ଶ୍ରୀମନ୍ଦିର କଥା-୧: କାହିଁକି ଓ କେମିତି ସ୍ଥାପନ ହେଲେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଅରୁଣସ୍ତମ୍ଭ

ସଦା ଜୀବନ୍ତ ଶ୍ରୀଜଗନ୍ନାଥ ମନ୍ଦିରର ପ୍ରତିଟି ପଥର ଗୋଟିଏ କାହାଣୀ କହେ। ଇତିହାସ, ସଂସ୍କୃତି ଓ ପରମ୍ପରାର ଖିଅ ଖୋଜିବା ବେଳେ ଆମ ଆଗରେ ମୂକ ସାକ୍ଷୀଟିଏ ପରି ଠିଆ ହୁଏ। କେତେବେଳେ ଏହା ଗୌରବର ଗାଥା ବହନ କରେ ତ ଆଉ କେତେବେଳେ ଆମ ଉତ୍କଳୀୟ କାରିଗରଙ୍କ କଳା ନୈପୁଣ୍ୟ। ପୁଣି କେତେବେଳେ ଆମ ଉପରେ ହୋଇଥିବା ଧର୍ମାନ୍ଧଙ୍କ ଆକ୍ରମଣର ଅଙ୍ଗେ ନିଭା କଥା ବଣ୍ଣନା କରେ। ଏହିକ୍ରମରେ ଶ୍ରୀମନ୍ଦିରର କୋଣ ଅନୁକୋଣ ବୁଲିବା ବେଳେ କାହିଁକି, କେତେବେଳେ କିଏ କ’ଣ ପାଇଁ ତାହା ତିଆରିଥିଲା ବା ସେହି ଅଙ୍ଗଟି ଶ୍ରୀମନ୍ଦିର ପାଇଁ କାହିଁକି ଜରୁରୀ ତାହା ସେଭଳି କିଛି ପ୍ରଶ୍ନ ଉଠିବା ସ୍ବଭାବିକ। ଆଉ ଏହି ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ଆମର ଏହି ସ୍ବତନ୍ତ୍ର ସିରିଜ୍ ଶ୍ରୀମନ୍ଦିର କଥା। ପ୍ରଥମେ ଆରମ୍ଭ କରିବା ଅରୁଣସ୍ତମ୍ଭରୁ।

ଅରୁଣସ୍ତମ୍ଭ ଶ୍ରୀଜଗନ୍ନାଥ ମନ୍ଦିରର ପୂର୍ବଦିଗରେ ସିଂହଦ୍ବାର ସମ୍ମୁଖରେ ଅବସ୍ଥିତ। ଏହା ଶ୍ରୀମନ୍ଦିରର ମୂଳ ଅଙ୍ଗ ନୁହେଁ। କିନ୍ତୁ ଗଲା ଅଢ଼େଇଶହ ବର୍ଷଧରି ଏହା ଶ୍ରୀମନ୍ଦିରର ପରିଚୟ ବହନ କରି ଆସିଛି। ହିନ୍ଦୁ ହୁଅନ୍ତୁ ବା ନହୁଅନ୍ତୁ, ସେ ଶ୍ରୀମନ୍ଦିରରେ ପ୍ରବେଶ କରନ୍ତୁ ବା ନକରନ୍ତୁ, ସମସ୍ତ ଶ୍ରୀଜଗନ୍ନାଥପ୍ରେମୀ ଏହି ସ୍ତମ୍ଭ ସହ ପରିଚିତ ଥିବେ ନିଶ୍ଚିତ। ସ୍ତମ୍ଭଟି ଗୋଟିଏ ମୁଗୁନି ପଥରରେ ନିର୍ମିତ। ଏକ ମୁଗୁନି ପଥରର ପୀଠ ଉପରେ ଏହାକୁ ସ୍ଥାପନ କରାଯାଇଛି। ସ୍ତମ୍ଭଟିର ଉଚ୍ଚତା ୨୫ ଫୁଟ ୨ ଇଞ୍ଚ। ପୀଠକୁ ମିଶାଇ ଶିଖର ଯାଏ ଉଚ୍ଚତା ମାପିଲେ ତାହା ୩୩ଫୁଟ ୭ ଇଞ୍ଚ ହେବ। ଗୋଲେଇ ୨ ଫୁଟ । ଭାରତୀୟ ପ୍ରତ୍ନତାତ୍ତ୍ଵିକ ସଂସ୍ଥାନ ବା ଏଏସ୍‌ଆଇ ରିପୋର୍ଟ ଅନୁସାରେ ଏହାର ଗୋଲେଇ ମୂଳରୁ ଚୂଳ ଯାଏ କ୍ରମଶଃ କମି କମି ଯାଇଛି। ଏହା ୧୨ କାନି ବିଶିଷ୍ଟ। ଅନ୍ୟ କିଛି ରିପୋର୍ଟରେ ଅରୁଣସ୍ତମ୍ଭକୁ ୧୬କାନି ବିଶିଷ୍ଟ ବୋଲି କୁହାଯାଇଛି। ସେମାନେ ଏହି ସ୍ତମ୍ଭକୁ ଶୋଳ ପହଳିଆ ସ୍ତମ୍ଭ ବୋଲି କହନ୍ତି। ସେହିଭଳି ଯେଉଁ ପୀଠଟି ନିମ୍ନଭାଗରେ ନିର୍ମିତ ତାହାର ଦୈର୍ଘ୍ୟ ସାଢ଼େ ଚାରିଫୁଟ ହୋଇଥିବାବେଳେ ପ୍ରସ୍ଥ ପ୍ରାୟ ଅଢ଼େଇଫୁଟ। ଏହି ପୀଠରେ ଅନେକ ଗାତ୍ର ରହିଛି। ଆଉ ସେଥିରେ ଖୋଦା ଯାଇଛନ୍ତି ଅନେକ କାରୁକାର୍ଯ୍ୟସମ୍ପନ୍ନ ମୂର୍ତ୍ତି। ଶିଖରରେ ରହିଛନ୍ତି ପ୍ରଭୁ ଅରୁଣ। ଯୋଡ଼ହସ୍ତ ମୁଦ୍ରାରେ ପ୍ରଭୁଙ୍କୁ ସେ ଅପେକ୍ଷା କରିଛନ୍ତି ଯେମିତି।

ଭିଡିଓ ଦେଖିବା ପାଇଁ କ୍ଲିକ୍‌ କରନ୍ତୁ: 

ଅରୁଣ ହେଉଛନ୍ତି ଋଷି କଶ୍ୟପ ଓ ତାଙ୍କ ପତ୍ନୀ ବିନତାଙ୍କ ପୁତ୍ର। ପୁରାଣ ବଣ୍ଣନା ଅନୁସାରେ ଋଷିପତ୍ନୀ ବନିତାଙ୍କ ଦୁଇପୁତ୍ର ଥିଲେ। ଜଣଙ୍କ ନାଁ ଅରୁଣ ଏବଂ ଅନ୍ୟଙ୍କ ନାଁ ଗରୁଡ଼। ଅରୁଣ ବଡ଼ ପୁଅ ଥିଲେ । ତାଙ୍କୁ ସୂର୍ଯ୍ୟଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥିଲା। ବ୍ରହ୍ମାଙ୍କ ଆଦେଶ ଫଳରେ ଅରୁଣ ସୂର୍ଯ୍ୟଙ୍କ ସାରଥୀ ହୋଇଥିଲେ। ତାଙ୍କ ସାନ ଭାଇ ହେଉଛନ୍ତି ଗରୁଡ଼। ଶ୍ରୀମନ୍ଦିର ଭିତରେ ଥିବା ନାଟ ମନ୍ଦିରରେ ଅବସ୍ଥିତ ଏକ ଜୀବାସ୍ମ ଶିଳାର ଉପରି ଭାଗରେ ଗରୁଡ଼ ଯୋଡ଼ହସ୍ତ ମୁଦ୍ରାରେ ଅବସ୍ଥାନ କରନ୍ତି। ଯେହେତୁ ଶ୍ରୀ ଜଗନ୍ନାଥଙ୍କୁ ସୂର୍ଯ୍ୟନାରାୟଣଙ୍କ ରୂପରେ ଉପାସକମାନେ ବିବେଚନା କରନ୍ତି ସେଥିଲାଗି ମନ୍ଦିର ବାହାରେ ଏହି ମୁଗୁନି ଶିଳା ଉପରେ ଅରୁଣ ଯୋଡ଼ହସ୍ତ ମୁଦ୍ରାରେ ରହିଛନ୍ତି।

