ଇତିହାସ ରଚିଲେ ନୀରଜ ଚୋପ୍ରା, ଦେଶର ପ୍ରଥମ ଆଥଲେଟ୍ ଭାବେ ଅଲିମ୍ପିକ୍ସରେ ଜିତିଲେ ସ୍ଵର୍ଣ୍ଣ

ଟୋକିଓ, (ଓଡିଶା ଟାଇମ୍): ଇତିହାସ ରଚିଲେ ନୀରଜ ଚୋପ୍ରା। ଜାଭେଲିନ ଫିଙ୍ଗାରେ ଜିତିଲେ ସ୍ଵର୍ଣ୍ଣ।  ଭାରତର ପ୍ରଥମ ଆଥଲେଟ୍ ଭାବେ ଅଲିମ୍ପିକ୍ସରେ ସ୍ଵର୍ଣ୍ଣ ପଦକ ଜିତି ରଚିଲେ ସ୍ଵର୍ଣ୍ଣିମ ଅଧ୍ୟାୟ। ଏଥିସହ ଚଳିତ ଅଲିମ୍ପିକ୍ସରେ ଭାରତକୁ ପ୍ରଥମ ସ୍ଵର୍ଣ୍ଣ ପଦକ ମିଳିଛି। ଟୋକିଓ ଅଲିମ୍ପିକ୍ସରେ ପୁରୁଷ ଜାଭେଲିନ ପ୍ରତିଯୋଗିତାରେ ଯୋଗ୍ୟତା  ପର୍ଯ୍ୟାୟ ରାଉଣ୍ଡରେ ଯେଉଁଭଳି ପ୍ରଦର୍ଶନ କରିଥିଲେ ଫାଇନାଲ୍‌ରେ ତାଠୁ ଅଧିକ ଭଲ ପ୍ରଦର୍ଶନ କରିଛନ୍ତି ନୀରଜ। ସୁଟର ଅଭିନବ ବିନ୍ଦ୍ରାଙ୍କ ପରେ ବ୍ୟକ୍ତିଗତ ପ୍ରତିଯାେଗିତାରେ ନୀରଜ ଚୋପ୍ରା ଗୋଲ୍ଡ ଜିତି ରେକର୍ଡ କରିଛନ୍ତି।

ପ୍ରଥମ ପ୍ରୟାସରେ ନୀରଜ ୮୭.୦୩ ମିଟର ଫିଙ୍ଗି ଥିଲେ। ଏହା ପରେ ଦ୍ଵିତୀୟ ପ୍ରୟାସରେ ନିଜର ଦମଦାର ପ୍ରଦର୍ଶନକୁ ଦୋହରାଇ ୮୭.୫୮ ମିଟର ଫିଙ୍ଗିଥିଲେ। ତୃତୀୟ ପ୍ରୟାସରେ ସେ ୭୬.୭୯ ମିଟର ଫିଙ୍ଗିଥିଲେ। ନୀରଜଙ୍କ ୮୭.୫୮ ମିଟର ଫାଇନାଲରେ ଶୀର୍ଷରେ ଥିଲା। ଏଥିସହ ପ୍ରତିପକ୍ଷ ଖେଳାଳିଙ୍କ ବହୁ ପଛରେ ପକାଇ ପ୍ରଥମ ସ୍ଥାନ ହାସଲ କରିଥିଲେ ନୀରଜ। ତାଙ୍କର ଏହି ସଫଳତା ପରେ ଭାରତ ନିଜର ଅଲିମ୍ପକ୍ସ ଇତିହାସରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛି। ଏଥିସହ ଟୋକିଓ ଅଲିମ୍ପିକ୍ସରେ ଭାରତ ୭ଟି ପଦକ ଜିତିବାରେ ସଫଳ ହୋଇଛି। ଭାରତ ଖାତାରେ ଗୋଟିଏ ସ୍ଵର୍ଣ୍ଣ, ଦୁଇଟି ରୌପ୍ୟ ଓ ଚାରୋଟି କାଂସ୍ୟ ପଦକ ଆସିଛି। ଲଣ୍ଡନ ଅଲିମ୍ପିକ୍ସରେ ଭାରତ ୨ଟି ରୌପ୍ୟ ଓ ଚାରି କାଂସ୍ୟ ଜିତିଥିଲା।

ଏହା ପୂର୍ବରୁ ଯୋଗ୍ୟତା ପର୍ଯ୍ୟାୟରେ ନିଜର ପ୍ରଥମ ପ୍ରୟାସରେ ୮୬.୬୫ ମିଟରର ଥ୍ରୋ କରି ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ ନୀରଜ। ନିଜର ପୂର୍ବ ସଫଳତାକୁ ଫାଇନାଲରେ ଦୋହରାଇ ପ୍ରଥମ ଆଥଲେଟ୍ ହିସାବରେ ଦେଶ ପାଇଁ ପ୍ରଥମ ସ୍ଵର୍ଣ୍ଣ ପଦକ ଜିତିଛନ୍ତି ନୀରଜ। ବ୍ୟକ୍ତିଗତ ହିସାବରେ ୨୦୦୮  ବେଜିଂ ଅଲିମ୍ପିକ୍ସରେ ସୁରଟ ଅଭିନବ ବିନ୍ଦ୍ରା ସ୍ଵର୍ଣ୍ଣ ପଦକ ଜିତିଥିଲେ। ଏଥିସହ ଦ୍ଵିତୀୟ ଖେଳାଳି ଭାବେ ବ୍ୟକ୍ତିଗତ ପ୍ରତିଯୋଗିତାରେ ନୀରଜ ଚୋପ୍ରା ସ୍ଵର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି।

ସବୁଠୁ ବଡ କଥା ନୀରଜ ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡରେ ୨୦୧୭ର ବିଶ୍ଵ ଚାମ୍ପିଅନ ଜୋହାନେସ ଓ୍ଵେଟରଙ୍କୁ ହରାଇ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ। ଅଲିମ୍ପିକ୍ସ ଇତିହାସରେ ଭାରତ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ବି ଆଥଲେଟ୍ ଟ୍ରାକ୍ ଆଣ୍ଡ ଫିଲ୍ପ ପ୍ରତିଯୋଗିତାରେ ପଦକ ଜିତି ନଥିଲେ। ଜାଭେଲିନ ଫିଙ୍ଗାଳି ନୀରଜ ଚୋପ୍ରା ୧୦୦ ବର୍ଷ ମରୁଡିର ଅନ୍ତ ଘଟାଇ ସ୍ଵର୍ଣ୍ଣ ପଦକ ଜିତିବାରେ ସଫଳ ହୋଇଛନ୍ତି।

Leave a Reply

Your email address will not be published. Required fields are marked *