ମଦର ହୋମ ଡେଲିଭରୀ: ଶୃଙ୍ଖଳିତ ମଦ୍ୟପାନ ଦିଗରେ ଗୋଟିଏ ପାଦ

ରୁଦ୍ର ପ୍ରସନ୍ନ ରଥ, ଧବଳଗିରି, ଯାଜପୁର ରୋଡ ୭୯୭୮୬୭୧୭୭୬

ରୋନା ସଂକ୍ରମଣର ଆଶଙ୍କାରେ ଆଶଙ୍କିତ ହୋଇ ସାରା ଦେଶ ଲକଡାଉନ ହୋଇ ଗତ ଦୁଇମାସ ହେଲା ଅସ୍ତବ୍ୟସ୍ତ ହୋଇପଡିଥିଲା । ଏହି ସମୟ ମଧ୍ୟରେ କରୋନାଛଡା ଯଦି ଅନ୍ୟ କୌଣସି ବିଷୟକୁ ନେଇ ଚର୍ଚ୍ଚା ହୋଇଛି ତାହା ହେଲା ମଦ୍ୟପାନକୁ ନେଇ । ଲକ୍‌ଡାଉନ୍ ସମୟରେ ମଦ ଦୋକାନ ବନ୍ଦ ଥିଲେ ବି ମଦ୍ୟପାନ ବନ୍ଦ ହୋଇନଥିଲା । ବରଂ ବିଭିନ୍ନ ସ୍ଥାନରେ ଲୋକ ୫ ଗୁଣ ଅଧିକ ଚଢା ଦରରେ ମଦ କିଣି ପିଉଥିବାର ଦେଖିବାକୁ ମିଳିଥିଲା । ଲକଡାଉନ୍ କୋହଳ ହୋଇଚାଲିଥିଲାବେଳେ ଯଦିଓ ଏବେଯାଏ ମଦ ଦୋକାନ ଏବଂ ବାର ସବୁ ଖୋଲିନାହିଁ ତେବେ ଓଡିଶା ପରି କିଛି ରାଜ୍ୟ ମଦକୁ ହୋମ ଡେଲିଭରୀ କରିବା ପାଇଁ ଅନୁମତି ଦେଇଛନ୍ତି । କିଛି ରାଜ୍ୟରେ ତ ମଦ ମୂଲ୍ୟରେ ୫୦% ଯାଏ ବୃଦ୍ଧି କରାଯାଇଛି ଆଉ ଏହି ବର୍ଦ୍ଧିତ ରାଶି କରୋନା ଚିକିତ୍ସାରେ ଲାଗିବ ବୋଲି କୁହାଯାଉଛି । ତେବେ ଅନେକ ସ୍ଥାନରେ ଏହି ମଦର ହୋମ ଡେଲିଭରୀ ଏଯାଏଁ ଫଳପ୍ରଦ ହୋଇନଥିବାବେଳେ ଏହାକୁ ନେଇ ପ୍ରବଳ ବିରୋଧାଭାସ ଦେଖାଦେଇଛି । ଦୀର୍ଘଦିନ ଧରି ଦେଶ ମଦ ବନ୍ଦ କରିଥିବାବେଳେ ଏବେ ଏହାକୁୁ ଖୋଲିବାର ଆବଶ୍ୟକତା ନଥିଲା ଏହାକୁ ଏବେ ଖୋଲି ଦେଇ ସରକାର ଏକ ଅନାବଶ୍ୟକ ପଦକ୍ଷେପ ନେଇଛନ୍ତି ବୋଲି ଚର୍ଚ୍ଚା ହେଉଛି । ମଦ ବନ୍ଦ ଥିବାବେଳେ କ୍ରମେ ଏହାକୁ ସଂପୂର୍ଣ୍ଣ ବନ୍ଦ କରିବାକୁ ପଦକ୍ଷେପ ନ ନେଇ ଏହାକୁ ପୁଣି ଥରେ ଆରମ୍ଭ କରିବାର ପଦକ୍ଷେପ ନେବାର ଅର୍ଥ ହେଉଛି ଏଇଆ ଯେ ସରକାର ନିଜେ ମଦ ବନ୍ଦ କରିବାକୁ ଆଗ୍ରହୀ ନୁହନ୍ତି । ଏଥିରୁ ସେମିତି ଅଧିକ ରାଜସ୍ୱ ମିଳୁନଥିଲେ ମଧ୍ୟ ସରକାର କିଛି ମଦବେପାରୀଙ୍କ ଆଗରେ ଲାଚାର