ଅନୁପ୍ରବେଶକାରୀ ମାନେ ଲାଇନ୍ ଅଫ୍ କଣ୍ଟ୍ରୋଲ୍ (ଏଲଓସି) ଅର୍ଥାତ୍ ଭାରତ ଓ ପାକିସ୍ତାନର ବାସ୍ତବିକ ନିୟନ୍ତ୍ରଣ ରେଖାକୁ ମାଡି ଭାରତକୁ ପ୍ରବେଶ କରିବା ସହ କିଛି ଅଂଶକୁ କବ୍ଚା କରିବାକୁ ଚାହୁଁଥିଲେ । ଯାହା ଫଳରେ ଭାରତ ଓ ପାକିସ୍ତାନ ମଧ୍ୟରେ କାଶ୍ମୀରର କାରଗିଲ୍ ଜିଲ୍ଲାରେ ସଂର୍ଘଷ ଆରମ୍ଭ ହୋଇଥିଲା ।
ଏହି ଯୁଦ୍ଧ ୧୮ ହଜାର ଫୁଟ୍ ଉଚ୍ଚରେ ତଥା ପର୍ବତ ଶିଖର ଉପରେ ପ୍ରାୟ ୨ ମାସ ଧରି ତଥା ମେ ମାସରୁ ଆରମ୍ଭ ହୋଇ ଚାଲିଥିବା ବେଳେ ଜୁଲାଇ ୨୬ ତାରିଖରେ ସମାପ୍ତ ହୋଇଥିଲା ।
ଏପରିକି ଭାରତୀୟ ସେନା ଓ ବାୟୁ ସେନାର ବୀର ଯବାନ ମାନେ ନିଜର ବଳିଷ୍ଠ ପରାକ୍ରମରେ ମାତୃଭୂମିକୁ ସୁରକ୍ଷା ପ୍ରଦାନ କରିଥିଲେ । ଏହି ବିଜୟ ଦିବସକୁ ‘କାରଗିଲ୍ ବିଜୟ ଦିବସ’ ଭାବେ ପାଳନ କରାଯିବା ସହ ସହିଦ ବୀର ଯବାନଙ୍କ ବଳିଦାନର ସ୍ମୃତି ଚାରଣ କରାଯାଇଥାଏ ।
ଏହି ଯୁଦ୍ଧରେ ଭାରତର ୫୦୦ରୁ ଅଧିକ ଯବାନ ସହିଦ ହୋଇଥିବା ବେଳେ ୧୪୦୦ରୁ ଅଧିକ ଆହତ ହୋଇଥିଲେ । ଏହାବ୍ୟତିତ ୩୫୭ରୁ ଅଧିକ ପାକିସ୍ତାନୀ ଅନୁପ୍ରବେଶ କାରୀ ନିହତ ହୋଇଥିଲେ ବୋଲି ସେନା ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ।