ସ୍ବାମୀର ସିନ୍ଦୂର ସତ ଲାଗୁନି…

BHUBANESWAR: ରାତି ପ୍ରାୟ ୧୨ଟା ହୋଇ ଯାଇଥିଲା । ସେଦିନ ସ୍ବାମୀଙ୍କ ଆସିବାରେ ବିଳମ୍ବ ହୋଇ ଯାଇଥିଲା । କିନ୍ତୁ ହଠାତ ଶୁଭିଲା କବାଟ ଠକ ଠକ ଶବ୍ଦ । ମହିଳା ଜଣକ ଭାବିଲେ, ବୋଧେ ତାଙ୍କ ସ୍ବାମୀ ଆସିଲେ । ତର ତର ହୋଇ କବାଟ ଖୋଲିଦେଲେ । ହେଲେ ସ୍ବାମୀଙ୍କ ବଦଳରେ ଘରକୁ ପଶି ଆସିଲେ ୪-୫ ଜଣ ଲୋକ । ହଠାତ ମହିଳାଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କଲେ । ଦୁର୍ବୃତ୍ତଙ୍କ କବଳରୁ ନିଜକୁ ରକ୍ଷା କରିବାକୁ ମହିଳା ଜଣକ ପ୍ରାଣମୂର୍ଚ୍ଛା ଉଦ୍ୟମ କରି ଚାଲିଥିଲେ । କିଛି ମୂହୁର୍ତ୍ତ ଯାଇଛି କି ନାହିଁ, ମହିଳାଙ୍କ ସ୍ବାମୀ ଆସି ପହଞ୍ଚି ଗଲେ । ମହିଳାଙ୍କ ସାହସ ଶହେଗୁଣା ବଢ଼ିଗଲା । କାରଣ, ସ୍ତ୍ରୀର ଏକମାତ୍ର ସାହସ ହିଁ ତାର ସ୍ବାମୀ ନା ! ସେ ଧନୀ ହୁଅନ୍ତୁ ବା ଗରିବ… ଶାରିରୀକ ଏବଂ ସ୍ବାସ୍ଥ୍ୟଗତ ଦୃଷ୍ଟିରୁ ସେ ସବଳ ହୁଅନ୍ତୁ ବା ଦୁର୍ବଳ, କେବଳ ସ୍ବାମୀ ହିଁ ସ୍ତ୍ରୀର ଶକ୍ତି ଏବଂ ସର୍ବସ୍ବ ।…

() ସେଦିନ କିନ୍ତୁ ମହିଳାଙ୍କ ସ୍ବାମୀ ଘରେ ଆସି ପହଞ୍ଚିବା ପରେ ପରେ ପ୍ରଥମେ ଦୁର୍ବୃତ୍ତଙ୍କୁ ଜୀବନ ନେଲା ଭଳି ଧମକ ଦେଲେ । ଦୁର୍ବୃତ୍ତଙ୍କୁ ମହିଳାଙ୍କ ସ୍ବାମୀ କହିଲେ, … ‘ଦେଖ, ଭଲରେ କହୁଛି, ‘ଏଠାରୁ ଚାଲିଯାଅ, ନଚେତ ସମସ୍ତଙ୍କୁ ଗୋଟି ଗୋଟି କରି ହାଣିଦେବି’ । କିନ୍ତୁ ତାଙ୍କ ସ୍ବର ସଠିକ ନଥିଲା । ହଠାତ ବଦଳି ଯାଇଥିଲା । ମହିଳାଙ୍କ ସ୍ବାମୀ କହିଲେ, ‘ଦେଖ, ତୁମେ ଯାହା କରିବାକୁ ଆସିଛି କର, ତୁମର ଇଚ୍ଛା ଯାହା କରିବା କଥା କର, କିନ୍ତୁ ମୋ ସ୍ତ୍ରୀଙ୍କର ଯେମିତି କିଛି ଅଧିକ କ୍ଷତି ନହୁଏ’ । ‘ଆଉ ଯଦି ହେଲା, ତୁମେମାନେ ମୋତେ ଦେଖିବ’ … ଏତିକି କହି ମହିଳାଙ୍କ ସ୍ବାମୀ, କବାଟ ଆଉଜାଇ ଦେଇ ଚାଲିଗଲେ । ଆଉ ତା ପରେ, ମହିଳା ଜଣକ ପ୍ରଥମେ ନିଜ ମଥାର ସିନ୍ଦୂର ପୋଛିଦେଲେ… ଶଙ୍ଖା-ଚୁଡ଼ି ଖୋଲି ଫୋପାଡ଼ି ଦେବା ପରେ, ଯୌନ ପିପାସୁ ଦୁର୍ବୃତ୍ତଙ୍କ ଆଗରେ ନିଜକୁ ସମର୍ପି ଦେଲେ । ସତରେ, ଏଠି ମହିଳାଙ୍କ ସ୍ବାମୀଙ୍କ ଚରିତ୍ର, ଆଭିମୁଖ୍ୟ ଏବଂ ଉଦ୍ଦେଶ୍ୟ ସନ୍ଦେହଘେରକୁ ଆସୁଥିବା ବେଳେ ତାଙ୍କୁ ମଥାର ସିନ୍ଦୂର କରି ଜନମ ଜନମକୁ ଭରସି ଥିବା ସଂପୃକ୍ତ ମହିଳାଙ୍କ ଚରିତ୍ର, ଉଦ୍ଦେଶ୍ୟ ଏବଂ ଆଭିମୁଖ୍ୟକୁ ଆମେ ସନ୍ଦେହ କରିପାରିବା କି ? ପ୍ରଶ୍ନ କରିପାରିବା କି ? ଯଦି, ମହିଳାଙ୍କ ସ୍ବାମୀ ‘ମାରିବି କିମ୍ବା ମରିବି’, ନୀତି ଆପଣାଇଥାନ୍ତେ, ତେବେ ହୁଏତ ଆମେ କହିପାରିଥାନ୍ତେ, ‘ସ୍ବାମୀର ସିନ୍ଦୂର ସତ’ । କିନ୍ତୁ ଏଭଳି ପରିସ୍ଥିତିରେ ଆମେ କହିପାରିବା ତ, ସଂପୃକ୍ତ ମହିଳା, ତାଙ୍କ ମଥାରେ, ତାଙ୍କ ସ୍ବାମୀଙ୍କ ନାମରେ ଲଗାଇଥିବା ସିନ୍ଦୂର ସତ ଥିଲା ନା ମିଛ !…

() କିଛି ମାସ ତଳେ ଜାମ୍ମୁ-କାଶ୍ମୀର ପହଲଗାମରେ କିଛି ମହିଳାଙ୍କ ସାମ୍ନାରେ ସେମାନଙ୍କ ସ୍ବାମୀମାନଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଛନ୍ତି । ଆଉ ସେବେଠାରୁ ଭାରତୀୟ ହିନ୍ଦୁ ବିବାହିତା ମହିଳାଙ୍କ ମଥାର ସୌନ୍ଦର୍ଯ୍ୟ ‘ସିନ୍ଦୂର’ ବେଶ ଚର୍ଚ୍ଚାରେ । ଯାହାର ଜ୍ବଳନ୍ତ ଉଦ୍ଦାହରଣ ଅପରେସନ୍ ସିନ୍ଦୂରର ସଫଳତା ।…

() ଅପରେସନ ସିନ୍ଦୂର ସଫଳତାର ଗାନ ସରି ନଥିବା ବେଳେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି Atom Bomb ଫୁଟାଇ ଦେଇଛନ୍ତି । ବିହାରରେ ନିର୍ବାଚନ କମିଶନ ଚଳାଇଥିବା Special Intensive Revision ଅତି ବିବାଦୀୟ ଥିବା ବେଳେ ରାହୁଲ ଗାନ୍ଧି, ସେଣ୍ଟ୍ରାଲ୍ ବେଙ୍ଗଳୁରୁ ଲୋକସଭା ଆସନ ଅନ୍ତର୍ଗତ ମହାଦେବପୁରା ବିଧାନସଭା ଆସନରୁ କରିଛନ୍ତି ‘ଅପରେସନ୍ ମହାଦେବ’ । ଆଉ ସେତିକି ବେଳେ ସୁର୍ପିମକୋର୍ଟରେ ହୋଇଛି ବିହାରର ଚର୍ଚ୍ଚିତ ‘SIR’ ଅଭିଯାନ ଉପରେ ଶୁଣାଣି । ଜୁଲାଇ ୨୮ ତାରିଖରେ ନିର୍ବାଚନ କମିଶନଙ୍କୁ ସର୍ବୋଚ୍ଚ କୋର୍ଟ ଯାହା କହିଥିଲେ, ଅଗଷ୍ଟ ୧୨ ତାରିଖ ଶୁଣାଣିରେ ତାହା ଦୋହରାଇଛନ୍ତି । ଆଉ ୧୩ ତାରିଖ ଶୁଣାଣିରେ ସ୍ପଷ୍ଟ କରି ଦେଇଛନ୍ତି ଯେ, ବିହାରରେ ନିର୍ବାଚନ କମିଶନ ଚଳାଇଥିବା ‘SIR’ ଅଭିଯାନ, Anti Voter ନୁହେଁ ବରଂ Voter Friendly’ । ଯଦି ଭୋଟର ତାଲିକା ସଂଶୋଧନ ଆଳରେ କିଛି ଗଡ଼ବଡ଼ ବା ଅନିୟମିତତା ଧରାପଡ଼େ, ତେବେ ନିର୍ବାଚନ କମିଶନଙ୍କ ସମ୍ପୂର୍ଣ୍ଣ ‘SIR’ ଅଭିଯାନକୁ Set Aside କରିଦେବେ ବୋଲି ଦୋହରାଇଛନ୍ତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ୍ ଜୟମାଲ୍ୟ ବାଗଚୀଙ୍କ ଦୁଇଜଣିଆ ଖଣ୍ଡପୀଠ । ଭୋଟର ତାଲିକାରେ ନାମ ଯୋଡ଼ିବା କିମ୍ବା ସେଥିରୁ ନାମ କାଟିବା, ନିର୍ବାଚନ କମିଶନଙ୍କ କ୍ଷମତା ପରିସରଭୁକ୍ତ କି ନୁହେଁ, ତାକୁ ନେଇ ଆଇନଗତ ଦ୍ବନ୍ଦ୍ବ ଲାଗି ରହିଥିବା ବେଳେ ନିର୍ବାଚନ କମିଶନଙ୍କ ବିହାର ‘SIR’ ଅଭିଯାନ ଉପରେ କିନ୍ତୁ ଅଙ୍କୁଶ ଲଗାଇ ନାହାନ୍ତି ସର୍ବୋଚ୍ଚ ଅଦାଲତ । ଯେତେବେଳେ କି, ସରକାରଙ୍କ ବିରୋଧରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ଭୋଟ ଚୋରି Atom Bomb ଦେଶର ରାଜନୀତିରେ ଭୟାନକ ବିସ୍ଫୋରଣ ସୃଷ୍ଟି କରିଛି ।…

() ସୁପ୍ରିମକୋର୍ଟ ହିଁ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ସଂସ୍ଥା । ଆଉ ଏହି ସାମ୍ବିଧାନିକ ସଂସ୍ଥାଙ୍କ ପ୍ରମୁଖ ସାମ୍ବିଧାନିକ ଦାୟିତ୍ବ ଓ କର୍ତ୍ତବ୍ୟ ହେଉଛି, ସମ୍ବିଧାନ ଏବଂ ଗଣତନ୍ତ୍ରର ସୁରକ୍ଷା । ଅର୍ଥାତ, ଦେଶ ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁଯାୟୀ ଚାଲୁଛି କି ନାହିଁ, ସରକାର, ଦେଶକୁ ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁଯାୟୀ ଚଳାଉଛନ୍ତି କି ନାହିଁ, ତାହା ଉପରେ ତୀକ୍ଷଣ ନଜର ରଖିବା ସୁପ୍ରିମକୋର୍ଟଙ୍କ ପ୍ରଥମ ସାମ୍ବିଧାନିକ କର୍ତ୍ତବ୍ୟ ଏବଂ ଦାୟିତ୍ବ ।…

