ଦୁଇ ଦିନ ପରେ ମନମୋହନଙ୍କ ପାଇଁ ବାହାରିଲେ

ଦୁଇ ଦିନ ତଳେ କଂଗ୍ରେସର ଭିର୍ଚୁଆଲ୍ ବୈଠକରେ ବୁଢା-ଟୋକା ଲଢ଼େଇ ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପାଇଁ ଆଗକୁ ଆସିଲେ ଦଳର ଛାମୁଆ ନେତା । ୟୁପିଏ ସରକାରରେ ମନ୍ତ୍ରୀ ଥିବା ମନୀଷ ତିୱାରୀ, ମିଲିନ୍ଦ ଦେଓରା, ଆନନ୍ଦ ଶର୍ମା, କେରଳ ସାଂସଦ ଶଶି ଥରୁର୍ ଏବଂ ଆନନ୍ଦ ଶର୍ମା ପ୍ରମୁଖ ମନମୋହନ ସିଂହଙ୍କ ସପକ୍ଷରେ ବାହାରିଛନ୍ତି ।

ଯୁବନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟପ୍ରଦେଶ ସରକାରକୁ ଭାଙ୍ଗି ଦେଇ ବିଜେପିରେ ମିଶିଥିବା ବେଳେ ଏବେ, ସଚିନ୍ ପାଇଲଟଙ୍କ ପାଇଁ ରାଜସ୍ଥାନରେ ଅନୁରୂପ ପରିସ୍ଥିତି ସୃଷ୍ଟି ହୋଇଛି । ଏଭଳି ସ୍ଥିତିରେ କଂଗ୍ରେସ କନ୍ଦଳକୁ ପ୍ରଶମିତ କରିବା ଲକ୍ଷ୍ୟରେ ଗତ ଗୁରୁବାର ଅଧ୍ୟକ୍ଷା ସୋନିଆ ଗାନ୍ଧି, ଭିର୍ଚୁଆଲ୍ ବୈଠକ ଡାକିଥିଲେ । ଯେଉଁଠି ବରିଷ୍ଠ ନେତାଙ୍କୁ ଟାର୍ଗେଟ୍ କରିଥିଲେ ଯୁବ ନେତାମାନେ । ଦଳର ନବ ନିର୍ବାଚିତ ରାଜ୍ୟସଭା ସଦସ୍ୟ ରାଜୀବ ସତାଭ୍ ସିଧାସଳଖ, ମନମୋହନଙ୍କ ନେତୃତ୍ୱରେ ଥିବା ୟୁପିଏ-2 କ୍ୟାବିନେଟକୁ ଟାର୍ଗେଟ୍ କରିଥିଲେ । କହିବାକୁ ଗଲେ, ସେ ସିଧାସଳଖ ମନମୋହନଙ୍କ ଉପରକୁ ଅଙ୍ଗୁଳି ଉଠାଇଥିଲେ ସେ । କିନ୍ତୁ 4 ଘଣ୍ଟାର ଭିର୍ଚୁଆଲ୍ ବୈଠକରେ କିଛି ବି କହି ନଥିଲେ ମନମୋହନ ସିଂହ । ତେବେ ଦୁଇ ଦିନ ପରେ ମନମୋହନଙ୍କ ପାଇଁ ସାମ୍ନାକୁ ଆସିଛନ୍ତି ଦଳର କିଛି ବରିଷ୍ଠ ଓ ତୁଙ୍ଗ ନେତା । 

“ୟୁପିଏ-2 ସରକାରର ପତନ ପରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଛାଡ଼ିବା ପୂର୍ବରୁ ମନମୋହନ କହିଥିଲେ ଯେ, ଇତିହାସ ତାଙ୍କ ପାଇଁ ସର୍ବଦା ଦୟା ପରବଶ ରହିବ । କିନ୍ତୁ ତାଙ୍କ ଉପସ୍ଥିତିରେ ଦେଶ ପ୍ରତି ତାଙ୍କ ସେବାକୁ ତାଙ୍କ ଦଳର ନେତା ହିଁ ତୁଚ୍ଛ କରି ଦେଉଛନ୍ତି” । ଏମିତି କାହିଁକି ହେଉଛି ବୋଲି ପ୍ରଥମେ ଟ୍ୱିଟ୍ କରିଥିଲେ ମିଲିନ୍ଦ ଦେଓରା । ଆଉ ତା ପରେ ଟ୍ୱିଟରରେ ମନୀଷ ତିୱାରୀ, ଆନନ୍ଦ ଶର୍ମା ଓ ଶଶି ଥରୁର୍ ପ୍ରମୁଖ ନେତା ମନମୋହନଙ୍କ ସମର୍ଥନରେ ବାହାରିଛନ୍ତି । “କଂଗ୍ରେସରେ କନ୍ଦଳ ବଢ଼ି ଚାଲିଥିବା ବେଳେ ବର୍ତ୍ତମାନ ଏକତାର ଆବଶ୍ୟକତା ରହିଛି । କିନ୍ତୁ ଦଳ ଫାଳ ଫାଳ ହେବାରେ ଲାଗିଛି” । ଏମିତି କହି, ବିଜେପିର ଉଦ୍ଦାହରଣ ଥୋଇଛନ୍ତି ମନୀଷ ତିୱାରୀ । “2004ରୁ 2014 ପର୍ଯ୍ୟନ୍ତ ବିଜେପି ମଧ୍ୟ 10 ବର୍ଷ କ୍ଷମତାରେ ନଥିଲା । କିନ୍ତୁ କୌଣସି ଜଣେ ବି ବିଜେପି ନେତା ଦଳ ବିରୋଧରେ କିମ୍ବା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱକୁ ସମାଲୋଚନା କରି ନଥିଲ” । କିନ୍ତୁ କାହିଁକି, କଂଗ୍ରେସରେ ଏମିତି ହେଉଛି ବୋଲି ଟ୍ୱିଟ୍ କରିଛନ୍ତି ମନୀଷ ତିୱାରୀ । “ଦେଶ ପ୍ରତି ୟୁପିଏର ଅବଦାନକୁ ନେଇ ପ୍ରତିଟି କଂଗ୍ରେସ ନେତା ଓ କର୍ମୀ ଗର୍ବ କରିବା ଉଚିତ୍ । କାରଣ ଦେଶପ୍ରତି, ୟୁପିଏର ଅବଦାନ କଣ ରହିଛି, ତାହା ଦେଶବାସୀ ଭଲ ଭାବେ ଜାଣିଛନ୍ତି । କେବଳ ବିଜେପିକୁ ଛାଡ଼ିଦେଲେ, ଅନ୍ୟ ସମସ୍ତେ ୟୁପିଏର ଅବଦାନକୁ ପ୍ରଶଂସା କରୁଥିବା” କହିଛନ୍ତି ପୂର୍ବତନ ମନ୍ତ୍ରୀ ଆନନ୍ଦ ଶର୍ମା । 

2014 ପରଠାରୁ କଂଗ୍ରେସରେ ନେତୃତ୍ୱର ଅଭାବ ଲାଗି ରହିଛି । ସୋନିଆ ଗାନ୍ଧି କିମ୍ବା ରାହୁଲ ଗାନ୍ଧି ଗ୍ରହଣୀୟ ହୋଇ ପାରୁ ନଥିବା ବେଳେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରର ବିଫଳତାକୁ ସଠିକ୍ ଭାବେ ଟାର୍ଗେଟ୍ କରିପାରୁନି ଦଳ । ଏଭଳି ସ୍ଥିତିରେ ବ୍ୟାପକ ଆଲୋଚନା ଓ ଆତ୍ମସମୀକ୍ଷା ମାଧ୍ୟମରେ ଦଳ ଅଧିକ ସଂଗଠିତ ହେବାର ଆବଶ୍ୟକତା ରହିଛି । କିନ୍ତୁ ତାହା ବଦଳରେ ଦଳର କନ୍ଦଳ ବଢ଼ି ବଢ଼ି ଚାଲିଛି । ଯାହା ସିଧାସଳଖ ବିଜେପିକୁ ସୁହାଉଛି ।

Leave a Reply

Your email address will not be published.