ଆଜି ଜନ୍ମମାଟିକୁ ଆସୁଛନ୍ତି ଦ୍ରୌପଦୀ ମୁର୍ମୁ : ବିଧାନସଭା ସମ୍ମିଳନୀ କକ୍ଷରେ ବିଧାୟକ ଓ ସାଂସଦଙ୍କୁ ଭେଟିବେ
ଭୁବନେଶ୍ୱର,(ଓଡ଼ିଶା ଟାଇମ୍):ଜନ୍ମମାଟି ଓଡ଼ିଶାରୁ ସମର୍ଥନ ମାଗିବା ପାଇଁ ଶୁକ୍ରବାର ଭୁବନେଶ୍ୱର ଆସୁଛନ୍ତି ଏନ୍ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ପୃଥକ୍ ଭାବେ ଭେଟିବେ ବିଜେଡି ଓ ବିଜେପିର ବିଧାୟକ ଏବଂ ସାଂସଦଙ୍କୁ । ରାଷ୍ଟ୍ରପତି ନିର୍ବାଚନରେ ସମର୍ଥନ କରିବାକୁ ଅନୁରୋଧ କରିବେ । ଦେଶର ସର୍ବୋଚ୍ଚ ପଦବୀରେ ବସିବାକୁ ଯାଉଥିବା ଓଡ଼ିଶା ମାଟିର ଝିଅଙ୍କୁ ଭବ୍ୟ ସ୍ୱାଗତ ଜଣାଇବା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ବିମାନବନ୍ଦରରୁ ରାଜ୍ୟ ଅତିଥି ଭବନ ଓ ବିଧାନସଭା ପର୍ଯ୍ୟନ୍ତ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବ ।
ଶୁକ୍ରବାର ସକାଳ ୮ଟା ୪୫ରେ ଶ୍ରୀମତୀ ମୁର୍ମୁ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ସେଠାରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବ। ଶ୍ରୀମତୀ ମୁର୍ମୁଙ୍କୁ ସ୍ୱାଗତ ପାଇଁ ଓଡ଼ିଶାର ପାରମ୍ପରିକ ଲୋକନୃତ୍ୟ, ବାଦ୍ୟରେ କମ୍ପିବ ବିମାନବନ୍ଦର ଅଞ୍ଚଳ । ବିମାନବନ୍ଦରରୁ ବିଧାନସଭା ପର୍ଯ୍ୟନ୍ତ ସ୍ୱାଗତ ପ୍ଲାକାର୍ଡ ଛାଇଯାଇଛି । ବିମାନବନ୍ଦରରୁ କଡ଼ା ସୁରକ୍ଷା ବଳୟରେ ସେ ସିଧା ଯିବେ ରାଜ୍ୟ ଅତିଥି ଭବନ । ସକାଳ ୧୦ଟା ୪୦ରେ ଯାଇ ପହଞ୍ଚିବେ ଓଡ଼ିଶା ବିଧାନସଭାରେ । ସେଠାରେ ପହଞ୍ଚିବା ମାତ୍ରେ ମନ୍ତ୍ରୀ, ବିଧାୟକ ଓ ସାଂସଦ ତାଙ୍କୁ ପାଛୋଟି ନେବେ ବିଧାନସଭାର ନୂଆ ସମ୍ମିଳନୀ କକ୍ଷକୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସେଠାରେ ବୈଠକ କାର୍ଯ୍ୟକ୍ରମ ଥିବା ଜଣାପଡ଼ିଛି । ବୈଠକରେ ବିଜେଡି ବିଧାୟକ, ସାଂସଦ ଉପସ୍ଥିତ ରହିବେ । ଶ୍ରୀମତୀ ମୁର୍ମୁ ସଭିଙ୍କ ସହଯୋଗ ପାଇଁ ଅନୁରୋଧ କରିବେ । ନବୀନ ମଧ୍ୟ ତାଙ୍କ ପାଇଁ ସମର୍ଥନ ମାଗିବେ ।
ବୈଠକ ପରେ ଶ୍ରୀମତୀ ମୁର୍ମୁର୍ ଯିବେ ରାଜ୍ୟ ଅତିଥି ଭବନ । ସେଠାରେ ବିଜେପି ବିଧାୟକ ଓ ସାଂସଦଙ୍କ ସହ ଆଲୋଚନା କରିବେ । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ଦଳର ପ୍ରମୁଖ ନେତାମାନେ ଉପସ୍ଥିତ ରହିବେ । ଏହି ବୈଠକ ପରେ ଶ୍ରୀମତୀ ମୁର୍ମୁ ନବୀନ ନିବାସ ଯିବା କାର୍ଯ୍ୟକ୍ରମ ରହିଛି । ମଧ୍ୟାହ୍ନ ଭୋଜନ ପରେ ଶ୍ରୀମତୀ ମୁର୍ମୁ ବିମାନ ଯୋଗେ ଦିଲ୍ଲୀ ଫେରିବାର କାର୍ଯ୍ୟକ୍ରମ ଥିବା ଜଣାପଡ଼ିଛି ।
ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିବା ପରେ ଓଡ଼ିଶାରେ ଖୁସିର ଲହରୀ ଖେଳିଯାଇଛି । ଦ୍ରୌପଦୀଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିଥିଲେ । ଦ୍ରୌପଦୀଙ୍କୁ ରାଷ୍ଟ୍ରପତି କରିବା ପାଇଁ ନବୀନ ଜୋରସୋରରେ ଲାଗି ପଡ଼ିଛନ୍ତି । ଓଡ଼ିଶାର ସବୁ ବିଧାୟକ ଓ ସାଂସଦଙ୍କୁ ନବୀନ ଅପିଲ କରିଛନ୍ତି । ନବୀନଙ୍କ ନିର୍ଦ୍ଦେଶରେ ବିଜେଡି ନେତାମାନେ କଂଗ୍ରେସ ବିଧାୟକ ଦଳ ନେତା, ପିସିସି ସଭାପତି ଓ ବିଧାୟକଙ୍କୁ ଭେଟି ଦ୍ରୌପଦୀଙ୍କ ପାଇଁ ଭୋଟ ଭିକ୍ଷା କରୁଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଦ୍ରୌପଦୀଙ୍କୁ ସମର୍ଥନ କରିବାକୁ ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲି ପୂର୍ବରୁ ଘୋଷଣା କରିଛନ୍ତି । ଗୁରୁବାର ବିଧାୟକ ପ୍ରଦୀପ ପାଣିଗ୍ରାହୀ ମଧ୍ୟ ଦ୍ରୌପଦୀଙ୍କୁ ସମର୍ଥନ କରିବେ ବୋଲି କହିଛନ୍ତି । କଂଗ୍ରେସ ସମେତ ସିପିଆଇ (ଏମ) ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କୁ ମଧ୍ୟ ନବୀନ ନିବେଦନ କରିଛନ୍ତି ।