() କିନ୍ତୁ… ନିର୍ବାଚନ କମିଶନଙ୍କ ବିହାର Electoral Draft Roll ଅନୁଯାୟୀ ୬୫ ଲକ୍ଷରୁ ଅଧିକ ଭୋଟର ତାଲିକାରୁ ବାଦ ପଡୁଛନ୍ତି । ଅନେକ ଇହଧାମରେ ନାହାନ୍ତି, କିନ୍ତୁ ଅଗଷ୍ଟ ୧୨ ଶୁଣାଣି ବେଳେ ୧୨ ଜଣ ମୃତକ ସୁପ୍ରିମକୋର୍ଟରେ ଉପସ୍ଥିତ ହୋଇଥିଲେ । ତେବେ ‘ବଡ଼ ଅଭିଯାନରେ ଏମିତି ସାମାନ୍ୟ ତ୍ରୁଟି ହୁଏ, ଯାହାକୁ ପରେ ସଂଶୋଧନ କରାଯିବାର ଅବସର ରହିଛି’ ବୋଲି ନିର୍ବାଚନ କମିଶନଙ୍କ ଓକିଲ କହିବା ପରେ, ଖଣ୍ଡପୀଠ ବୁଝିଗଲେ ।…

() ରାହୁଲ ଗାନ୍ଧିଙ୍କ ଭୋଟ ଚୋରି Atom Bombର ପ୍ରଭାବଠାରୁ ବିହାରର ‘SIR’ ଅଭିଯାନ ଆହୁରି ପ୍ରଭାବଶାଳୀ । ଆଗକୁ ଏହାର ଯଥେଷ୍ଟ ପ୍ରଭାବ ଦେଖିବାକୁ ମିଳିବ । କୁହାଯାଉଛି କାଳେ, ନିର୍ବାଚନରେ ସ୍ବଚ୍ଛତା ଓ ନିରପେକ୍ଷତା ବଦଳରେ ଏକ ନିର୍ଦ୍ଦିଷ୍ଟ ଦଳର ବିଜୟ ନିରଙ୍କୁଶତାକୁ ସବୁଦିନ ପାଇଁ ନିଶ୍ଚିତ କରାଇବାକୁ ପ୍ରାଧାନ୍ୟ ଦିଆଯାଉଛି । ଆଉ ଏଭଳି ସ୍ଥିତିରେ ‘SIR’ ମାମଲାର ଶୁଣାଣି ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି କାଳେ ନିଆଁରେ ଘିଅ ଢାଳିଛି !

