ଲଘୁଚାପ ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ଆଶଙ୍କା
ଭୁବନେଶ୍ବର , (ଓଡିଶା ଟାଇମ୍) : ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରେ ସୃଷ୍ଟ ସାଇକ୍ଲୋନିକ ସର୍କୁଲେସନ ଲଘୁଚାପର ରୂପ ନେବ ଓ ଉତ୍ତରପଶ୍ଚିମ ଦିଗରେ ଗତି କରିବ ବୋଲି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଜ୍ଞାନ ଗବେଷଣା କେନ୍ଦ୍ର ଆଇଏମଡି ।
ଏହାର ପ୍ରଭାବରେ ଦକ୍ଷିଣ ଓଡିଶା ଓ ଉପକୂଳ ଓଡିଶାର ଜିଲ୍ଲାଗୁଡିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ସର୍ତକ ରହିବାକୁ ଜିଲ୍ଲାପାଳମାନଙ୍କୁ ଏକ ପତ୍ର ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ।
ଯେ କୌଣସି ପରିସ୍ଥିତିର ମୁକାବିଲା କରିବାକୁ ପ୍ରସ୍ତୁତ ରହିବାକୁ ଚିଠିରେ କୁହାଯାଇଛି । ଏବଂ ବର୍ତ୍ତମାନ ସମୟ ପାଇଁ ମତ୍ସଜୀବୀମାନେ ସମୁଦ୍ର ଭିତରକୁ ନଯିବା ନେଇ ପରାମର୍ଶ ଦିଆଯାଇଛି । ଏଥିସହ ବୃଷ୍ଟିପାତର ପରିମାଣ ସମ୍ପର୍କରେ ରିପୋର୍ଟ କରିବାକୁ କୁହାଯାଇଛି । ତେବେ ଏହି ଲଘୁଚାପ ବାତ୍ୟାରେ ପରିବର୍ତନ ହେବାର ଆଶଙ୍କା କମ ରହିଛି ବୋଲି ପାଣିପାଗ ବିଭାଗ କହିଛି ।
ସେହିଭଳି ଦିନେ କି ଦୁଇ ଦିନ ମଧ୍ୟରେ ଓଡିଶା ଛୁଇଁବ ମୌସୁମୀ । ଏଭଳି ଆକଳନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ନିର୍ଦ୍ଦେଶକ ଏଚଆର ବିଶ୍ୱାସ ଏନେଇ ସୂଚନା ଦେଇଛନ୍ତି । କହିଛନ୍ତି, ପାଗ ଅନୁକୂଳ ଥିବାରୁ ମୌସୁମୀ ଠିକ୍ ସମୟରେ ଓଡିଶା ଛୁଇଁବାର ସମ୍ଭାବନା ଅଧିକ ରହିଛି । ମୌସୁମୀ କେରଳ ଛୁଇଁବା ପରେ ଏହା ଚଳିତ ମାସ ଦ୍ୱିତୀୟ ସପ୍ତାହରେ ଓଡିଶା ଛୁଇଁବ ବୋଲି ପୂର୍ବରୁ ଆକଳନ କରାଯାଉଥିଲା । ଏବଂ ଆକଳନ ଅନୁଯାୟୀ ମୌସୁମୀ ଓଡିଶାରେ ପହଁଚିବ ବୋଲି କୁହାଯାଇଛି ।