ହୋଇ ଏହାକୁ ଜାରୀ ରଖିଛନ୍ତି ଯାହାକି ଏକ ସମାଜ ମଙ୍ଗଳ ରାଷ୍ଟ୍ରରେ ନିନ୍ଦନୀୟ ବୋଲି ସମାଜିକ ଗଣମାଧ୍ୟମରେ କଥା ଉଠିଛି । ମୋଟ୍ ଉପରେ କରୋନା କାଳରେ ମଦ ବିକ୍ରି ହେବା କଥା କି ନୁହେଁ ଏବଂ ମନ୍ଦିର ବନ୍ଦଥିବାବେଳେ ମଦ ବିକ୍ରି କୁ ସରକାର ଅନୁମତି ଦେଇ କେଉଁ ପ୍ରକାରର ମାନଦଣ୍ଡ ତିଆରି କରୁଛନ୍ତି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ଏ ବିଷୟରେ ଅଧିକ ଆଲୋଚନା କରିବା ପୂର୍ବରୁ ଆମେ ମଦ୍ୟପାନ ସମ୍ବନ୍ଧୀୟ କିଛି ତଥ୍ୟ ଉପରେ ନଜର ପକାଇବା ଉଚିତ୍ ହେବ । ଭାରତ ସରକାରଙ୍କର ତଥ୍ୟ ଅନୁଯାୟୀ ଭାରତରେ ପ୍ରାୟ ୧୬ କୋଟି ମଦ୍ୟପାନ କରୁଥିବା ଲୋକ ଅଛନ୍ତି । । ପ୍ରତିବର୍ଷ କେବଳ ମଦ୍ୟପାନ ଜନିତ ରୋଗରେ ୨,୬୦,୦୦୦ ଲୋକଙ୍କ ଜୀବନଯାଏ । ସେହି ହିସାବରେ ଦେଖିଲେ ପ୍ରତି ଘଂଟାରେ ପାଖାପାଖି ୨୯ ଜଣଙ୍କର ଜୀବନଯାଏ । ଏହି ୧୬ କୋଟି ମଦ୍ୟପାନକାରୀ ବର୍ଷକୁ ହାରାହାରୀ ୬ ଲିଟର ମଦ ପିଇଥାଆନ୍ତି । ଭାରତ ସରକାର ୨୦୧୯-୨୦ ବର୍ଷରେ ୧.୭୫ ଲକ୍ଷକୋଟି ଟଙ୍କାର ରଜସ୍ୱ ଆଦାୟ କରିଛନ୍ତି । ଯଦି ଭାରତର ସବୁ ମଦ୍ୟପାନକାରୀଙ୍କୁ ନେଇ ଗୋଟିଏ ରାଜ୍ୟ କରାଯାଏ ତେବେ ତାହା ଉତ୍ତର ପ୍ରଦେଶ ପରି ଆଉ ଏକ ବିଶାଳ ରାଜ୍ୟ ହେବ । ସଂଖ୍ୟା ଦୃଷ୍ଟିରୁ ଦେଖିବାକୁ ଗଲେ ଏହି ସଂଖ୍ୟା ସବୁ ମୁଣ୍ଡ ବୁଲାଇଦେଲା ପରି ।

ତେବେ ଭାରତରେ ମଦ୍ୟପାନକୁ ନେଇ ଯେଉଁ କେତୋଟି ଚିନ୍ତା ଜନକ କାରଣ ରହିଛି ତିାହା ହେଲା ୧. ମଦ୍ୟର ଅତ୍ୟାଧିକ ଦାମ, ( ଟିକସ, କଳାବଜାରୀ ଆଦି ପାଇଁ ଖାଉଟିକୁ ବୋତଲ ପିଛା ଉଲ୍ଲିଖିତ ମୂଲ୍ୟ ୫ ଟଙ୍କାରୁ ଆରମ୍ଭ କରି ୨୫ ଟଙ୍କା ଦେବାକୁ ପଡିଥାଏ ଯାହାକୁ କିଣି ସାରିଲାପରେ ବି ସେ କୌଣସି ରସିଦ୍ ପାଏ ନାହିଁ ୨. ଶୃଙ୍ଖଳିତ ମଦ୍ୟପାନର ଅଭାବ- ମଦ୍ୟପାନ କରି ରାସ୍ତାରେ ଗଡିବା, ଆଇନ୍ ଭାଙ୍ଗିବା,ରାସ୍ତାରେ ଗଡିବା ଏକ ସାଧାରଣ କଥା ହୋଇଥିବାରୁ ଲୋକ ସବୁବେଳେ ମଦ୍ୟପାନକରୁଥିବା ଲୋକକୁ ଅସମାଜିକ ବୋଲି ଭାବିଥାଆନ୍ତି ୩. ରାସ୍ତା ଦୁର୍ଘଟଣା- ରାସ୍ତା ଦୁର୍ଘଟଣାରେ ମୃତ୍ୟୁବରଣ କରୁଥିବା ଲୋକମାନଙ୍କ ମଧ୍ୟରୁ ୬୦%ରୁ ଉଦ୍ଦ୍ୱର୍ ଲୋକ ମୃତ୍ୟୁର ଦୁଇଘଂଟା ଆଗରୁ ମଦ ପିଇଥାଆନ୍ତି ବୋଲି ଜଣାପଡିଥାଏ ୪.ଯୌନ ନିର୍ଯ୍ୟାତନା ଏବଂ ଯୋଜନାବଦ୍ଧ ହିଂସାକାଣ୍ଡ ଅନେକ ସମୟରେ ଯୋଜନାବଦ୍ଧ ହିଂସାକାଣ୍ଡ ଆଦି ମଦ ପିଇବା ସମୟରେ ସଂଗଠିତ ହୋଇଥାଏ ବା ଏଥିପାଇଁ ବ୍ଲୁ ପ୍ରିଂଟ ପ୍ରସ୍ତୁତ ହୋଇଥାଏ । ୫. ଭେଜାଲ ମଦ ପ୍ରସ୍ତୁତି:- ଅରିଜିନାଲ ବା ପ୍ରକୃତ ମଦର ଦାମ ଅତ୍ୟଧିକ ହୋଇଥିବାରୁ ଗରୀବ ଶ୍ରେଣୀୟ ଲୋକ ଏହାକୁ ପିଇପାରନ୍ତି ନାହିଁ । ଏଣୁ ସେମାନେ ଶସ୍ତାରେ ଭେଜାଲ ମଦ ପ୍ରସ୍ତୁତ କରି ପିଅନ୍ତି ଏବଂ ଆଂଚଳିକ ସ୍ତରରେ ଏକ ବ୍ୟାପକ ର‌୍ୟାକେଟ୍ କାମ କରେ । ପୋଲିସ୍ ଅନେକ ସମୟରେ ଏପରି ର‌୍ୟାକେଟ୍ ମାନଙ୍କୁ ଧରିଥିବାର ଖବର ବାହାରେ ।

ନିଶା ସେବନ ଏକ ମନ୍ଦ ବ୍ୟବହାର ଏବଂ ଏହାକୁ ରୋକିବା ଦରକାର । ଆଉ ଏଥିପାଇଁ ସରକାର ହିଁ ପ୍ରାରମ୍ଭିକ ପଦକ୍ଷେପ ନେବା ଦରକାର । ବିହାର ଏବଂ ଗୁଜୁରାତରେ ଏ ନେଇ ଆଇନ୍ ଅଣାଯାଇ ଏହାକୁ ବ୍ୟାନ୍ କରାଯାଇଛି ଏବଂ ଏଥିରୁ ସୁଫଳ ମିଳୁଥିବା କଥା କୁହାଯାଉଛି । ଯଦିଓ ଏକଥା ବି କୁହାଯାଏ ଯେ ଏ ବ୍ୟାନ୍ କେବଳ ଲୋକ ଦେଖାଣିଆ ଆଉ ଆପଣ ଉପଯୁକ୍ତ ଅର୍ଥ ଖର୍ଚ୍ଚ କରିପାରିଲେ ନିଜ ମନପସନ୍ଦର ମଦ ପିଇବାକୁ ପାଇ ପାରିବେ । ତେବେ ଏହି ରାଜ୍ୟ ସରକାରମାନଙ୍କୁ ସାଧୁବାଦ ଦେବାକଥା କାରଣ ସେମାନେ ମଦ ବନ୍ଦ ପାଇଁ ଯେଉଁ ସାହାସ ଦେଖାଇଛନ୍ତି ତାହା କରିବାକୁ ଅନେକ ରାଜ୍ୟ ଏଯାଏ ସକ୍ଷମ ହୋଇ ନାହାନ୍ତି । ବରଂ ମଦର ପ୍ରଚାର ଏବଂ ପ୍ରସାର ବଢିବାକୁ ଅନେକ ରାଜ୍ୟ ନୀତିଗତ ନିଷ୍ୱତ୍ତି ନେଇ ନୂଆ ମଦ ଦୋକାନ ଖୋଲିବା ସହ ଏହାର ବିକ୍ରୀବଟାକୁ ବ୍ୟାପକ କରି ବେଶ୍ ଦୁଇପଇସା ଅର୍ଥ ରୋଜଗାର କରିପାରିଛନ୍ତି । ଏହାର ବଳିଷ୍ଠତମ ଉଦାହରଣରୂପେ ଓଡିଶା ସରକାରଙ୍କୁ ନିଆଯାଇପାରେ । ମାତ୍ର ଗୋଟିଏ ଦଶନ୍ଧି ଭିତରେ ଏହି ମଦ୍ୟ ବିକ୍ରୀ କରି ଓଡିଶା ସରକାର ନିଜ ରାଜସ୍ୱକୁ କେଇଶହ କୋଟିରୁ ନେଇ ୪୫୦୦ କୋଟିରେ ପହଁଚାଇ ସାରିଲେଣି । ଘର ପରେ ଘର ଉଜୁଡି ଗଲେ ବି ସରକାର ସେଥିରେ ନିଘା ଦେଉନାହାନ୍ତି ବରଂ ଅଧିକରୁ ଅଧିକ ରୋଜଗାର ନିଶାରେ ବୁଡି ରହିଛନ୍ତି । ଓଡିଶା ସରକାର ମଦ ବେପାରରୁ ୨୦୧୯-୨୦ରେ ୫୬୦୦ କୋଟି ଏକ୍ସାଇଜ ଏବଂ ଭ୍ୟାଟ୍ ହିସାବରେ ପାଇଥିବାବେଳେ ୨୦-୨୧ ଆର୍ଥିକ ବର୍ଷରେ ୬୬୦୦ କୋଟି କମାଇବାର ଲକ୍ଷ୍ୟ ରଖିଛନ୍ତି । ଗତ ଅଠର ବର୍ଷ ଭିତରେ ସରକାରଙ୍କର ରାଜସ୍ୱ ୨୪ ଗୁଣ ବଢିଛି ।

ତେବେ ଏହି ପ୍ରସଙ୍ଗରେ ଆଉ ଗୋଟିଏ ଗୁରୁତ୍ୱପୂର୍ଣର୍ କଥା ମୁଁ ଆଲୋଚନା ପରିଧିକୁ ଆଣିବାକୁ ଚାହେଁ ଯାହା ଆଜିଯାଏ ବିଶେଷ ଆଲୋଚନା ହୋଇନାହିଁ । ମଦ୍ୟପାନକାରୀଜଣଙ୍କ ସରକାରଙ୍କଠାରୁ ମଦ ପିଇ ଦେଶକୁ ମୋଟା ଅଙ୍କର ରାଜସ୍ୱ ଦିଏ । ତାର ସ୍ୱାସ୍ଥ୍ୟଜନିତ କ୍ଷତି ପାଇଁ ନିଜେ କଷ୍ଟ ସହେ । ରୋଗ ଯନ୍ତ୍ରଣା ଭୋଗେ, ମୃତ୍ୟୁ ମୁଖରେ ପଡେ, ଦୁର୍ଘଟଣାର ଶୀକାର ହୁଏ । ନିଜପାଇଁ ନିଜେ ଖର୍ଚ୍ଚକରେ । ତଥାପି ସେ ସମାଜଠାରୁ ସରକାରଙ୍କ ପାଖରୁ ସେ ପ୍ରଶଂସା ପାଏ ନାହିଁ । ଏହାର କାରଣ ହେଉଛି ଯେ ମଦ୍ୟପାନକୁ ଆମ ଦେଶରେ ଏକ ଘୃଣ୍ୟ କାଯ୍ୟବୋଲି ଧରାଯାଏ । ତେବେ ଏ ନେଇ ମଧ୍ୟ ଆମ ଦୃଷ୍ଟି କୋଣରେ ଫରକ ରହିଛି । ଆମେ ସହଜରେ ମଦୁଆ ରିକ୍ସା ବାଲା ବୋଲି କହିପାରୁଥିବାବେଳେ ବଡ ଲୋକଙ୍କୁ ମଦୁଆ କହିବାକୁ ଆମ ଜିଭ ଲେଉଟେ ନାହିଁ । ବରଂ ମଦ ବଡ ଲୋକଙ୍କର ସୌଖିନ ବ୍ୟବସ୍ଥାର ଏକ ଅଂଶବିଶେଷ ବୋଲି ଆମେ ମନେ କରୁ । ମଦଯେ ଉଭୟଙ୍କୁ ନିଶାଦିଏ ସେତେବେଳେ ଆମେ ଏକଥାକୁ ଭୁଲିଯାଇଥାଉ ।

