ପ୍ରବଳ ବର୍ଷାରେ ଉତ୍ତରାଖଣ୍ଡର ସ୍ଥିତି ବେହାଲ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ମୌସୁମୀ ପ୍ରଭାବରେ ଲଗାଣ ବର୍ଷା ହେବାରୁ ଉତ୍ତରାଖଣ୍ଡ ଓ ହିମାଳୟ ଆରପଟେ ନେପାଳର ବିଭିନ୍ନ ନଦୀରେ ବନ୍ୟା ଆସିଛି। ହିମାଳୟ ପର୍ବତମାଳାରେ ବର୍ଷା ଯୋଗୁଁ ପାହାଡ଼ରୁ ପାଣି ଖସି ଉତ୍ତରାଖଣ୍ଡ ଦେଇ ପ୍ରବାହିତ ଗଙ୍ଗା, ଅଳକାନନ୍ଦାରେ ଜଳସ୍ତର ବୃଦ୍ଧି ପାଇଁ ବନ୍ୟା ଆଣିଛି। ଋଷିକେଶରେ ଗଙ୍ଗା ନଦୀ ଭୟଙ୍କର ରୂପ ଧାରଣ କରିଛି। ବନ୍ୟାକୁ ଦେଖି ପ୍ରଶାସନ ପକ୍ଷରୁ ହାଇ ଆଲର୍ଟ ଜାରି କରାଯାଇଛି। ସେପଟେ ନେପାଳରେ ମଧ୍ୟ ସମାନ ସ୍ଥିତି ଦେଖା ଦେଇଛି l

ପ୍ରଳୟରେ ଥର ହର ଦେବଭୂମି। ଉତ୍ତରାଖଣ୍ଡ ଅଧିକାଂଶ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ସ୍ଥିତି ଏବେ ପୁରା ବେହାଲ ହୋଇଛି। ରୌଦ୍ର ରୂପ ଧାରଣ କରିଛି ଗଙ୍ଗା, ଅଳକାନନ୍ଦାର ବଢୁଛି ନଦୀର ଜଳସ୍ତର, ବଢୁଛି ବିପଦ। ଗଙ୍ଗା, ଅଳକାନନ୍ଦା, ପିଣ୍ଡର ସମେତ ବିଭିନ୍ନ ନଦୀର ଜଳସ୍ତର ଏବେ ବିପଦ ରେଖା ଉପରେ ଦେଇ ଚାଲିଛି। ରାଜ୍ୟର ପ୍ରମୁଖ ପାହାଡ଼ି ଅଞ୍ଚଳରେ ଏବେ ଚିତ୍ର କିଛି ଏମିତି ରହିଛି। ଶ୍ରୀନଗର, ପୌଡି ଗଡଓ୍ୱାଲ ଭଳି କେତେକ ତଳିଆ ଅଞ୍ଚଳ ଏବେ ଜଳମଗ୍ନ ହୋଇଛି। ଅଶାନ୍ତ ଅଳକାନନ୍ଦା ସତେ ଯେମିତି କୁଳ ଖାଇଯିବାକୁ ବସିଛି। ଋଷିକେଶରେ ମଧ୍ୟ ଗଙ୍ଗାନଦୀର ଭୟଙ୍କର ରୂପ ଦେଖିବାକୁ ମିଳିଛି। ଜଳସ୍ତର ବଢୁଥିବାରୁ ଏଠାରେ ବି ଚିନ୍ତା ବଢ଼ିଛି। ପ୍ରଶାସନ ଏବଂ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଆଲର୍ଟ ଜାରି କରାଯାଇଛି।

ଋଷିକେଶ, ପିଥୋରାଗଡ଼, ଆଲମୋଡ଼ା, ପୌଡ଼ି ଗଡଓ୍ୱାଲ, ଚମୋଲିରେ ସ୍ଥିତି ଖରାପ ଆଡ଼କୁ ଗତି କରୁଛି। ସେଣ୍ଟ୍ରାଲ ଓ୍ୱାଟର କମିଶନ ମଧ୍ୟ ସୁନିଶ୍ଚିତ କରିଛି ଯେ, ଋଷିକେଶ ଏବଂ ହରିଦ୍ୱାରରେ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ମୌସୁମୀ ସିଜନରେ ଦେବଭୂମୀରେ ମୂଷଳ ଧାରାରେ ବର୍ଷା ଯୋଗୁଁ ସ୍ଥିତି ବିଗିଡ଼ିବାକୁ ବସିଛି। କେତେକ ସ୍ଥାନରେ ଭୂସ୍ଖଳନର ଖବର ମଧ୍ୟ ଆସୁଛି। ପିଥୋରାଗଡ଼ ଜାତୀୟ ରାଜପଥରେ ଭୁସ୍ଖଳନ ଯୋଗୁଁ ରାସ୍ତା ଜାମ୍ ହୋଇଛି। ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି। ଚମୋଲି ଜିଲ୍ଲାର ଗୁଲାବକୋଟି ଏବଂ କୋଡିଆ ମଧ୍ୟରେ ବଦ୍ରିନାଥ ନ୍ୟାସନାଲ ହାଇେଓ୍ୱ ବନ୍ଦ ରହିଛି। ସେପଟେ ଲଗାଣ ବର୍ଷା ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ ତ୍ରାହି ତ୍ରାହି ଡାକୁଛନ୍ତି ଦେବଭୂମିର ଜନତା।

Leave a Reply

Your email address will not be published. Required fields are marked *