ଦୁନିଆର ‘ଫାଟେଷ୍ଟ ହ୍ୟୁମାନ୍ କାଲକୁଲେଟର’ ନୀଳକଣ୍ଠଙ୍କୁ ରାଷ୍ଟ୍ରପତିଙ୍କ ପ୍ରଶଂସା
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁନିଆର ସବୁଠୁ ‘ଫାଟେଷ୍ଟ ହ୍ୟୁମାନ୍ କାଲକୁଲେଟର’ ଭାବେ ଖ୍ୟାତି ଅର୍ଜନ କରିଥିବା ହାଇଦ୍ରାବାଦର ନୀଳକଣ୍ଠ ଭାନୁ ପ୍ରକାଶଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଭାନୁ ପ୍ରକାଶଙ୍କ ପାଖକୁ ଏକ ପତ୍ରରେ ରାଷ୍ଟ୍ରପତି ଲେଖିଛନ୍ତି, “ଲଣ୍ଡନରେ ମାଇଣ୍ଡ ସ୍ପୋର୍ଟ୍ସ ଅଲମ୍ପିଆଡ୍ରେ ମେଣ୍ଟଲ୍ କାଲକୁଲେସନ୍ ୱାର୍ଲ୍ଡ ଚାମ୍ପିଅନସିପ ୨୦୨୦ରେ ସ୍ୱର୍ଣ୍ଣ ପଦକ ଜିତିବା କଥା ଶୁଣି ଖୁସି ଲାଗିଲା । ଆପଣ ଆଗକୁ ଆହୁରି ଉନ୍ନତି କରନ୍ତୁ” । ଏସମ୍ପର୍କରେ ରାଷ୍ଟ୍ରପତି ଭବନର ଆଧିକାରୀକ ଟ୍ୱିଟର ହ୍ୟାଣ୍ଡେଲରେ ସୂଚନା ଦିଆଯାଇଥିଲା ।
ହିନ୍ଦୁସ୍ଥାନ ଟାଇମ୍ସ ରିପୋର୍ଟ ମୁତାବକ, ଭାନୁ ପ୍ରକାଶ ଦିଲ୍ଲୀ ୟୁନିଭର୍ସିଟିର ସେଣ୍ଟ ଷ୍ଟିଫେନ୍ କଲେଜର ମ୍ୟାଥମେଟିକ୍ (ଅନର୍ସ) ଛାତ୍ର । ଯିଏକି ନିଜ ନାମରେ ୪ଟି ୱାଲ୍ଡ ରେକର୍ଡ୍ସ ଓ ୫୦ ଟି ଲିମକା ରେକର୍ଡ୍ସ ହାତେଇଛନ୍ତି ।
ଲଣ୍ଡନରେ ଆୟୋଜିତ ମାଇଣ୍ଡ ସ୍ପୋର୍ଟ୍ସ ଅଲମ୍ପିଆଡ୍ (ଏମଏସଓ) ୨୦୨୦ରେ ମେଣ୍ଟାଲ୍ କାଲକୁଲେସନ୍ ୱାର୍ଲ୍ଡ ଚାମ୍ପିଅନସିପରେ ୨୦ ବର୍ଷୀୟ ଭାନୁ ପ୍ରକାଶ ଆୱାର୍ଡ ଜିତିଛନ୍ତି । ଏହି ଇଭେଣ୍ଟ ପ୍ରତିବର୍ଷ ଲଣ୍ଡନରେ ଆୟୋଜିତ ହେଉଥିବା ବେଳେ ଚଳିତ ଥର ୧୩ଟି ଦେଶରୁ ପ୍ରାୟ ୩୦ ଜଣ ଜିନିୟସ୍ ପିଲା ଅଂଶ ଗ୍ରହଣ କରିଥିଲେ ।
ଏହାବ୍ୟତିତ ନ୍ୟୁଜ୍ ଏଜେନ୍ସି ଏଏନଆଇରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଏହା ପୂର୍ବରୁ ସବୁଠୁ ଦ୍ରୁତ ମାନବ କାଲକୁଲେଟରର ରେକର୍ଡ ସ୍କଟ ଫ୍ଲେନ୍ସବର୍ଗ ଓ ଶକୁନ୍ତଳା ଦେବୀଙ୍କ ଭଳି ମ୍ୟାଥ୍ ମାଷ୍ଟ୍ରୋଜ୍ଙ୍କ ନାମରେ ରହିଥିଲା ।
ଶକୁନ୍ତଳା ଦେବୀ ଯିଏକି ୧୯୮୦ ମସିହାରେ ଲଣ୍ଡନର ଇମ୍ପିରିୟର୍ କଲେଜରେ ୧୩ ଅଙ୍କ ବିଶିଷ୍ଟ ଦୁଇଟି ସଂଖ୍ୟାର ଗୁଣନଫଳକୁ ସମାଧାନ କରିବା ପାଇଁ ଶକୁନ୍ତଳା ଦେବୀଙ୍କୁ କୁହାଯାଇଥିଲା । ଯାହାକୁ ମାତ୍ର ୨୮ ସେକେଣ୍ଡରେ ସମାଧାନ କରିଥିଲେ ସେ । ଯେଉଁଥିରେ ସେ ଗିନିଜ୍ ବୁକ୍ ଅଫ୍ ୱାଲର୍ଡ଼ ରେକର୍ଡ଼ରେ ସ୍ଥାନ ପାଇଥିଲେ ।
ସେହିପରି ୧୯୭୭ ମସିହାରେ ଶକୁନ୍ତଳାଙ୍କ ଟକ୍କର କମ୍ପୁଟର୍ ‘ୟୁନିବେକ୍’ ସହିତ ହୋଇଥିଲା । ୨୦୧ ଅଙ୍କ ବିଶିଷ୍ଟ ଏକ ସଂଖ୍ୟାର ୨୩ ତମ ମୂଳ ସଂଖ୍ୟା ବାହାର କରିବା ପାଇଁ ସକୁନ୍ତଳାଙ୍କୁ ଟ୍ୟାକ୍ସ ଦିଆଯାଇଥିଲା । ଏହାକୁ ସେ ମାତ୍ର ୫୦ ସେକେଣ୍ଡରେ ସମାଧାନ କରି ଦେଇଥିଲେ ।