ତେବେ ଯେବେଯାଏ ମଦ ବିକ୍ରୀକୁ ସଂପୂର୍ଣ୍ଣ ନିଷେଧ କରାନଯାଇଛି ଏହି ବ୍ୟବସ୍ଥାକୁ ସୁନିୟନ୍ତ୍ରିତ କରିବା ସରକାରଙ୍କର ବି ପ୍ରମୁଖ ଦାୟିତ୍ୱ ଏହା ଆମେ ସମସ୍ତେ ଭୁଲି ଯିବା ଉଚିତ୍ ନୁହେଁ । ମଦର ହୋମ ଡେଲୀଭରୀ ଏକ ବ୍ୟାପକ ପଦକ୍ଷେପ ଏବଂ ଏହା ସାମାଜିକ ମଦ୍ୟପାନକୁ ପ୍ରୋତ୍ସାହିତ କରିବ ବୋଲି ଏ ଲେଖକ ବିଶ୍ୱାସ କରନ୍ତି । ଏହି ବିଶ୍ୱାସ ପଛରେ ନିମ୍ନ ଲିଖିତ ତର୍କ ଦିଆଯାଇପାରେ । ୧. ମଦର ହୋମ ଡେଲିଭରୀ ହେଲେ ମଦ ଦୋକାନ ଆଗରେ ଅଯଥା ଗହଳି ଲାଗିବ ନାହିଁ । ଏହାଦ୍ୱାରା ସାମାଜିକ ଦୂରତା ଭାଙ୍ଗିବାର ଆଶଙ୍କା ନଥିବ । ୨. ମଦ୍ୟପାନ କରି ସାରିଲାପରେ ଘରକୁ ଗାଡି ଚଲାଇ ଫେରିବାର ଆଶଙ୍କା କମିଯିବ ଏବଂ ଏହାଦ୍ୱାରା ରାସ୍ତା ଦୁର୍ଘଟଣାରେ ପଙ୍ଗୁ ହେବା ଏବଂ ମୃତ୍ୟୁବରଣ କରିବା କମିଯିବ । ୩. ଯେହେତୁ ଘରେ ମଦ୍ୟପାନ କଲେ ଏକାଧିକ ଲୋକ ମିଳିତ ହେବାର ସୁଯୋଗ କମ୍ ତେଣୁ ସମ୍ମିଳିତ ଭାବେ ଅପରାଧ ପାଇଁ ବ୍ଳୁ ପ୍ରିଣ୍ଟ ପ୍ରସ୍ତୁତ କରିବାର ଆଶଙ୍କା କମିଯିବ । ୪. ଯେହେତୁ ଘରେ ମଦ ପିଇଲାବେଳେ ଛୋଟ ଛୁଆ ଏବଂ ବାପା ମା’ ଥିବେ ତେଣୁ ଜଣେ ଚାହିଁଲେ ବି ଅଧିକ ପିଇ ପାରିବ ନାହିଁ । ୫. ମଦ୍ୟପାନପରେ ସାଧାରଣତଃ ଲୋକମାନେ ଏକାଧିକ ସିଗାରେଟ୍ ମିଳିତଭାବେ ପିଇଥାଆନ୍ତି , ଘରେ ମଦ୍ୟପାନ କଲେ ଏହାମଧ୍ୟ କମିଯିବ । ୬. ମଦ୍ୟପାନ ପରେ ମହିଳାଙ୍କୁ ଖରାପ ନଜରରେ ଦେଖିବା କିମ୍ବା ଯୌନ ନିର୍ଯ୍ୟାତନା ଦେବା ମଧ୍ୟ କମିଯିବ । ୭. ପୁଣି ହୋମ ଡେଲିଭରୀ ମାଧ୍ୟମରେ ଲୋକ ନିର୍ଭେଜାଲ ମଦ ଉଚିତ୍ ରେଟ୍‌ରେ ପିଇବା ପାଇଁ ପାଇବ ଏବଂ ଏଥିପାଇଁ ଉପଯୁକ୍ତ ମୂଲ୍ୟ ମଧ୍ୟ ପାଇବ। ୮. ହୋମ ଡେଲିଭରୀରେ ରସିଦ୍ ମିଳୁଥିବାରୁ ଲୋକ ମୂଲ୍ୟଗତ ଠକାମୀର ଶିକାର ହେବ ନାହିଁ ଏବଂ ସରକାର ଉପଯୁକ୍ତ ଟିକସ ମଧ୍ୟ ପାଇ ପାରିବେ । ୯. ହୋମ ଡେଲିଭରୀ ଆଦି କାମ ପାଇଁ ଏକାଧିକ ବ୍ୟକ୍ତି ନିଯୁକ୍ତି ପାଇବେ ଯାହା ଫଳରେ ନିଯୁକ୍ତିର କ୍ଷେତ୍ର ପ୍ରସାରିତ ହେବ । ୧୦. ମଦ କିଣିବାପାଇଁ ଲୋକ ଯେପରି ଲାଇନ୍‌ରେ ଠିଆ ହେଉଥିଲେ ତାହା ନହେବାରୁ ଲୋକଙ୍କର ସମୟ ବଂଚିବ ଏବଂ ସେମାନଙ୍କର ସମାଜିକ ପ୍ରତିପିତ୍ତିରେ ମଧ୍ୟ ଆଂଚ ଆସିବ ନାହିଁ ।

ସାମାଜିକ ବା ଶୃଙ୍ଖଳିତ ମଦ୍ୟପାନ କାନକୁ ଶୁଣିବାପାଇଁ ନୂଆ ଲାଗୁଥିଲେ ମଧ୍ୟ ଏହା ୟୁରୋପପରି ମହାଦେଶରେ କାହିଁ କେତେ ଆଗରୁ ପ୍ରଚଳିତ । କାନଡା ପରି ଦେଶରେ ଏକ ନିଦ୍‌ିର୍ଷ୍ଟ ବୟସବର୍ଗରୁ ଉପରକୁ ହିଁ ମଦ୍ୟପାନ କରିବାକୁ ଅନୁମତି ମିଳିଥାଏ । ସେମାନେ ଏକ ନିର୍ଦ୍ଦିଷ୍ଟ ପରିମାଣର ମଦ ପିଇପାରିବେ ଏବଂ ମଦ୍ୟପାନ କରି ଗଣ୍ଡଗୋଳ କଲେ ସେମାନଙ୍କୁ ମଦ ବିକ୍ରି ନିଷେଧ ହୋଇଯାଏ । ସେମାନେ କେତେ ମଦ ପିଇନ୍ତି ତାହାର ହିସାବ ସରକାର ରଖନ୍ତି । ୟୁରୋପ ର ଅନେକ ଦେଶରେ ମଦ୍ୟପାନ ଏକ ସାମାଜିକ ବ୍ୟବସ୍ଥା ଯଦିଓ ଏହା ତଥାପି ମଦ୍ୟପାନଜନିତ ହିଂସାକୁ ରୋକପାରିନାହିଁ । ଅନେକ ବାରରେ ଏବଂ କ୍ଲବରେ ମଦ୍ୟପାନପରେ ଗଣ୍ଡଗୋଳର ଖବର ଆସେ ତେବେ ଏହା ମଦ୍ୟପାନକାରୀଙ୍କର ସାମାଜିକ ପ୍ରତିପିତ୍ତି ଉପରେ ଆଂଚ ଆଣେ ନାହିଁ ।

ଏସବୁ ସୁବିଧାକୁ ଦେଖିଲେ ଏହା ଶୃଙ୍ଖଳିତ ମଦ୍ୟପାନକୁ ପ୍ରଶୟ ଦେବ । ତେବେ ଏହାକୁ ପୂର୍ଣ୍ଣରୂପରେ କାର୍ଯ୍ୟକ୍ଷମ କରିବାକୁ ହେଲେ ଆଉ କେତେଗୋଟି ବଳିଷ୍ଠ ପଦକ୍ଷେପ ମଧ୍ୟ ନେବାକୁ ପଡିବ । ଯେପରି ୧. ବାର ଏବଂ କାଉଂଟରରେ ଲୋକଙ୍କୁ ମଦବିକ୍ରିୀ ବନ୍ଦ ହେବା ଦରକାର ୨. ବାହାରେ, ବାହଘର ପାର୍ଟିରେ କିମ୍ବା ମେଲୋଡି ଚାଲୁଥିବାବେଳେଲୋକ ମଦ୍ୟପାନ କଲେ ଏହାକୁ ଅପରାଧବୋଲି ଗ୍ରହଣ କରାଯାଉ ଏବଂ ଏପରି କରୁଥିବା ଲୋକଙ୍କୁ କଡାକଡି ଦଣ୍ଡ ଦିଆଯିବା ଦରକାର ।