ଘରେ ଘରେ ରାସନ ଯୋଜନାକୁ ନେଇ ବିବାଦ: କେନ୍ଦ୍ରକୁ କେଜ୍ରିୱାଲଙ୍କ ପ୍ରଶ୍ନ-ଯଦି ପିଜ୍ଜାର ହୋମ ଡେଲିଭରି ହୋଇପାରୁଛି ତାହେଲେ ରାସନର କାହିଁକି ନୁହେଁ ?
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଘରେ-ଘରେ ରାସନ ଯୋଜନା ଉପରେ କେନ୍ଦ୍ର ସରକାର ରୋକ ଲଗାଇବା ପରେ କେନ୍ଦ୍ରକୁ ପ୍ରଶ୍ନ କଲେ କେଜ୍ରିୱାଲ ସରକାର । ଯୋଜନା ଲାଗୁ କରିବା ପାଇଁ ପୂରା ପ୍ରସ୍ତୁତି ସରିଥିଲା, ହେଲେ ଦୁଇ ଦିନ ପୂର୍ବରୁ କାହିଁକି ରୋକ ଲଗାଗଲା ? କେନ୍ଦ୍ର ଠାରୁ ମଞ୍ଜୁରୀ ନେଇନଥିବା ଅଭିଯୋଗ କରି ଯୋଜନା ଉପରେ ଲଗାଇ ଦିଆଯାଇଛି । ହେଲେ ଦିଲ୍ଲୀ ସରକାର କେନ୍ଦ୍ର ଠାରୁ ଅନ୍ୟୁନ ୫ ଥର ଅନୁମତି ନେଇଥିବା କହିଛନ୍ତି କେଜ୍ରିୱାଲ ।
ଆସନ୍ତା ମାସରେ ଘରେ ଘରେ ରାସନ ଯୋଜନା ଆରମ୍ଭ ହେବାର ଥିଲା । ଏଥିପାଇଁ ଦିଲ୍ଲୀ ସରକାର ସମସ୍ତ ପ୍ରସ୍ତୁତି ଶେଷ କରିସାରିଛନ୍ତି । କେଜ୍ରିୱାଲ ପ୍ରେସ କନଫରନ୍ସ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଆଜି ମୁଁ ବହୁତ ବ୍ୟଥିତ । ଆଜି ମୋ ଦ୍ୱାରା କିଛି ଭୁଲ ହୋଇଗଲେ କ୍ଷମା କରିବେ । ଏହି ଯୋଜନା ପାଇଁ ରାଜ୍ୟ ସରକାର ସକ୍ଷମ, ଏଥିରେ କେନ୍ଦ୍ର ସହ କୌଣସି ବିବାଦ ଦରକାର ନାହିଁ । ଯୋଜନାର ନାମ ରଖାଯାଇଥିଲା ମୁଖ୍ୟମନ୍ତ୍ରୀ ଘରେ ଘରେ ରାସନ । କିନ୍ତୁ ସେତେବେଳେ କୁହାଯାଇଥିଲା ଯୋଜନାରେ ମୁଖ୍ୟମନ୍ତ୍ରୀ ନାମ ଆସିବା ଆବଶ୍ୟକ ନୁହେଁ । କେନ୍ଦ୍ର ନିର୍ଦ୍ଦେଶ ଅନୁସାରେ ଯୋଜନାରୁ ମୁଖ୍ୟମନ୍ତ୍ରୀ ନାମ ହଟାଇ ଦିଆଗଲା ।
ଦେଶରେ ସ୍ମାର୍ଟଫୋନ୍, ପିଜ୍ଜା ଓ ବର୍ଗର ପରି ଜିନିଷର ହୋମ ଡେଲିଭରୀ ହେଉଛି, କିନ୍ତୁ ରାସନର ହୋମ ଡେଲିଭରୀ କାହିଁକି ହେବନାହିଁ । ଆପଣଙ୍କୁ ରାସନ ମାଫିଆଙ୍କ ପ୍ରତି ଏତେ ଦରଦ କାହିଁକି ପ୍ରଧାନମନ୍ତ୍ରୀ ସାର୍ ? ମହାମାରୀରେ ଅନେକ ଗରିବଙ୍କ ଚାକିରି ଯାଇଛି, ଘରେ ବେକାର ହୋଇ ବସି ରହିଛନ୍ତି ଲୋକେ । କୋର୍ଟ ଯୋଜନା ବିରୁଦ୍ଧରେ କୌଣସି ଆପତ୍ତି ଉଠାଇ ନାହାନ୍ତି, କିନ୍ତୁ ଏବେ ଯୋଜନାକୁ କାହିଁକି ଖାରଜ କରାଗଲା । ଲୋକେ ବାହାରକୁ ଯାଇ ପାରୁନାହାନ୍ତି , ସେଥିପାଇଁ ଏହି ଯୋଜନା ଆରମ୍ଭ କରିବାକୁ ଚାହୁଁଥିଲୁ ।
କେଜ୍ରିୱାଲ କହିଛନ୍ତି କେନ୍ଦ୍ର ସରକାରଙ୍କ ଅଧିକାରୀ କହୁଛନ୍ତି ରାସନ କେନ୍ଦ୍ରର, ତେବେ ଦିଲ୍ଲୀ କ୍ରେଡିଟ୍ କାହିଁକି ନେବ ? ମୋର ମାଗଣା ବାହାବା ଦରକାର ନାହିଁ, ଦୟାକରି ନିୟମ ଲାଗୁ କରିବାକୁ ଅନୁମତି ଦିଅ । ଅନୁମତି ପ୍ରଦାନ କଲେ ସାରା ଦୁନିଆର ଲୋକଙ୍କୁ କହିବି ଏହି ଯୋଜନା ମୋଦି ଜି ଲାଗୁ କରିଛନ୍ତି । ଏହି ରାସନ ମୋଦିଙ୍କର ନୁହେଁ କି ଆମ ଆଦମି ପାର୍ଟିର ନୁହେଁ । ରାସନ ଦେଶର ଲୋକଙ୍କର ଏବଂ ରାସନ ଚୋରି ରୋକିବାର ଦାୟିତ୍ୱ ଉଭୟ କେନ୍ଦ୍ର ଓ ରାଜ୍ୟ ସରାକାରଙ୍କର ।