କଟକ ନୟାସଡକ ଆଇଆଇଏଫ୍ଏଲ୍ ଫାଇନାନ୍ସ କମ୍ପାନିରୁ ୨୦ କୋଟି ଲୁଟ୍ର ପର୍ଦ୍ଦାଫାସ୍, ସମସ୍ତ ଅଭିଯୁକ୍ତ ଅଟକ
କଟକ, (ଓଡିଶା ଟାଇମ୍) : କଟକ ନୟାଗଡସ୍ଥିତ ଆଇଆଇଏଫ୍ଏଲ୍ ଫାଇନାନ୍ସ କମ୍ପାନିରୁ ୨୦ କୋଟି ଲୁଟ୍ର ପର୍ଦ୍ଦାଫାସ୍ ହୋଇଛି। ଏହି ଲୁଟ୍ ଘଟଣାରେ ସମସ୍ତ ଅଭିଯୁକ୍ତଙ୍କୁ ଅଟକ ରଖିଛି କମିଶନରେଟ୍ ପୁଲିସ। ଏନେଇ ଟ୍ବିନ୍ ସିଟି ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଟ୍ବିଟ୍ କରି ସୂଚନା ଦେଇଛନ୍ତି। ପୁଲିସ କମିଶନର କହିଛନ୍ତି, ଲୁଟ୍ ସୁନା ସହ ବାଇକ ଜବତ କରାଯାଇଛି । ଜାରି ରହିଛି ତଦନ୍ତ ପ୍ରକ୍ରିୟା । ଏହାସହ ଟ୍ୱିନ୍ ସିଟିର ପୋଲିସ ଅଧିକାରୀଙ୍କୁ ପ୍ରଶଂସା କରିଛନ୍ତି ପୋଲିସ କମିଶନର ।
ପୋଲିସ କମିଶନର ସୂଚନା ଅନୁସାରେ ମାତ୍ର ୬ ଦିନରେ ଲୁଟ୍ ଘଟଣାର ପର୍ଦ୍ଦାଫାଶ ହୋଇଛି । ଘଟଣା ଦିନ IIFLର ନୟାସଡକ ବ୍ରାଞ୍ଚ ଖୋଲିବା ପରେ ୪ ଜଣ ଦୁର୍ବୃତ୍ତ ଜବରଦସ୍ତି ପଶିଥିଲେ । ସମସ୍ତେ ମୁହଁ ଘୋଡାଇଥିଲେ । ଜଣଙ୍କ ହାତରେ ବନ୍ଧୁକ ଥିଲା । ବ୍ରାଞ୍ଚର ଜଣେ କର୍ମଚାରୀ ଲକର ଖୋଲିଥିଲେ । ଲକରରୁ ପୁଳା ପୁଳା ସୁନା ସେମାନଙ୍କୁ ଦେଇଦେଇଥିଲେ । ଲୁଟେରାମାନେ ସୁନା ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।
ଯାଞ୍ଚ ବେଳେ ଜଣାପଡିଥିଲା ଯେ, ଏହା ଏକ ଯୋଜନାବଦ୍ଧ ଅପରାଧ । ଘଟଣା ଦିନ IIFL ବ୍ରାଞ୍ଚର ସମସ୍ତ ସୁରକ୍ଷା ବ୍ୟବସ୍ଥା ଆକାମୀ ଥିଲା । ସିସିଟିଭି ବନ୍ଦ ରହିଥିଲା । ସିକ୍ୟୁରିଟି ଗାର୍ଡ ମଧ୍ୟ ଛୁଟିରେ ଥିଲେ । ଲୁଟ୍ ଘଟଣାର ମୁଖ୍ୟ କାର୍ପଟଦାର ଥିଲେ IIFLର କର୍ମଚାରୀ ଲାଲା ଅମ୍ରିତ ରାୟ । ସେ ଲୁଟେରାମାନଙ୍କୁ ସମସ୍ତ ପ୍ରକାରର ସହାଯ୍ୟ କରିଥିଲେ ।
ଡକାୟତି ଘଟଣାରେ ୪ ଜଣ ସଂପୃକ୍ତ ଥିବା ବେଳେ ପଞ୍ଚମ ବ୍ୟକ୍ତି ନଆସି ଲୁଟ୍ ଘଟଣାକୁ ପରିଚାଳିତ କରିଥିଲେ । ସେ ହେଉଛନ୍ତି ବାପୁ ଓରଫ ରଞ୍ଜନ ବେହେରା । ତାଙ୍କ ଘର କିଶନନଗର ଅଞ୍ଚଳରେ ବିଶ୍ବନାଥପୁରରେ । ଲାଲା ଅମ୍ରିତ ରାୟ ତାଙ୍କ ପିଲା ଦିନର ସାଙ୍ଗ । ଲୁଟ୍ ପାଇ ଆସିଥିବା ୪ ଜଣ ହେଉଛନ୍ତି ରାଜକିଶୋର ସାହୁ, ବିଜୁ ଓରଫ ପ୍ରକାଶ ସାହୁ, ପଦିଆ ଓରଫ ପ୍ରଦୀପ୍ତ ବେହେରା ଏବଂ ବାପି ଓରଫ ସନ୍ତୋଷ ଭୋଇ । ସମସ୍ତଙ୍କୁ ଅଟକ ରଖାଯାଇଛି । ଘଟଣାରେ ବ୍ୟବହୃତ ବାଇକ୍ ଜବତ କରାଯାଇଛି । ଲୁଟ୍ ହୋଇଥିବା ସୁନାରୁ ୨ କିଲୋରୁ ଅଧିକ ସୁନା ଜବତ ହୋଇଛି । ଘଟଣାର ତଦନ୍ତ ପାଇଁ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିଲା । ମାତ୍ର ୬ ଦିନରେ ବଡ ଧରଣର ସୁନା ଲୁଟ୍ ଘଟଣାର ପର୍ଦ୍ଦାଫାଶ ହୋଇଛି ।