ମମିତା ମର୍ଡର୍ ମିଷ୍ଟ୍ରି: ରାଧେ ଘରୁ ମିଳିଲା ମହିଳା ଡ୍ରେସ୍ ଓ ମୋବାଇଲ୍
କଳାହାଣ୍ଡି, ( ଓଡିଶା ଟାଇମ୍): କଳାହାଣ୍ଡି ମହାଲିଙ୍ଗ୍ ସ୍ଥିତ ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟାଘଟଣାର ତଦନ୍ତ ଜାରି ରଖିଛି ପୋଲିସ । ହତ୍ୟା ମାମଲାରେ ଗିରଫ ଡ୍ରାଇଭର ରାଧେ ଚଣ୍ଡି ଘରୁ ବହୁ ଗୁରୁତ୍ବପୂର୍ଣ୍ଣ ସାମଗ୍ରୀ ମିଳିଛି । କେଗାଁ ପୋଲିସ ଦ୍ବାରା ରାଧେ ଘରୁ ଗୁରୁତ୍ବପୂର୍ଣ୍ଣ ସାମଗ୍ରୀ ଜବତ କରିଛି ।
ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ସହଯୋଗୀ ରାଧେ । ଗୁରୁବାର ରାଧେକୁ ଗିରଫ କରିଥିଲା କେଗାଁ ଥାନା ପୋଲିସ । ମମିତା ମେହେର ହତ୍ୟା ମାମଲାରେ ଗିରଫ ଡ୍ରାଇଭର ରାଧେ ଚଣ୍ଡିଙ୍କ ସ୍ତ୍ରୀ ଆଶା ଚଣ୍ଡି ଘରୁ ଏକ ବ୍ୟାଗ୍ ପାଇ କେଗାଁ ପୋଲିସକୁ ଦେଇଥିବା ପ୍ରକାଶ କରିଛନ୍ତି। ଏକ ବ୍ୟାଗ୍ ରେ ନୂଆ ଡ୍ରେସ୍ ଓ ଏକ ମୋବାଇଲ୍ ଫୋନ୍, ଏକ ଚାର୍ଜର ଥିବା ଆଶା ଦେଖିବାକୁ ପାଇଥିଲେ। ଯାହାକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେବାକୁ ଅପେକ୍ଷା କରିଥିବା ବେଳେ କେଗାଁ ପୋଲିସ ନେଇଥିବା ସେ ପ୍ରକାଶ କରିଛନ୍ତି ।
ମମିତା ମେହେର ହତ୍ୟା ଘଟଣାର ଚାଲିଛି ତନାଘନା । ରାଧେ ଏବଂ ଗୋବିନ୍ଦଙ୍କୁ ଧରି ଜାରି ରହିଛି ଛାନଭିନ୍। ଗୋବିନ୍ଦ ସାହୁଙ୍କୁ ସିନ୍ଧେକେଲା ପୋଲିସ ୫ ଦିନିଆ ରିମାଣ୍ଡରେ ନେଇ ଅଧିକ ଖୋଳତାଡ଼ କରୁଛି। ନିଜେ ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ଓ ବଲାଙ୍ଗିର ଏସ୍ପି କୁସଲକର ନୀତିନି ଡାଗଡୁଙ୍କ ତତ୍ତ୍ବାବଧାନରେ ମାମଲାର ପୂରା ତଦନ୍ତ ଚାଲିଛି । ଉଭୟ ମହାଲିଙ୍ଗ୍ ଖେଳପଡିଆ ଯାଇ ସ୍ପଟ୍ ଭେରିଫିକେଶନ କରିଛନ୍ତି । ଟିଟିଲାଗଡ଼, ବଙ୍ଗୋମୁଣ୍ଡା, ସିନ୍ଧେକେଲା ସହ କଳାହାଣ୍ଡିର ଯେଉଁ ସବୁ ସ୍ଥାନକୁ ଗୋବିନ୍ଦ ମମିତାଙ୍କୁ ନେଇକି ଯାଇଥିଲା ସେହି ସ୍ଥାନକୁ ଯାଇଛନ୍ତି ପୋଲିସ ଟିମ୍ । ପ୍ରଥମେ ମହାଲିଙ୍ଗରେ ପହଞ୍ଚିଥିଲେ ଉତ୍ତରାଞ୍ଚଳ ଡ଼ିଆଇଜି ଓ ଏସପି । ମମିତାଙ୍କୁ ହତ୍ୟା କରିଥିବା ସ୍ବୀକାର କଲା ପରେ ଗୋବିନ୍ଦ ଯାହା ସବୁ କହିଛି ସେସବୁ ସତ ନା ନାହିଁ , ତାହା ତଦନ୍ତ କରିବା ପାଇଁ ସେସବୁ ସ୍ଥାନରେ ଅନୁଧ୍ୟାନ କରାଯାଇଛି। ସନସାଇନ୍ ସ୍କୁଲ ହଷ୍ଟେଲରେ ଡିଆଇଜି ପହଞ୍ଚି ତଦନ୍ତ କରିଛନ୍ତି। ଅଧିକ ତଦନ୍ତ ପାଇଁ ମହାଲିଙ୍ଗ ଖେଳ ପଡିଆକୁ ଆଉ ଥରେ ଖୋଳାଯାଇ ସାଇଣ୍ଟିଫିକ୍ ଟିମ୍ ତଦନ୍ତ କରିଛି । ସନସାଇନ୍ ସ୍କୁଲ୍ ଓ କଲେଜରେ ମିଳିଥିବା ଅନୁଦାନ ସଂକ୍ରାନ୍ତରେ ଗୋଲମୁଣ୍ଡା ବିଡିଓ ଓ ତହସିଲଦାରଙ୍କଠାରୁ ତଥ୍ୟ ସଂଗ୍ରହ କରାଯାଇଛି।