ମଧ୍ୟରାତ୍ରରେ ବିଦା ହେଲେ ଇମ୍ରାନ୍ ଖାନ, ଭାଙ୍ଗିଲା ସରକାର

ଇସଲାମାବାଦ, (ଓଡିଶା ଟାଇମ୍): ବହୁ ବାଦ ବିବାଦ ପରେ ଶେଷରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଅନାସ୍ଥା ପ୍ରସ୍ତାବ ବଳରେ ଗାଦିଚ୍ୟୁତ ହୋଇଛନ୍ତି । ବିରୋଧୀ ଦଳ ପକ୍ଷରୁ ତାଙ୍କ ବିରୋଧରେ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବ ଉପରେ ଶନିବାର ବିଳମ୍ବିତ ରାତିରେ ସଂସଦ (ନ୍ୟାସନାଲ ଆସେମ୍ବ୍ଲି)ରେ ଭୋଟିଂ ହୋଇଥିଲା । ସଂସଦର ମୋଟ ସଦସ୍ୟ ସଂଖ୍ୟା ହେଉଛି ୩୪୨ । ସେଥିମଧ୍ୟରୁ ଇମ୍ରାନଙ୍କୁ ହଟାଇବାକୁ ୧୭୨ ଭୋଟ ଆବଶ୍ୟକ ଥିଲା ବେଳେ ଅନାସ୍ଥା ପ୍ରସ୍ତାବ ସପକ୍ଷରେ ୧୭୪ ଭୋଟ ପଡ଼ିଥିଲା । ଯାହାଫଳରେ ୬୯ ବର୍ଷୀୟ ଇମ୍ରାନଙ୍କୁ ଗାଦିଚ୍ୟୁତ ହେବାକୁ ପଡିଛି । ଅନାସ୍ଥା ପ୍ରସ୍ତାବ ବଳରେ ଗାଦିଚ୍ୟୁତ ହେବାରେ ସେ ପାକିସ୍ତାନର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଛନ୍ତି । ଶନିବାର ବିଳମ୍ବିତ ରାତିରେ ଇମ୍ରାନ ପ୍ରଧାନମନ୍ତ୍ରୀ ହାଉସ୍‌ ଛାଡ଼ିଦେବା ସହ ନିଜର ବ୍ୟକ୍ତିଗତ ଘରକୁ ଚାଲିଯାଇଥିବା ସ୍ଥାନୀୟ ଗଣମାଧ୍ୟମରୁ ଜଣାପଡ଼ିଛି ।