() ନାଗରିକତା ପ୍ରମାଣପତ୍ର ତାଲିକାରେ ଆଧାର କାର୍ଡ ଏବଂ ଭୋଟ ପରିଚୟ ପତ୍ରକୁ ସାମିଲ କରିବାକୁ ନିର୍ବାଚନ କମିଶନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଥିଲେ, ସୁପ୍ରିମକୋର୍ଟ । ଦୁଇ ଦୁଇ ଥର ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ନିର୍ବାଚନ କମିଶନ ତାହା ମାନିଲେ ନାହିଁ । ଏହି ଦୁଇ କାର୍ଡକୁ ନାଗରିକତାର ପ୍ରମାଣପତ୍ର ଭାବେ ଗ୍ରହଣ କରାଯାଇପାରିବ ନାହିଁ ବୋଲି ନିର୍ବାଚନ କମିଶନ ବୁଝାଇ ଦେବା ପରେ ସୁପ୍ରିମକୋର୍ଟ ବୁଝିଗଲେ । କାରଣ, ଏହି ଦୁଇ କାର୍ଡର ଆଇନରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି, ଏହା ନାଗରିକତାର ପ୍ରମାଣପତ୍ର ନୁହେଁ । ତେଣୁ ଏଠି ନିର୍ବାଚନ କମିଶନଙ୍କ ଓକିଲଙ୍କ ଯୁକ୍ତିକୁ ସୁପ୍ରିମକୋର୍ଟ ବା କାହିଁକି ନମାନିବେ ! ବର୍ଷେ ତଳେ ସାଧାରଣ ନିର୍ବାଚନରେ ଭୋଟ ଦେଇଥିବା ବିହାରର ଭୋଟରଙ୍କ ମଧ୍ୟରୁ ୬୫ ଲକ୍ଷ ଭୋଟର ଆଗାମୀ ବିଧାନସଭା ନିର୍ବାଚନରେ ବାଦ୍ ପଡ଼ିବାକୁ ଯାଉଛନ୍ତି । କାହିଁକି ଆଜି ଏମାନେ ବାଦ ପଡ଼ିବାକୁ ଯାଉଛନ୍ତି ? କିଏ ଏଥିପାଇଁ ଦାୟୀ ? ବର୍ତ୍ତମାନର ବିଜେପି ନେତୃତ୍ବାଧୀନ ଏନଡିଏ ସରକାର ନା ଦେଶରେ ବହୁ ବର୍ଷ ଧରି କ୍ଷମତାରେ ଥିବା କଂଗ୍ରେସ ? କାହିଁକି ଦେଶ ସ୍ବାଧୀନ ହେବାର ୭୮ ବର୍ଷ ପରେ ମଧ୍ୟ କୌଣସି ଭାରତୀୟଙ୍କୁ ନାଗରିକତାର ପ୍ରମାଣପତ୍ର ମିଳିପାରି ନାହିଁ, ତାହା ହିଁ ସବୁଠାରୁ ବଡ଼ ପ୍ରଶ୍ନ । ପୁଣି ବର୍ଷକ ତଳେ ଯଦି ଏହି ୬୫ ଲକ୍ଷ ଭୋଟର ସାଧାରଣ ନିର୍ବାଚନରେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିଲେ, ତେବେ ସେହି ନିର୍ବାଚନକୁ କାହିଁକି Null and Void ଘୋଷଣା କରାଯିବନି !…

() ଭାରତୀୟ ସମ୍ବିଧାନ କହୁଛି, ଗଣତନ୍ତ୍ରର ସୁରକ୍ଷା ପାଇଁ ନ୍ୟାୟାଳୟ ସମସ୍ତ ପ୍ରକାର ସାମ୍ବିଧାନିକ କ୍ଷମତା ଉପଯୋଗ କରିପାରିବେ । ଅର୍ଥାତ କହିବାକୁ ଗଲେ, Suo Motto Cognizance ନେଇପାରିବେ । ନିଜ ଆଡୁ ମାମଲା ରୁଜୁକରି, ତାର ଶୁଣାଣି କରିପାରିବେ । କିନ୍ତୁ ରାହୁଲ ଗାନ୍ଧିଙ୍କ ଭୋଟ ଚୋରି ପ୍ରସଙ୍ଗରେ ନିର୍ବାଚନ କମିଶନ ମୁହଁ ଖୋଲୁ ନଥିବା ବେଳେ, ଦେଶର ସର୍ବୋଚ୍ଚ କୋର୍ଟ ମଧ୍ୟ ନିଜ ଆଡୁ କୌଣସି ପଦକ୍ଷେପ ନେଇ ନାହାଁନ୍ତି । ବରଂ ବିହାର ‘SIR’ ଅଭିଯାନ ମାମଲାରେ Hypothetical Warning ଦେଇଛନ୍ତି । ଏହା ଲୋକ ଦେଖାଣିଆ ନୁହେଁ ତ !