ପ୍ରଶ୍ନ ହେଉଛି ଯଦି ଶ୍ରୀମନ୍ଦିରର ଏହା ମୂଳ ଅଙ୍ଗ ନୁହେଁ ତେବେ ଏଠାକୁ ଅରୁଣସ୍ତମ୍ଭ ଆସିଲା କିପରି?

ଉତ୍ତର ଖୋଜିବାଲାଗି ଆମକୁ ମରାଠାଙ୍କ ଶାସନକାଳକୁ ଫେରିବାକୁ ହେବ। ଶ୍ରୀମନ୍ଦିରରେ ଗଜପତି ଦିବ୍ୟସିଂହ ଦେବଙ୍କ ଅଙ୍କ ଚାଲିଥାଏ। ଏହା ୧୭୮୧ରୁ ୧୮୦୨ ମସିହା ଭିତରର କଥା। ଏହି ସମୟରେ ତାଙ୍କରି ନାଁରେ ନୀତି କାନ୍ତି ଆରମ୍ଭ ହେଉାଏ। କିନ୍ତୁ ବାସ୍ତବରେ ଶାସନ କରୁଥାଆନ୍ତି ମରାଠାଗୁରୁ ବ୍ରହ୍ମଚାରୀ ଗୋସାଇଁ। ଗୋସେଇଁଙ୍କ ଇଙ୍ଗିତରେ ଶ୍ରୀମନ୍ଦିରରେ ନୀତିକାନ୍ତିଠୁ ଆରମ୍ଭ କରି ପ୍ରଶାସନ ପରିଚାଳନା ହେଉଥାଏ। ପ

ରବର୍ତ୍ତୀ ସମୟରେ କଟକ ଜିଲ୍ଲାପାଳ ଭାବେ ଦାୟିତ୍ବ ତୁଲାଇଥିବା ଆଣ୍ଡ୍ରି୍ୟୁ ଷ୍ଟର୍ଲିଂ ଏ ବାବଦରେ ଏକ ବିବରଣୀ ରଖିଛନ୍ତି। ସେହି ଅନୁସାରେ ବ୍ରହ୍ମଚାରୀ ଗୋସାଇଁ ସେତେବେଳେ ବିତ୍ତଶାଳୀ ଓ ପ୍ରଭାବଶାଳୀ ଥିଲେ। ସେ କୋଣାର୍କରୁ ପୁରୀକୁ ଅରୁଣ ସ୍ତମ୍ଭକୁ ଉଠାଇ ଆଣିଥିଲେ। ତାଙ୍କରି ସମୟରେ ରତ୍ନ ସିଂହାସନର ମରାମତି ବି ହୋଇଥିଲା।