ଭୋଟିଂ ପୂର୍ବରୁ ବାଚସ୍ପତି ଅସଦ କୈସର ଓ ଉପବାଚସ୍ପତି କାସିମ ସୁରି ନିଜ ପଦରୁ ଇସ୍ତଫା ଦେଇଥିଲେ । ଏହା ପୂର୍ବରୁ ଇମ୍ରାନ ବାଚସ୍ପତିଙ୍କୁ ଏକ ଗୋପନ ଚିଠି ପ୍ରଦାନ କରିଥିଲେ । ଏହି ଚିଠିକୁ ସେ ସଂସଦରେ ଉପସ୍ଥିତ ସଦସ୍ୟମାନଙ୍କୁ ଦେଖାଇଥିଲେ । ଏହା ପରେ ଅୟାଜ ସାଦିକଙ୍କୁ ବାଚସ୍ପତି ଦାୟିତ୍ୱ ଦିଆଯାଇଥିଲା । ସେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ କରାଇଥିଲେ । ତେବେ ଭୋଟିଂ ହେବା ପୂର୍ବରୁ ଇମ୍ରାନଙ୍କ ପାକିସ୍ତାନ ତେହେରିକ୍‌-ଏ-ଇନ୍‌ସାଫ (ପିଟିଆଇ) ସାଂସଦମାନେ କକ୍ଷତ୍ୟାଗ କରିଚାଲିଯାଇଥିଲେ । ସେମାନେ ଭୋଟିଂରେ ଭାଗ ନେଇ ନଥିଲେ ଭୋଟିଂ ଭିତରେ ୨ ମିନିଟ୍‌ ପାଇଁ ସଂସଦକୁ ମୁଲତବୀ ଘୋଷଣା କରାଯାଇଥିଲା । ଏହା ପରେ ପୁଣିଥରେ ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂ ଭୋଟିଂ ଫଳାଫଳ ଘୋଷଣା କରାଯାଇଥିଲା । ଇମ୍ରାନଙ୍କ ଦଳ ପିଟିଆଇ ନିଜର ପରାଜୟ ସ୍ୱୀକାର କରିଥିଲା । ପିଟିଆଇ କର୍ମୀମାନେ ମଧ୍ୟ ସଂସଦ ଭବନ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ପରିସ୍ଥିତିକୁ ଦୃଷ୍ଟିରେ ରଖି ଇସ୍‌ଲାମାବାଦରେ ସେନା ମୁତୟନ କରାଯାଇଛି । ସବୁ ବିମାନବନ୍ଦର ଓ ହସ୍ପିଟାଲକୁ ହାଇଆଲର୍ଟରେ ରଖାଯାଇଛି। ଇମ୍ରାନଙ୍କ ବିରୋଧରେ ଇସ୍‌ଲାମାବାଦ ହାଇକୋର୍ଟରେ ମାମଲା ରୁଜୁ କରାଯାଇଛି । ହାଇକୋର୍ଟ ଆସନ୍ତା ୧୧ ତାରିଖରେ ଏହା ଉପରେ ଶୁଣାଣି କରିବେ । ଇମ୍ରାନଙ୍କୁ ଦେଶଛାଡିବା ଉପରେ ରୋକ୍‌ ଲଗାଇବାକୁ ପିଟିସନରେ ଦାବି କରାଯାଇଚି । ଏଥିସହ ଇମ୍ରାନଙ୍କ ସରକାରରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଥିବା ଫୱଦ ଚୌଧୁରୀ ଓ ବିଦେଶ ମନ୍ତ୍ରୀ ଥିବା ଶାହ ମହମ୍ମଦ କୁରେସିଙ୍କ ବିରୋଧରେ ମଧ୍ୟ ହାଇକୋର୍ଟରେ ମାମଲା ରୁଜୁ ହୋଇଛି । ସେହିଭଳି ଇମ୍ରାନଙ୍କ ସଚିବ ଆଜମ ଖାନଙ୍କୁ ବଦଳି କରାଯାଇଛି । ରବିବାର ଅପରାହ୍ନ ୨ଟାରେ ସଂସଦର ଅଧିବେଶନ ପୁଣି ବସି ନୂଆ ପ୍ରଧାନମନ୍ତ୍ରୀ ନିର୍ବାଚିତ କରାଯିବ । ପିଏମ୍‌ଏଲ୍‌-ଏନ୍‌ ନେତା ଶାହବାଜ ଶରିଫ ନୂଆ ପ୍ରଧାନମନ୍ତ୍ରୀ ହେବାର ସମ୍ଭାବନା ରହିଛି ।

ସଂସଦରେ ଆଜି ଭୋଟିଂ ହେବା ପୂର୍ବରୁ ହାଇଡ୍ରାମା ଦେଖିବାକୁ ମିଳିଥିଲା । ହାରିବାଟା ନିଶ୍ଚିତ ଜାଣିବା ପରେ ଇମ୍ରାନ ଓ ତାଙ୍କ ଦଳ ପାକିସ୍ତାନ ତେହେରିକ-ଏ-ଇନ୍‌ସାଫ (ପିଟିଆଇ) ଜାଣିଶୁଣି ଭୋଟିଂକୁ ଏଡାଇବାକୁ ଚାହିଁଥିଲେ । ଏପରିକି ମାର୍ଶଲ ଲ’ର ଧମକ ଦେଇଥିଲେ । ସେହିଭଳି ବାଚସ୍ପତି ଅନାସ୍ଥା ଉପରେ ଭୋଟିଂ କରାଇବେ ନାହିଁ ବୋଲି ଶୁଣାଇଥିଲେ । ସେ କହିଥିଲେ ଯେ ଇମ୍ରାନଙ୍କ ସହିତ ତାଙ୍କର ୩୦ ବର୍ଷର ସମ୍ପର୍କ ରହିଛି । ତେଣୁ ତାଙ୍କୁ ଗାଦିରୁ ହଟାଇବାକୁ ସେ ଅନୁମତି ଦେଇପାରିବେ ନାହିଁ । ଏଥିପାଇଁ ଆବଶ୍ୟକ ପଡିଲେ ସେ ଯେକୌଣସି ଦଣ୍ଡ ଭୋଗିବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି । ମାତ୍ର ତାଙ୍କର ଏଭଳି ପଦକ୍ଷେପ ଯୋଗୁ ସେ ଅଦାଲତ ଅବମାନନାର ସମ୍ମୁଖୀନ ହେବା ସହ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିରୋଧୀ ଦଳ ଚେତାବନୀ ଦେଇଥିଲେ । ପରେ ସେ ଭୋଟିଂ କରାଇବାକୁ ରାଜି ହୋଇଥିଲେ ।