() ଲୋକ ଦେଖାଣିଆ ଆମେ ଏଇଥି ପାଇଁ କହୁଛୁ, କାରଣ ଅତୀତର ଏମିତି କିଛି ପ୍ରସଙ୍ଗ ଏବେ ବି ପ୍ରତିଟି ଭାରତୀୟଙ୍କୁ ଆନ୍ଦୋଳିତ କରୁଛି । ନିର୍ବାଚନ କମିଶନର ନିଯୁକ୍ତି ପ୍ରସଙ୍ଗରେ ଯେତେବେଳେ, ୩ ଜଣିଆ କମିଟିରୁ ସରକାର, ପ୍ରଧାନ ବିଚାରପତିଙ୍କୁ ବାହାର କରିଦେଲେ, ସେତେବେଳେ ସୁପ୍ରିମକୋର୍ଟଙ୍କ ଆଭିମୁଖ୍ୟ ସମସ୍ତେ ଦେଖିଛନ୍ତି । ପୁଣି ବିଶ୍ବର ସର୍ବବୃହତ ନିର୍ବାଚନୀ ଚାନ୍ଦା ଘୋଟାଲା Electoral Bond ମାମଲାରେ ଦୋଷୀ ଧରା ପଡ଼ିଥିଲେ ମଧ୍ୟ, ସର୍ବୋଚ୍ଚ କୋର୍ଟ କଣ ଦଣ୍ଡବିଧାନ କଲେ, ତାହା ମଧ୍ୟ ସମସ୍ତେ ଦେଖିଛନ୍ତି । ପୁଣି ମହାରାଷ୍ଟ୍ରରେ ଉଦ୍ଧବ ଥାକରେଙ୍କ ମହାଗଠବନ୍ଧନ ନେତୃତ୍ବାଧୀନ ସରକାରକୁ ଗଡ଼ାଇ ଏକନାଥ ସିନ୍ଦେଙ୍କ ନେତୃତ୍ବର ସରକାରକୁ Illegal ବୋଲି କହିଥିଲେ ସେତେବେଳର ପ୍ରଧାନ ବିଚାରପତି ଜଷ୍ଟିସ୍ ଡି. ୱାଇ. ଚନ୍ଦ୍ରଚୂଡ଼ାଙ୍କ ଖଣ୍ଡପୀଠ । କିନ୍ତୁ ହେଲା କଣ ? ୧୯୭୫ର ଜରୁରୀକାଳୀନ ପରିସ୍ଥିତି ପରେ ହୋଇଥିବା ନିର୍ବାଚନରେ ସେତେବେଳର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ରାୟବରେଲୀ ଲୋକସଭା ଆସନ ବିଜୟକୁ Illegal କହି ଆହ୍ଲାବାଦ ହାଇକୋର୍ଟ ରଦ୍ଦ କରି ଦେଇଥିଲେ । ଇନ୍ଦିରାଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା । କିନ୍ତୁ ମହାରାଷ୍ଟ୍ରର ସିନ୍ଦେ ନେତୃତ୍ବାଧୀନ ସରକାରକୁ Illegal କହିବା ପରେ ମଧ୍ୟ କାହିଁକି, ସରକାର ଭଙ୍ଗ ହେଲାନି ? ସୁପ୍ରିମକୋର୍ଟ କାହିଁକି ନିଜଆଡୁ ପଦକ୍ଷେପ ନେଲେନି ? କିଏ ରୋକିଥିଲା ସୁପ୍ରିମକୋର୍ଟଙ୍କୁ, କିଏ ରୋକିଥିଲା ସେତେବେଳର ଜଷ୍ଟିସ୍ ଡି. ୱାଇ. ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ଖଣ୍ଡପୀଠକୁ ? ପୁଣି ଚୀନ, ଭାରତର ଜମି ଦଖଲ କରିବା ମାମଲାରେ ଜଷ୍ଟିସ୍ ଦୀପଙ୍କର ଦତ୍ତା, ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ପ୍ରତି ଦେଇଥିବା True Indian ମନ୍ତବ୍ୟ ମଧ୍ୟ ଅନେକ ପ୍ରଶ୍ନବାଚୀ ଓ ସନ୍ଦେହ ସୃଷ୍ଟି କରୁଛି । ତେଣୁ ଏଭଳି ସ୍ଥିତିରେ ବିହାର ‘SIR’ ପ୍ରସଙ୍ଗ ହେଉ କି ରାହୁଲ ଗାନ୍ଧିଙ୍କ ଭୋଟ ଚୋରି ଅଭିଯୋଗ, ଏହା ଉପରେ ସୁପ୍ରିମକୋର୍ଟଙ୍କଠାରୁ ଅଧିକ କିଛି ଭଲ ଆଶା କରାଯାଇପାରିବ କି ?…

() ନ୍ୟାୟ ଅନ୍ଧ… (ଆଗରୁ ନ୍ୟାୟଦେବୀଙ୍କ ଆଖିରେ କଳା କପଡ଼ା ବନ୍ଧା ଯାଇଥିଲା, କିନ୍ତୁ ମୋଦି ସରକାର ଅମଳରେ ନ୍ୟାୟଦେବୀଙ୍କ ଆଖିରୁ ତାହା ଖୋଲି ଦିଆଯାଇଛି)… ଆଇନ ସମସ୍ତଙ୍କ ପାଇଁ ସମାନ, ଆଉ ନ୍ୟାୟଳୟ ହିଁ ସମସ୍ତଙ୍କ ଶେଷ ଆଶା ଓ ଭରସା । ଯେଉଁଥି ପାଇଁ ପରା ଲୋକେ କଥା କଥାକେ, କୋର୍ଟ ଉପରେ ଆଶା, ଭରସା ଲଦି ଦେଇଥାନ୍ତି । ନାଲି କୋଠାର ନାଁ ନେଇ ଦୁର୍ବଳ ମଣିଷଟି, ତାଠାରୁ ଯଥେଷ୍ଟ ସବଳ ମଣିଷକୁ ନାଲି ଆଖି ଦେଖାଇବାକୁ ପଛାଇ ନଥାଏ । କିନ୍ତୁ ଏବେ ଦେଖିବାକୁ ଗଲେ, ବିହାର ‘SIR’ ଅଭିଯାନ ଏବଂ ରାହୁଲଙ୍କ ଭୋଟ ଚୋରି ଅଭିଯୋଗ ଉପରେ ସୁପ୍ରିମକୋର୍ଟଙ୍କ ଆଭିମୁଖ୍ୟ ପ୍ରାୟତଃ ଏକ ନିର୍ଦ୍ଦିଷ୍ଟ ଦିଗରେ ରହିଛି । ଠିକ ଯେମିତି ଭୋଟ ଚୋରି ପ୍ରସଙ୍ଗରେ ନିର୍ବାଚନ କମିଶନଙ୍କ ପାଇଁ ସରକାରଙ୍କ ନେତା, ମନ୍ତ୍ରୀ ଓ ଦଳୀୟ ମୁଖପାତ୍ର, ବିରୋଧୀଙ୍କୁ କାଉଣ୍ଟର କରୁଛନ୍ତି । ଏଥିରେ ସନ୍ଦେହ ନାହିଁ ଯେ, ନିର୍ବାଚନ କମିଶନ ମଧ୍ୟ ଏକ ସ୍ବତନ୍ତ୍ର ସାମ୍ବିଧାନିକ ସଂସ୍ଥା । ଆଉ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ସଂସ୍ଥା ସୁପ୍ରିମକୋର୍ଟ ହିଁ ସବୁ ସାମ୍ବିଧାନିକ ସଂସ୍ଥାର ନିୟନ୍ତ୍ରକ । କିନ୍ତୁ ଏବେ ସୁପ୍ରିମକୋର୍ଟ ଓ ନିର୍ବାଚନ କମିଶନଙ୍କ ମଧ୍ୟରେ ସମାନ୍ତରାଳ ବ୍ୟବଧାନ ଦେଖିବାକୁ ମିଳିଲାଣି । ED, CBI ଓ Income Taxର ଭୂମିକା ଓ କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ସନ୍ଦେହ ଘେରରେ ଥିବା ବେଳେ ଏବେ ସେହି ଶ୍ରେଣୀଭୁକ୍ତ ହୋଇଗଲେଣି କି ନିର୍ବାଚନ କମିଶନ ଓ ସୁପ୍ରିମକୋର୍ଟ ! ତେଣୁ ଏଭଳି ସ୍ଥିତିରେ ସେଦିନର ସେହି ମହିଳାଙ୍କ ମଥାର ସିନ୍ଦୁର ତାଙ୍କ ପାଇଁ ସତ ଥିଲା ନା ମିଛ ଥିଲା, ତାହା ଉପରେ ପୁନର୍ବଲୋକନର ଆବଶ୍ୟକତା ରହିଛି ।…

Leave a Reply

Your email address will not be published. Required fields are marked *