ବଦଳିଲା କରୋନା ଭୁତାଣୁ ପରୀକ୍ଷା ନିୟମ: ଇନ୍ଫ୍ଲୁଏନ୍ଜା ଥିଲେ ୭ ଦିନରେ ପରୀକ୍ଷା, ବିନା ପରୀକ୍ଷାରେ ଅସ୍ତ୍ରୋପଚାର
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ଭାରତୀୟ ଭେଷଜ ଗବେଷଣା ପରିଷଦ ( ଆଇସିଏମ୍ଆର୍) କରୋନା ପରୀକ୍ଷା ନିୟମାବଳୀରେ ପରିବର୍ତ୍ତନ ଆଣିଛନ୍ତି। କୌଣସି ପ୍ରବାସୀ ବା ରାଜ୍ୟ ଫେରନ୍ତା ଅଥବା କ୍ଵାରେଣ୍ଟୀନ୍ରେ ଥିବା କୌଣସି ବ୍ୟକ୍ତିଙ୍କ ପାଖଷର ଯଦି ଇନ୍ଫ୍ଲୁଏଞ୍ଜା ଲକ୍ଷଣ ଦେଖାଯାଏ ତେବେ ସାତ ଦିନ ଭିତରେ ତାଙ୍କର ନମୁନା ପରୀକ୍ଷା କରାଯିବ। ପୁଣି ଏହି ପରୀକ୍ଷା ଆର୍ଟିପିସିଆର୍ ପଦ୍ଧତିରେ ହେବା ଆବଶ୍ୟକ। ଏହି ନିୟମ କୋଭିଡ୍ ସହ ଲଢ଼ୁଥିବା ସମ୍ମୁଖ ଯୋଦ୍ଧା ମାନଙ୍କ ପାଇଁ ବି ଲାଗୁ ହେବ।
ଅପରପକ୍ଷେ ଲକ୍ଷଣ ଥିବା ବା ସମ୍ବେଦନଶୀଳ ଅଞ୍ଚଳରୁ ଆସିଥିବା ଅଥବା ଆଶଙ୍କିତ ବ୍ୟକ୍ତି ଯଦି କୌଣସି ଜରୁରୀକାଳୀନ ଅସ୍ତ୍ରୋପଚାର ଆବଶ୍ୟକ କରନ୍ତି ତେବେ ତାଙ୍କୁ ପରୀକ୍ଷା ରିପୋର୍ଟ ଯାଏ ଅପେକ୍ଷା କରିବା ଆବଶ୍ୟକ ପଡ଼ିବ ନାହିଁ। ଡାକ୍ତରମାନେ ତାଙ୍କୁ ଜରୁରୀକାଳୀନ ସେବା ଯେଗାଇବାକୁ ବାଧ୍ୟ ହେବେ।
ଟେଷ୍ଟିଂ ହୋଇ ନାହିଁ ବୋଲି କହି କୌଣସି ଗର୍ଭବତୀ ମହିଳାଙ୍କୁ ଶିଶୁ ଜନ୍ମ ପାଇଁ ଆବଶ୍ୟକ ଅସ୍ତ୍ରୋପଚାରକୁ ଏଡ଼ାଯାଇପାରିବ ନାହିଁ।