୩. ଢାବା ଆଦିରେ ମଦ୍ୟ ବିକ୍ରୟ ସଂପୂର୍ଣ୍ଣରୁପେ ବନ୍ଦ କରାଯାଉ ୪. ମଦ୍ୟପାନ କରୁଥିବା ଲୋକ ପଂଜିକରଣ କରାଯାଉ ଏବଂ ପ୍ରତ୍ୟେକଙ୍କ ପାଇଁ ଏକ ନିର୍ଦ୍ଦିଷ୍ଟ ପରିମାଣ ଧାର୍ଯ୍ୟ ହେଉ । ଧାର୍ଯ୍ୟ କୋଟାରୁ ଅଧିକ ପିଉଥିବା ଲୋକଙ୍କ ଠାରୁ ଅଧିକ ମୂଲ୍ୟ ହାସଲ କରାଯାଉ ୫. ଘରକୁ ମଦ ମଗାଇବା ପୂର୍ବରୁ ପରିବାରର ସଦସ୍ୟଙ୍କ ସହମତି ନିଆଯାଉ । ମହିଳାମାନେ ରାଜିନଥିଲେ ସେଘରକୁ ମଦ ବିକ୍ରୀ କରାନଯାଉ ୬. ପ୍ରତି୬ ମାସରେ ଏହି ହୋମ ଡେଲିଭରୀକୁ ନେଇ ସରକାର ପର୍ଯ୍ୟାଲୋଚନା ଏବଂ ପୁନଃବଲୋକନ କରନ୍ତୁ ୭. ଘରେ ମଦ ପିଇ ଗଣ୍ଡଗୋଳ କରୁଥିବା ଲୋକଙ୍କୁ ମଦ ଦେବା ଏବଂ ବିକିବାକୁ ଆଇନଗତଃ ଅପରାଧ ବୋଲି ବିବେଚନା କରାଯାଉ ।

ଶେଷ କରିବାବେଳେ ଏକଥା କହିବା ବେଶ୍ ସମୀଚିନ ଯେ ମଦ ବନ୍ଦର ବିକଳ୍ପ ନାହିଁ । ମଦବନ୍ଦ କରିବା ସରକାରଙ୍କର ପ୍ରକୃତ ଲକ୍ଷ ହେବା ଦରକାର । ହେଲେ ଯଦି ସରକାର ମଦ ବନ୍ଦ କରିବାକୁ ଏକଦମ ଲାଚାର ତାହା ହେଲେ ଏହି ହୋମ୍ ଡେଲିଭରୀ ବ୍ୟବସ୍ଥାକୁ ଏକ ସୁଯୋଗ ବୋଲି ନେଇ ଶୃଙ୍ଖଳିତ ମଦ୍ୟପାନକୁ ପ୍ରୋତ୍ସାହିତ କରିବା ଆବଶ୍ୟକ । ଏହି ନୂଆ ବ୍ୟବସ୍ଥାକୁ କେବଳ ଅର୍ଥ ରୋଜଗାର କିମ୍ବା କାଉଂଟରରେ ଭିଡ କମାଇବାର ଉପାୟବୋଲି ଗ୍ରହଣ ନକରି ଏହାକୁ ଶୃଙ୍ଖଳିତ ମଦ୍ୟପାନ ନିମନ୍ତେ ଗୋଟିଏ ସୋପାନ ବୋଲି ଗ୍ରହଣ କରାଯାଉ । ଏହି ବ୍ୟବସ୍ଥାକୁ ଆହୁରି ତଜମା କରି ଏହାକୁ ଆଗକୁ ଶକ୍ତିଶାଳୀ କରିବା ଦରକାର ।

Leave a Reply

Your email address will not be published.

%d bloggers like this: