୪୦୦ ଟଙ୍କାରେ କରୋନା ଟେଷ୍ଟ; ୧ ଘଣ୍ଟାରେ ମିଳିବ ରେଜଲ୍ଟ !
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦେଶବ୍ୟାପୀ କରୋନା ଭାଇରସ୍ ସଂକ୍ରମଣ ଦିନକୁ ଦିନ ବଢୁଥିବା ବେଳେ ଏହାର ଭ୍ୟାକସିନକୁ ନେଇ ଅନେକ ଦେଶ ପ୍ରୟାସ ଜାରି ରଖିଛନ୍ତି ।
ଏହି ପରିପ୍ରେକ୍ଷୀରେ ଆଇଆଇଟି ଖଡଗପୁର ରିସର୍ଚ୍ଚ ଟିମ୍ ପକ୍ଷରୁ ଦାବି କରାଯାଇଛି ଯେ ସେମାନେ ଏକ ଅଲ୍ଟ୍ରା-ପୋର୍ଟେବଲ୍ ଡିଭାଇସ୍ ବିକଶିତ କରିଛନ୍ତି । ଯାହାର ମୂଲ୍ୟ ୪୦୦ ଟଙ୍କା ରହିଛି, ଯାହା ପ୍ରାୟ ଏକ ଘଣ୍ଟା ମଧ୍ୟରେ କରୋନାର ଟେଷ୍ଟ ରିପୋର୍ଟ ଦେଇ ପାରିବ ଏବଂ କରୋନାର ତ୍ୱରିତ ଯାଞ୍ଚ ହୋଇ ପାରିବ ।
ନ୍ୟୁଜ୍ ଏଜେନ୍ସି ଏଏନଆଇର ରିପୋର୍ଟ ଅନୁଯାୟୀ ଆଇଆଇଟି ଖଡଗପୁରର ରିସର୍ଚ୍ଚ ଟିମ୍ ଦାବି କରିଛନ୍ତି ଯେ କୋଭିଡ-୧୯ ରାପିଡ୍ ଟେଷ୍ଟ ଲାଗି ସେମାନେ ଏକ ଡିଭାଇସ୍ ବିକଶିତ କରିଛନ୍ତି । କଷ୍ଟମାଇଜ୍ ସ୍ମାର୍ଟଫୋନ୍ ଆପ୍ଲିକେସନ୍ କରୋନା ଟେଷ୍ଟର ଏକ ଘଣ୍ଟା ମଧ୍ୟରେ ରିପୋର୍ଟ ଆସିଯିବ।
ଏବେ ସୁଦ୍ଧା ବାହାରିଥିବା କରୋନା କିଟ୍ ତୁଳନାରେ ଏହି ଡିଭାଇସ୍ ସବୁଠୁ କମ୍ ସମୟ ସାପେକ୍ଷ ହୋଇ ପାରିବ ।
ଆଇଆଇଟି ଖଡଗପୁରର ମେକାନିକାଲ୍ ଇଞ୍ଜିନିୟରିଂ ଡିପାର୍ଟମେଣ୍ଟର ପ୍ରଫେସର ସୁମନ ଚକ୍ରବର୍ତ୍ତି ଓ ଆଇଆଇଟି ଖଡଗପୁରର ସ୍କୁଲ୍ ଅଫ୍ ବାୟୋ ସାଇନ୍ସର ଡ. ଅରିନ୍ଦମ ମଣ୍ଡଳ ଏହି କନସେପ୍ଟକୁ ନେଇ ଆସିଛନ୍ତି ।
ସେମାନେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ ଏହି ଟେଷ୍ଟ ପାଇଁ କୌଣସି ଅତ୍ୟାଧୁନିକ ପରୀକ୍ଷାଗାର ଦରକାର ନାହିଁ । କେବଳ ପେପର ଷ୍ଟ୍ରିପ୍ ଉପରେ ସ୍ୱାବ ସହିତ କେମିକାଲ୍ ମିଶାଇବା ପରେ ପାଖାପାଖି ୬୦ ମି. ମଧ୍ୟରେ ଜଣାପଡି ଯିବ ଯେ ସମ୍ପୃକ୍ତ ବ୍ୟକ୍ତି ଜଣକ କରୋନା ସଂକ୍ରମିତ ହୋଇଛନ୍ତି କି ନାହିଁ ।