ଅଶି କୋଟି ଲୋକ ଭୋକିଲା !

ଦେଶର 80 କୋଟି ଲୋକ ଭୋକିଲା ! ମାନେ, ସେମାନେ ନିଜ ପାଇଁ ଦିନକୁ ଦୁଇ ଓଳି ମଧ୍ୟ ଖାଦ୍ୟ ଯୋଗାଡ଼ କରିବାକୁ ମଧ୍ୟ ଅକ୍ଷମ ! ନଭମ୍ବର ଯାଏଁ “ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା, PMGKY”ର ସଂପ୍ରସାରଣ ହିଁ ଏହା ସ୍ପଷ୍ଟ କରୁଛି । ତିନି ମାସ ଧରି ଚାଲିଥିବା ମାଗଣା ରାସନ୍ ଯୋଜନାକୁ ଆଉ 5 ମାସ ବଢାଇଛନ୍ତି ସରକାର । ସରକାରଙ୍କ ଏକମାତ୍ର ଲକ୍ଷ୍ୟ, ଦେଶରେ କେହି ଭୋକିଲା ନରୁହନ୍ତୁ । ପୂର୍ବ 3 ମାସରେ ଏଥି ପାଇଁ 60 ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଆଗାମୀ 5 ମାସ ପାଇଁ ଆଉ 90 ହଜାର କୋଟି, ଏମିତି ମୋଟ ଦେଢ଼ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବେ ସରକାର । ପୂର୍ବର ୟୁପିଏ ସରକାର ଯେତେବେଳେ ପ୍ରଥମେ ଖାଦ୍ୟ ସୁରକ୍ଷା ଆଇନ ଆଣିଥିଲେ, ତାର ପ୍ରାରମ୍ଭିକ ଅଟକଳ ଥିଲା 23 ହଜାର କୋଟି ଟଙ୍କା । ଏତେ ଟଙ୍କା କେଉଁଠୁ ଆସିବ… ସରକାର ତାହା ସ୍ପଷ୍ଟ କରିବା ଦାବିରେ, ବିରୋଧୀ ବହୁ ତମ୍ବି ତୋଫାନ କରିଥିଲେ । କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିରୋଧୀଙ୍କ ପାଇଁ ସେ ସୁଯୋଗ ରଖି ନାହାନ୍ତି । ମାଗଣା ରାସନ ଯୋଜନାର ସମସ୍ତ ଶ୍ରେୟ ତୁରନ୍ତ ଏ ଦେଶର ଚାଷୀ ଏବଂ ସଚ୍ଚୋଟ କରଦାତାଙ୍କୁ ଦେଇଛନ୍ତି । ସେ ଯାହା ବି ହେଉ, ମହାମାରୀ କରୋନା, ଅନେକ ଲୋକଙ୍କ ଜୀବୀକା ଛଡ଼ାଇ ନେଇଥିବା ବେଳେ ସେମାନଙ୍କ ମୁହଁରେ ଦାନା ମୁଠେ ଦେବା ବଡ଼ କଥା । ଯେତେବେଳେ କି ଦେଶର ଆର୍ଥିକ ସ୍ଥିତି ଦୁର୍ବଳ ଏବଂ କର ଆଦାୟ ଖୁବ୍ କମ୍ ରହିଛି, ସେତେବେଳେ ସରକାର ନେଇଛନ୍ତି ଏଭଳି ଏକ ଦୃଢ଼ ପଦକ୍ଷେପ । ଯାହାକୁ ବିଭିନ୍ନ ମହଲରୁ ସ୍ୱାଗତ କରା ଯାଇଛି । ଆଉ ଲୋକଙ୍କ ଖୁସି କହିଲେ ନସରେ ।
