ବଙ୍ଗୋପସାଗରରେ ଦାନା ବାନ୍ଧୁଛି ପୁଣି ଏକ ଲଘୁଚାପ, ଓଡ଼ିଶାରେ ପ୍ରବଳ ବର୍ଷା ସହ ଘଡଘଡି ସମ୍ଭାବନା
ଭୁବନେଶ୍ଵର, (ଓଡିଶା ଟାଇମ୍) : ବାତ୍ୟା ‘ଅମ୍ପନ୍’ ଓ ‘ନିସର୍ଗ’ ପରେ ବଙ୍ଗୋପସାଗରେ ସୃଷ୍ଟି ହେବାକୁ ଯାଉଛି ଆଉ ଏକ ଲଘୁଚାପ। ଆସନ୍ତାକାଲି ଏହି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଜୁନ୍ ୧୦ ତାରିଖରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଅନ୍ୟପକ୍ଷରେ, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପୂର୍ବ ଦକ୍ଷିଣ-ପଶ୍ଚିମ ଏବଂ କେନ୍ଦ୍ରୀୟ ବଙ୍ଗୋପସାଗରରେ ପ୍ରବେଶ କରି ଧିରେ ଧିରେ ଆଗକୁ ଅଗ୍ରସର ହେଉଛି। ଏହି ପ୍ରକ୍ରିୟା ଯଦି ଜାରି ରହେ ତେବେ ୨-୪ ଦିନ ଭିତରେ ମୌସୁମୀ ବାୟୁ ଓଡ଼ିଶା ପହଞ୍ଚିପାରେ ବୋଲି କୁହାଯାଉଛି। ଲଘୁଚାପ ପ୍ରଭାବରେ ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, କୋରାପୁଟ ଓ ନବରଙ୍ଗପୁର ଆଦି ୬ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏହାଛଡ଼ା ଅନ୍ୟାନ୍ୟ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେବ।
ଆଜି ଉପକୂଳ ଓଡ଼ିଶା, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, କୋରାପୁଟ ମାଲକାନଗିରି, ଅନୁଗୋଳ, ଢ଼େଙ୍କାନାଳ, ନବରଙ୍ଗପୁର, କଳାହାଣ୍ଡି ଆଦି ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି । ଏହି ସମୟରେ କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, କୋରାପୁଟ, ଗଜପତି, ଗଞ୍ଜାମ, ଜଗତସିଂହପୁର, ନୟାଗଡ଼ ଆଦି ୧୧ଟି ଜିଲ୍ଲାରେ ଘଡ଼ଘଡ଼ି ସହିତ ବର୍ଷା ହେବ । ପରବର୍ତ୍ତୀ ତିନିଦିନ ବର୍ଷା ଲାଗିରହିବ । ବିଶେଷ କରି ୮ରୁ ୧୦ତାରିଖ ମଧ୍ୟରେ ବିଭିନ୍ନ ସ୍ଥାନରେ ୩୦ରୁ ୪୦ କି.ମି. ବେଗରେ ପବନ ବହିବା ସହିତ ପ୍ରବଳ ବର୍ଷାର ସମ୍ଭାବନା ରହିଛି।