କମ୍ ସମୟରେ ଘରକୁ କରନ୍ତୁ ସଫା ସୁତୁରା
ଭୁବନେଶ୍ୱର, (ଓଡିଶା ଟାଇମ୍): ସମସ୍ତେ ନିଜ ଘରକୁ ସଫା ସୁତୁରା ରଖିବା ପାଇଁ ଚାହିଁଥାନ୍ତି । ହେଲେ ଦୈନନ୍ଦିନ ଜୀବନରେ ବେଳେ ସମୟର ଅଭାବ ଦେଖାଦେଥାଏ । ଯାହାଫଳରେ ଚାହିଁଲେ ବି ଘରକୁ ଠିକ୍ ଭାବେ ସଫା ସୁତୁରା କରିହୁଏ ନାହିଁ ।
ଯଦି ଆପଣବି ବ୍ୟସ୍ତ ରହୁଛନ୍ତି ଓ କମ୍ ସମୟରେ ଘରକୁ ଭଲଭାବେ ସଫା କରିବାକୁ ଚାହୁଛନ୍ତି । ତାହେଲେ ଆପଣାନ୍ତୁ ଏହିସବୁ ଟିପ୍ସ . . .
ଘରକୁ ସଫା ରଖିବା ପାଇଁ ଅତିକମରେ ୩୦ ମିନିଟ୍ ସମୟ ହାତରେ ରଖନ୍ତୁ । ଏହି ସମୟରେ ଅନ୍ୟ କୌଣସି ଆଡେ ଧ୍ୟାନ ନଦେଇ ଧୀରସ୍ଥିର ମନରେ ସଫା ସୁତୁରା ଆରମ୍ଭ କରିଦିଅନ୍ତୁ ।
ସଫେଇ କାମ ନିଜ ରୁମରୁ ଆରମ୍ଭ କରନ୍ତୁ । ଏହାଛଡା ପ୍ରଥମେ ଖିଡକି ଓ କବାଟରୁ ଧୁଳିଧୁଳା ସଫା କରିନିଅନ୍ତୁ । ପରେ ସବୁ କୋଣରୁ ଜାଲ ସବୁକୁ ହଟାଇ ଦିଅନ୍ତୁ ଓ ପରିଶେଷରେ ଚଟାଣ ସଫା କରନ୍ତୁ ।
ଡଷ୍ଟବିନ ଭିତରେ କିଛି ପୁରୁଣା ଖବର କାଗଜ ବିଛାଇ ଦିଅନ୍ତୁ, ଯାହାଫଳରେ ଆବର୍ଜନା ଗୁଡିକ ତାହା ଭିତରେ ଲାଗିବନି କି ଆପଣଙ୍କୁ ବାରମ୍ବାର ଡଷ୍ଟବିନ୍ ଧୋଇବାକୁ ମଧ୍ୟ ପଡିବନି ।
ସେହିପରି ଟବ୍ କିମ୍ବା ବେସିନକୁ ଭଲଭାବେ ସଫା କରିବା ପାଇଁ ସେଥିରେ କିଛି ବାଥରୁମ୍ କ୍ଲିନର ପକାଇ କିଛି ସମୟ ଛାଡି ଦିଅନ୍ତୁ । ପରେ ଭଲଭାବେ ଧୋଇକି ସଫା କରନ୍ତୁ ଫରକ ଜାଣିପାରିବେ ।
ଏହାଛଡା ପର୍ଦ୍ଦା ଗୁଡିକୁ ସଫା କରିବା ଲାଗି ସମୟ ନଥିଲେ ଏକ ମୋଜାକୁ ଅଳ୍ପ ଓଦା କରନ୍ତୁ । ପରେ ଏହାକୁ ହାତରେ ପୂରାଇ ପର୍ଦ୍ଦା ଗୁଡିକୁ ଧିରେଧିରେ ସଫା କରନ୍ତୁ ଏବଂ ପରେ ମୋଜାକୁ ଧୋଇକି ସଫା କରିଦିଅନ୍ତୁ ।