ୟୁପିଏ ସରକାର ଅମଳରେ ଆମେ, Feel good factor ବା ସୁଖାନୁଭବ ଶୁଣିଥିଲେ । ଅଚ୍ଛେ ଦିନ୍ ର ନାରା ଦେଇ ବିଜେପି କ୍ଷମତାକୁ ଆସିଲା । ପୁଣି ପ୍ରତିବର୍ଷ ଯୋଜନା ପରେ ଯୋଜନା ହେଉଛି । ଏ କଥା ସତ ଯେ, ବର୍ତ୍ତମାନର ପରିସ୍ଥିତି ଭିନ୍ନ । ଲକ୍ ଡାଉନ୍ ବେଳେ ଯେଉଁଭଳି ପରିସ୍ଥିତିରେ ଦେଶର ଶ୍ରମିକମାନେ ଭୋକ-ଉପାସରେ ଶହ ଶହ କିଲୋମିଟର ଚାଲି ନିଜ ଘରକୁ ଫେରିଲେ, ତାହା ସାରା ବିଶ୍ୱ ଦେଖିଛି । ଆଉ ତାହା ବୋଧେ, ସରକାରଙ୍କ ଆଖି ଖୋଲି ଦେଇଛି । ଯେଉଁଥି ପାଇଁ ସରକାର ମାଗଣା ରାସନ୍ ଯୋଜନାକୁ ଆଉ 5 ମାସ ବଢ଼ାଇଛନ୍ତି । ତଥାପି ସ୍ୱାଧୀନତାର 73 ବର୍ଷ ପରେ, 2020 ମସିହାରେ, ଆମକୁ ବୁଝିବାକୁ ପଡ଼ିବ ଯେ, ଦେଶର 130 କୋଟି ଲୋକଙ୍କ ମଧ୍ୟରୁ ଏବେ ବି 80 କୋଟି ଲୋକ, ନିଜ ପାଇଁ ଦିନକୁ ଦି’ ଓଳି ଦି’ ମୁଠା ଖାଦ୍ୟ ଯୋଗାଡ଼ କରିବାରେ ଅକ୍ଷମ !
ବଞ୍ଚି ରହିବା ପାଇଁ ଏ ସୃଷ୍ଟିର ସମସ୍ତ ଜୀବର ପ୍ରଥମ ଆବଶ୍ୟକତା ହେଉଛି, ଖାଦ୍ୟ । ମନୁଷ୍ୟ କ୍ଷେତ୍ରରେ ବସ୍ତ୍ର ଓ ବାସଗୃହ, ଆଉ ଦୁଇଟି ଅତିରିକ୍ତ ମୌଳିକ ଆବଶ୍ୟକତା ହୋଇଥିଲେ ମଧ୍ୟ ଖାଦ୍ୟ ହିଁ ହେଉଛି ସର୍ବ ପ୍ରଥମ । କିନ୍ତୁ ମଣିଷ ସୃଷ୍ଟିର ଏକମାତ୍ର ଜୀବ, ଯିଏକି ଅନ୍ୟ ଜୀବଜନ୍ତୁଙ୍କୁ ବ୍ୟବହାର କରି ଏବଂ ଅନ୍ୟ ଜନ୍ତୁଙ୍କ ଠାରୁ ନିଜର ସମସ୍ତ ଆବଶ୍ୟକତା ପୂରଣ କରିଥାଏ । ଯାହାକୁ ‘Animal Farm’ ପୁସ୍ତକରେ ବେଶ୍ ଭଲ ଭାବେ ବୁଝାଇ ଦେଇଛନ୍ତି, ଭାରତରେ ଜନ୍ମିତ ବ୍ରିଟେନ୍ ପ୍ରଶାସକ ତଥା ବିଶିଷ୍ଟ ଲେଖକ ଜର୍ଜ ଅରୱେଲ୍ । ଏ ସୃଷ୍ଟିର ସମସ୍ତ ଜୀବଙ୍କ ଠାରୁ ମଣିଷ ହେଉଛି ସବୁଠୁ ବୁଦ୍ଧିମାନ୍ । ଭଗବାନ, ମଣିଷକୁ ବୁଦ୍ଧିମାନ୍ କରିବାର ଏକମାତ୍ର ଉଦ୍ଦେଶ୍ୟ ହେଉଛି, ସୃଷ୍ଟିର ଅନ୍ୟ ଜୀବମାନଙ୍କର ଦାୟିତ୍ୱ ନେବା । କିନ୍ତୁ ମଣିଷ, ନିଜର ସ୍ୱାର୍ଥ ପାଇଁ ଅନ୍ୟ ଜୀବଙ୍କୁ ନିଜର ଦାସ ବନାଇଥିବା ବେଳେ ଏବେ ନିଜେ ସେହି ଜାଲରେ ଫସିବାକୁ ଯାଉଛି । ଅର୍ଥାତ୍ ସବୁ ଥାଇ ବି ଆମେ, ନିଜ ପେଟ ପାଇଁ ଅନ୍ୟର ହାତ ଟେକାକୁ ଟାକି ବସିଛେ । ଯାହା ସୂଚାଇ ଦେଉଛି, ଏବେ ବି ଆମମାନଙ୍କ ଭିତରୁ ଅଧିକାଂଶ ଲୋକ, ଜନ୍ ରସ୍କିନଙ୍କ “There is no such thing as a free lunch” କଥାର ମର୍ମ ବୁଝିବାକୁ ଅକ୍ଷମ । ଏଠି ପ୍ରଶ୍ନ ଉଠୁଛି, ମାଗଣା ଖାଇବା ବା କିଛି ମାଗଣା ପାଇବା ଲକ୍ଷ୍ୟରେ ଆମେ ଆମର ଅଧିକାର ହରାଇ ବସୁନେ ତ ?