ସେତେବେଳେ ଗଜପତି ମହାରାଜା ଦିବ୍ୟସିଂହ ଦେବ ବି ଏଥିଲାଗି ସହମତି ପ୍ରଦାନ କରିଥିଲେ। ଯେହେତୁ କୋଣାର୍କର ସୂର୍ଯ୍ୟମନ୍ଦିର ଭାଙ୍ଗିରୁଜି ଅବହେଳିତ ହୋଇପଡ଼ି ରହିଥିଲା, ସେଠାକୁ କେହି ଯାଉ ନଥିଲେ। ମନ୍ଦିର ଆଗରେ ଥିବା ଏହିସ୍ତମ୍ଭଟିକୁ ପୁରୀ ଆଣିବାକୁ ସେ ଚାହିଁଥିଲେ। ପୁଣି ପ୍ରଭୁ ଶ୍ରୀ ଜଗନ୍ନାଥ ସ୍ଵୟଂ ସୂର୍ଯ୍ୟ ନାରାୟଣ ହୋଇଥିବାରୁ ତାଙ୍କରି ସେବାରେ ଅରୁଣଙ୍କୁ ସ୍ଥାପନା କରିବାକୁ ଚାହିଁଥିଲେ ଦିବ୍ୟସିହ ଦେବ।

ଏହାଛଡ଼ା ସେ ସମୟରେ ପୁରୀ ଶ୍ରୀମନ୍ଦିରର ମରାମତି ତଥା ରତ୍ନ ସିହାସନ ପାଇଁ ଆବଶ୍ୟକ ଶିଳା କୋଣାର୍କରୁ ଅଣାଯାଇଥିଲା। ଏପରିକି ଦିବ୍ୟସିଂହ ଦେବ କୋଣାର୍କରୁ ସମସ୍ତ ମୂଲ୍ୟବାନ ଓ ଅକ୍ଷତ ଅଂଶକୁ ପୁରୀ ଆଣିବାକୁ ଚାହିଁଥିଲେ ବୋଲି କିଛି ଇଂରାଜୀ ଐତିହାସିକ ବଣ୍ଣନା କରିଛନ୍ତି।

ଏବେ ଏହାର ଅବସ୍ଥା କିପରି ଅଛି ସେ ବିଷୟରେ ଜାଣିବା। ଅରୁଣ ସ୍ତମ୍ଭର ପ୍ରତ୍ୟକ୍ଷ ରକ୍ଷଣାବେକ୍ଷଣ ଭାରତ ସରକାରଙ୍କ ପ୍ରତ୍ନତତ୍ତ୍ବ ସଂରକ୍ଷଣ ସଂସ୍ଥା ଆତରେ ନ୍ୟସ୍ତ। ନିକଟରେ ପ୍ରକାଶିତ ବିବରଣୀ ଅନୁସାରେ ଏହି ସ୍ତମ୍ଭ ସମ୍ପୂଣ୍ଣ ନିରାପଦ ରହିଛି। ଅଢ଼େଇ ଶହ ବର୍ଷ ଖରା ବର୍ଷାରେ ରହିଲେ ବି ଏହା ଏଯାଏ ଅକ୍ଷତ ରହିଛି। କିଛି ଯୋଡ଼େଇ ସ୍ଥାନରେ ପୁଣିଥରେ ପ୍ଲାଷ୍ଟର ଆବଶ୍ୟକ ବୋଲି ରିପୋର୍ଟରେ ମତ ପ୍ରକାଶ ପାଇଛି। ଆର ଥରକୁ ସିଂହଦ୍ବାର କଥା କହିବି। କେମିତି ଏ ସିଂହଦ୍ବାରକୁ ମୋଗଲ ସମୟରେ ଖୋଦ୍ ରାଜା ଭାଙ୍ଗିଦେବାକୁ ଆସିଥିଲେ ସେ ବିଷୟରେ ଜଣାଇବି। ପଢ଼ୁଥାଆନ୍ତୁ ଶ୍ରୀମନ୍ଦିର କଥା। ( ଆଲେଖ୍ୟ: ହରିହର ପଣ୍ଡା) 

Leave a Reply

Your email address will not be published. Required fields are marked *