ସେହିଭଳି ଭୋଟିଂ ହେବାକୁ ଥିଲେ ମଧ୍ୟ ଇମ୍ରାନ ସଂସଦକୁ ଆସିନଥିଲେ । କିନ୍ତୁ ଚିରାଚରିତ ଢ଼ଙ୍ଗରେ ସେ ଆଜି ଏକ ପାଣ୍ଠି ସଂଗ୍ରହ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ରାତିରେ ତାଙ୍କ କ୍ୟାବିନେଟ ବୈଠକ ମଧ୍ୟ ଡାକିଥିଲେ । ଯାହାକୁ ନେଇ ବିରୋଧୀ ଦଳ ପକ୍ଷରୁ କଡା ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଇମ୍ରାନଙ୍କ ବିରୋଧରେ ଅସନ୍ତୋଷ ବଢୁଥିବାର ଦେଖିବା ପରେ ଆଜି ରାତିରେ ପାକିସ୍ତାନ ସେନା ମୁଖ୍ୟ ଜେନୋରାଲ କମର ଜାଭେଦ ବାଜୱା ଓ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ମୁଖ୍ୟ ନଦୀମ ଅହମ୍ମଦ ଅଞ୍ଜୁମ ଇମ୍ରାନଙ୍କ ବାସଭବନକୁ ଯାଇ ତାଙ୍କୁ ଭେଟିଥିଲେ । ସେମାନଙ୍କ ପରାମର୍ଶ ଅନୁସାରେ ଇମ୍ରାନ ସଂସଦକୁ ଆସିଥିଲେ ଓ ଆସ୍ଥା ଭୋଟର ସମ୍ମୁଖୀନ ହୋଇଥିଲେ ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆଜି ସଂସଦରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ହେବାର ଥିଲା । ପୂର୍ବାହ୍ନ ୧୦ଟାରେ ସଂସଦର ଅଧିବେଶନ ଡକାଇବାକୁ ସୁପ୍ରିମକୋର୍ଟ କହିଥିଲେ । ମାତ୍ର ୨ ଘଣ୍ଟା ବିଳମ୍ବରେ ଅଧିବେଶନ ଆରମ୍ଭ ହୋଇଥିଲା । ଅନାସ୍ଥା ପ୍ରସ୍ତାବ ଉପରେ ପ୍ରଥମେ ବିତର୍କ ଚାଲିଥିଲା । ହେଲେ ବିତର୍କ ଭିତରେ ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟଙ୍କ ହଙ୍ଗାମା ଯୋଗୁ ଗୃହକୁ ୪ଥର ମୁଲତବୀ କରିବାକୁ ପଡିଥିଲା । ଅନ୍ୟପକ୍ଷରେ ସୁପ୍ରିମକୋର୍ଟଙ୍କ ଆଦେଶ କାର୍ଯ୍ୟକାରୀ ହୋଇନଥିବାରୁ ତାକୁ ନେଇ ଦେଶର ସର୍ବୋଚ୍ଚ ଅଦାଲତ ଚିନ୍ତା ପ୍ରକଟ କରିଥିଲେ । ପ୍ରଧାନ ବିଚାରପତି ଉମର ଅତା ବନ୍ଦିୟାଲ ରାତି ୧୨ଟାରେ କୋର୍ଟ ଖୋଲିବାକୁ ନିର୍ଦ୍ଦେଶ ଦେବା ସହ ନ୍ୟାୟିକ ଅଫିସର ଓ ଅନ୍ୟ କର୍ମଚାରୀଙ୍କୁ ଆସିବାକୁ କହିଥିଲେ । ସେ ଓ ଅନ୍ୟ ବିଚାରପତିମାନେ କୋର୍ଟ ରୁମ୍‌ରେ ପହଞ୍ଚିଥିଲେ ।

Leave a Reply

Your email address will not be published. Required fields are marked *