ଏକଦା ଜର୍ମାନୀର ଏକଛତ୍ରବାଦୀ ନାଜି ଶାସକ, ଆଡଲଫ୍ ହିଟଲର୍, ଏକ ସଭାରେ ଗୋଟେ ଜୀବନ୍ତ କୁକୁଡ଼ାର ସମସ୍ତ ପକ୍ଷୀ ଉପାଡ଼ି ଦେଲେ । କଷ୍ଟରେ କୁକୁଡ଼ାଟି ଚିତ୍କାର କରୁଥାଏ । ତାର ଶରୀରରୁ କିଛି କିଛି ରକ୍ତ ବହୁଥାଏ । କିନ୍ତୁ ହିଟଲର୍ ସବୁ ପକ୍ଷୀ ବା ପର ଉପାଡ଼ି ଦେବା ପରେ ତାକୁ ଛାଡ଼ିଦେଲେ । ପକେଟରୁ କିଛି ଦାନା ବାହାର କରି ତଳେ ପକାଇଲେ । ଆଉ ତା ପରେ କୁକୁଡ଼ାଟି ଦାନା ଟୁଙ୍କିବାକୁ ଲାଗିଲା ଏବଂ ହିଟଲରଙ୍କ ପଛେ ପଛେ ଗୋଡ଼ାଇଲା ।
ଏହି ଘଟଣାକୁ ନେଇ ସଭାରେ ହିଟଲରଙ୍କ ଉଦବୋଧନ ଥିଲା ଏମିତି, “ଗଣତାନ୍ତ୍ରିକ ରାଷ୍ଟ୍ରର ଲୋକମାନେ ଠିକ୍ ଏହି କୁକୁଡ଼ା ଭଳି । ଧୀରେ ଧୀରେ ନେତାମାନେ ସେମାନଙ୍କୁ ଲୁଟନ୍ତି, ସେମାନଙ୍କୁ ପଙ୍ଗୁ କରି ଦିଅନ୍ତି । ଆଉ ଶେଷରେ ସେମାନଙ୍କୁ କିଛିଟା ରିଲିଫ୍ ଦେଇ, ସବୁଦିନ ପାଇଁ ନିଜର ବଶ କରି ନିଅନ୍ତି” । ଅର୍ଥାତ୍, “ଲୋକଙ୍କୁ ଏମିତି ଚିପୁଡ଼ି ଦିଅ ଯେ, ସେମାନେ କେବଳ ବଞ୍ଚିବାଟାକୁ ହିଁ ନିଜର ସୌଭାଗ୍ୟ ବୋଲି ଭାବିବେ” ।
ଏଠି କୌଣସି ରାଜନେତା କିମ୍ବା ସରକାରଙ୍କୁ ଆମେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷରେ ହିଟଲର୍ ବୋଲି ଆକ୍ଷେପ କରୁନାହୁଁ । କିନ୍ତୁ ବାଧ୍ୟ ହେଉଛୁ, ଲୋକଙ୍କ ନିକମ୍ମା ପଣିଆକୁ ସମାଲୋଚନା କରିବାକୁ । ଶିଳ୍ପ, କୃଷି, ବ୍ୟବସାୟ, ଶିକ୍ଷା… ସବୁ କ୍ଷେତ୍ର ପାଇଁ ସରକାର ଅନେକ ଯୋଜନା କରିଛନ୍ତି ଏବଂ ଆଗକୁ କରୁଥିବେ ମଧ୍ୟ । ସବୁ ଯୋଜନା ଆମମାନଙ୍କ ପାଇଁ । କିନ୍ତୁ ପରିତାପର ବିଷୟ, ଆମେ ସେସବୁ ଯୋଜନାର ସଠିକ୍ ଉପଯୋଗ କରି ସ୍ୱାବଲମ୍ବୀ ହେବା ପରିବର୍ତ୍ତେ, ପରୋକ୍ଷରେ ସେସବୁ ସରକାରଙ୍କ ବିଫଳତା ବୋଲି କହିବାକୁ ପଛାଉନେ । ଏଠି ଭୁଲ୍ କାହାର ? ସରକାରଙ୍କର ନା ଲୋକଙ୍କର ? ହୁଏତ କିଛି ଯୋଜନାରେ କିଛିଟା ତ୍ରୁଟି ଥାଇପାରେ । ସରକାରୀ କିମ୍ବା ପ୍ରାଶାସନିକ ସ୍ତରରେ କେହି ଅସୁବିଧା ସାମ୍ନା କରିଥାଇ ପାରନ୍ତି । କିନ୍ତୁ ସବୁଠାରୁ ବଡ଼ ତ୍ରୁଟି ହେଉଛି ଲୋକଙ୍କ ଠାରେ ସଚେତନତା ଏବଂ ଯୁକ୍ତାତ୍ମକ ମାନସିକତାର ଅଭାବ । ଯେଉଁଥି ପାଇଁ ସବୁ ଥାଇ ମଧ୍ୟ ସ୍ୱାବଲମ୍ବୀ ହେବା ପରିବର୍ତ୍ତେ ଆମେ ନିର୍ମୁଳି ଲତା ଭଳି ପରଜୀବୀ ହୋଇ ଯାଉଛେ ।
ଆମେରିକା ଲୋକଙ୍କୁ ସୁବିଧାରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ 2010ରେ ସେତେବେଳର ରାଷ୍ଟ୍ରପତି ବାରାକ୍ ଓବାମା ଆଣିଥିଲେ The Patient Protection and Affordable Care Act. । ଯାହାକୁ ଓବାମା କେୟାର୍ ବିଲ୍ କହି, ପ୍ରବଳ ବିରୋଧ କରାଯାଇଥିଲା । ରାଜନୈତିକ ଦୃଷ୍ଟିକୋଣରୁ ରିପବ୍ଲିକାନ୍ ସିନେଟର ଏବଂ ଗଭର୍ଣ୍ଣରମାନେ ଏହାକୁ ବିରୋଧ କରିଥିଲେ । କିନ୍ତୁ ବିଲ୍ ରେ ଥିବା “All Americans must have health insurance” ବ୍ୟକ୍ତିଗତ ନିର୍ଦ୍ଦେଶନାମାକୁ କିଛି ଡେମୋକ୍ରାଟ୍ ସିନେଟର ମଧ୍ୟ ବିରୋଧ କରିଥିଲେ । କାରଣ ପାଖାପାଖି ଅଧିକାଂଶ ଆମେରିକୀୟ ଚାହୁଁଥିଲେ, ସରକାର, ଲୋକଙ୍କ ପାଇଁ ସ୍ୱାସ୍ଥ୍ୟ ସୁବିଧା ଉପଲବ୍ଧ କରାନ୍ତୁ, କିନ୍ତୁ ସେମାନଙ୍କ ବ୍ୟକ୍ତିଗତ ସ୍ୱାସ୍ଥ୍ୟରେ ମୁଣ୍ଡ ନପୂରାନ୍ତୁ ।
