ଥମୁନି ଡେଙ୍ଗୁ : ୭ ଦିନରେ ୩୨୨ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍):  ବିଏମ୍‌ସି ଅଞ୍ଚଳରେ ଡେଙ୍ଗୁ ଥମିବା ନାଁ ଧରୁନି। ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସପ୍ତାହକ ଭିତରେ ସହରରୁ ୩୨୨ ଡେଙ୍ଗୁ ରୋଗୀ ଚିହ୍ନଟ ହେଲେଣି। ବିଏମ୍‌ସି ପକ୍ଷରୁ ଏହି ତଥ୍ୟ ମିଳିଥିବାବେଳେ ବେସରକାରୀ ଭାବେ ଦେଖିଲେ ଏହାର ସଂଖ୍ୟା ଦୁଇଗୁଣାରୁ ଅଧିକ। ପ୍ରତିଦିନ ଡେଙ୍ଗୁ ରୋଗୀ ଘରୋଇ ଡାକ୍ତରଖାନା ଏବଂ କ୍ଲିନିକ୍ ମୁହଁା ହେଉଛନ୍ତି। ତେବେ ଗୁରୁବାର ବିଏମ୍‌ସି ଅଞ୍ଚଳରୁ ୩୪ ନୂଆ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାରୁ ମୋଟ ରୋଗୀଙ୍କ ସଂଖ୍ୟା ୭୯୫ରେ ପହଞ୍ଚି ଥିବା ବିଏମ୍‌ସି ପକ୍ଷରୁ ସୂଚନା ମିଳିଛି।

ନୂଆ ଆକ୍ରାନ୍ତଙ୍କ ଘରକୁ ବିଏମ୍‌ସି ସ୍ବାସ୍ଥ୍ୟ ଦଳ ଯାଇ ପରିବାର ଅନ୍ୟ ସଦସ୍ୟଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିଛନ୍ତି। ଏଯାବତ୍‌ ବିଏମ୍‌ସିର ସ୍ବାସ୍ଥ୍ୟ ଦଳ ୬୮୯୦ ଘରକୁ ଯାଇ ୨୮୯୩୬ ଲୋକଙ୍କ ସ୍ବାସ୍ଥ୍ୟାବସ୍ଥା ସଂକ୍ରାନ୍ତରେ ପଚାରି ବୁଝିଛନ୍ତି। ୨୦୭୯୧ ସ୍ଥାନରୁ ୨୧୨୭୭ ଏଡିସ୍‌ ମଶା ଉତ୍ସ ନଷ୍ଟ କରାଯାଇଛି। ଚନ୍ଦ୍ରଶେଖରପୁର, ଶୈଳଶ୍ରୀ ବିହାର ଏବଂ ନୀଳାଦ୍ରି ବିହାର ଅଞ୍ଚଳରେ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଏବେ ଅନ୍ୟାନ୍ୟ ଅଞ୍ଚଳକୁ ବ୍ୟାପିଗଲାଣି। ତେବେ ଜୁଲାଇ ୩୦ରେ ସହରର ବିଭିନ୍ନ ସ୍ଥାନରୁ ୩୨ ରୋଗୀ ଚିହ୍ନଟ ହୋଇଥିବାବେଳେ ୩୧ରେ ୫୮, ୧ରେ ୩୫, ୨ରେ ୬୬, ୩ରେ ୫୦ ଏବଂ ୪ରେ ୪୭ଜଣ ଡେଙ୍ଗୁ ଯୁକ୍ତାତ୍ମକ ରୋଗୀ ବାହାରିଛନ୍ତି।

ଲୋକଙ୍କୁ ସଚେତନ କରିବା ପାଇଁ ବିଏମ୍‌ସି ଅଭିଯାନ ଜାରି ରଖିଛି। ହେଲେ ମଶା ମରା ଉପରେ ଗୁରୁତ୍ବ ଦିଆଯାଉ ନଥିବାରୁ ମଶାଙ୍କ ପ୍ରାଦୁର୍ଭାବ ସାରା ସହରରେ ବଢ଼ି ଚାଲିଛି। ଯଦ୍ବାରା କେବଳ ଡେଙ୍ଗୁ ନୁହେଁ ମେଲେରିଆ ଜ୍ବରରେ ମଧ୍ୟ ଲୋକେ ପୀଡ଼ିତ ହେଉଛନ୍ତି।

Leave a Reply

Your email address will not be published. Required fields are marked *