ଆମେରିକାର ସ୍ଥିତି ଭିନ୍ନ । ସେଠାକାର ଓ ଏଠାକାର ରାଜନୈତିକ ଓ ଅର୍ଥନୈତିକ ସ୍ୱାସ୍ଥ୍ୟ ମଧ୍ୟରେ ଅନେକ ଫରକ୍ ରହିଛି । ନଚେତ୍ ନିର୍ବାଚନ ପୂର୍ବରୁ ଆମ ଦେଶରେ ଖାଦ୍ୟ ଓ ସ୍ୱାସ୍ଥ୍ୟକୁ ନେଇ ଆକର୍ଷଣୀୟ ଯୋଜନାମାନ ଘୋଷଣା ହୋଇ ନଥାନ୍ତା । ଜନମଙ୍ଗଳ ରାଷ୍ଟ୍ରରେ ଲୋକଙ୍କ ବିକାଶ ଏବଂ ସୁରକ୍ଷା, ସରକାରଙ୍କ ଦାୟିତ୍ୱ । କିନ୍ତୁ ଲୋକେ ଯଦି, ସେମାନଙ୍କ କର୍ତ୍ତବ୍ୟ ଭୁଲିଯାଇ କେବଳ ନିଜର ଅଧିକାର ଖୋଜି ଚାଲିବେ, ତେବେ ଯେତେ ଯୋଜନା କରାଗଲେ ମଧ୍ୟ ‘ବିକାଶ’ ବାଟବଣା ହେବା ନିଶ୍ଚିତ ।
କରୋନା ମହାମାରୀ ବଢ଼ି ଚାଲିଥିବା ବେଳେ ଅନଲକ୍-2 ଘୋଷଣା ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି । ଷଷ୍ଠ ଥର ପାଇଁ କରିଥିବା ଏହି ଉଦବୋଧନରେ 80 କୋଟି ଲୋକଙ୍କ ପାଇଁ ନଭେମ୍ବର ଶେଷ ଯାଏଁ ମାଗଣା ଖାଦ୍ୟ ବ୍ୟବସ୍ଥା ନିଶ୍ଚିତ କରାଇଛନ୍ତି । କିନ୍ତୁ ଯଦି, ପ୍ରଧାନମନ୍ତ୍ରୀଙ୍କ ପୂର୍ବ ଉଦବୋଧନ ଗୁଡ଼ିକ ସହ ଏଥରର ଉଦବୋଧନକୁ ତୁଳନା କରାଯାଏ, ତେବେ ଏଥର ପ୍ରଧାନମନ୍ତ୍ରୀ ଅଧିକ ବ୍ୟସ୍ତ-ବିବ୍ରତ ଲାଗୁଥିଲେ । ଯେଉଁଭଳି ଭାବରେ କରୋନା ମାଡ଼ି ମାଡ଼ି ଚାଲିଛି, ସେନେଇ ଅଧିକ ସତର୍କତା ଅବଲମ୍ବନ କରିବାକୁ ଦେଶବାସୀଙ୍କୁ କହୁଥିଲେ । କିନ୍ତୁ ଆମ ଦେଶର ଅଧିକାଂଶ ଗଣମାଧ୍ୟମକୁ “ମାଗଣା ରାସନ୍ ସଂପ୍ରସାରଣ” ଘୋଷଣା ଆଗ ଦେଖାଗଲା । ସରକାର ମଧ୍ୟ ଏନେଇ ଭଲ ବିଜ୍ଞାପନ ଦେଇଥିବା ବେ ଳେ ବିଜେପି ନେତା ଓ ମନ୍ତ୍ରୀ ଏଥିରୁ ମାଇଲେଜ୍ ନେବାରେ ବ୍ୟସ୍ତ । ତେଣୁ ଏଭଳି ସ୍ଥିତିରେ ଦେଶର 80 କୋଟି ଲୋକ ଚିନ୍ତା କରନ୍ତୁ, ସେମାନେ ଭାତ, ଡାଲି ନା ରୁଟି, ଡାଲି ଖାଇ କାଳକ ରହିବେ !
ଲେଖକ ଜଣେ ସାମ୍ବାଦିକ। ଏହି ଆଲେଖ୍ୟରେ ପ୍ରତିଫଳିତ ମନ୍ତବ୍ୟ ତାଙ୍କ ନିଜସ୍ଵ ଚିନ୍ତନ ଓ ଅନୁଶୀଳନ ଉପରେ ଆଧାରିତ। ତାଙ୍କ ମୋବାଇଲ୍ ନମ୍ବର: ୭୦୦୮୭୭୯୦୪୩