ଆଗାମୀ ୨୪ଘଣ୍ଟା ରାଜ୍ୟରେ ପ୍ରବଳ ବର୍ଷିବ
ଭୁବନେଶ୍ବର, (ଓଡିଶା ଟାଇମ୍) : ଲଘୁଚାପ ପ୍ରଭାବରେ ଆଗାମୀ ୨୪ଘଣ୍ଟା ଓଡିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ନୂଆପଡା, ବଲାଙ୍ଗୀର, କଳାହାଣ୍ଡିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ବରଗଡ, ନବରଙ୍ଗପୁର, ବୌଦ୍ଧ, ଝାରସୁଗୁଡା, ସୁନ୍ଦରଗଡରେ ମଧ୍ୟମ ଧରଣର ବର୍ଷା ହେବାର ଆଶଙ୍କା ରହିଛି।
ସେହିପରି ବରଗଡ଼, ନବରଙ୍ଗପୁର, ବୌଦ୍ଧ, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହେବ । ରାଜ୍ୟର ଅନ୍ୟ ସ୍ଥାନଗୁଡିକରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି କେନ୍ଦ୍ର ଆକଳନ କରିଛି । ଅପରପକ୍ଷେ ବର୍ଷାର ମୁକାବିଲା କରିବା ପାଇଁ ସ୍ୱତନ୍ତ୍ର ରିଲିଫ୍ କମିଶନର(ଏସଆରସି) ୨୦ଟି ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ।
ତେଣୁ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ଯିବାକୁ କେନ୍ଦ୍ର ପକ୍ଷରୁ ବାରଣ କରାଯାଇଛି । ଗତକାଲି ରାଜ୍ୟରେ ଦେଖା ଦେଇଥିବା ଘୂର୍ଣ୍ଣିବଳୟ ଧୀରେ ଧୀରେ ଲଘୁଚାପରେ ପରିଣତ ହୋଇଥିଲା । ଯାହାର ପ୍ରଭାବରେ ଆଜି ରାଜ୍ୟ ବ୍ୟାପୀ ବର୍ଷା ହୋଇଛି । ଏପରିକି କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ଆସନ୍ତାକାଲି ମଧ୍ୟ ରାଜ୍ୟରେ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍ ଆର୍ ବିଶ୍ୱାସ ପୂର୍ବାନୁମାନ କରିଛନ୍ତି । ତେବେ ରବିବାର ତୁଳନାରେ ସାମାନ୍ୟ କମିବ ବୋଲି ଶ୍ରୀ ବିଶ୍ୱାସ ଆକଳନ କରିଛନ୍ତି । ସେହିପରି ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି ଯେ, ଆସନ୍ତାକାଲି ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ । ଆସନ୍ତା ୨-୩ ଦିନ ଏଭଳି ବର୍ଷା ଜାରି ରହବ ବୋଲି ଡ. ସାହୁ ଆକଳନ କରିଛନ୍ତି ।
ଗତ ୨୪ ଘଣ୍ଟା ମଧ୍ୟରେ ଜଗତସିଂହପୁର ଜିଲ୍ଲାରେ ୧୯୦ ମିଲିମିଟର ବର୍ଷା ହୋଇଥିବା ବେଳେ ତିର୍ତ୍ତୋଲରେ ୧୪୦ ମିଲିମିଟର, ମାଲକାନଗିରିରେ ୮୭ ମିଲିମିଟର, ବୌଦ୍ଧରେ ୮୪ ମିଲିମିଟର, ପାରାଦୀପରେ ୭୪ ମିଲିମିଟର, ମାଲକାନଗିରିରେ ୬୧ ମିଲିମିଟର, ଦାରିଙ୍ଗବାଡ଼ିରେ ୫୭ ମିଲିମିଟର, ପାରଳାଖେମୁଣ୍ଡିରେ ୨୮ ମିଲିମିଟର, ଗୋପାଳପୁରରେ ୨୭ ମିଲିମିଟର, କଟକରେ ୨୬ ମିଲିମିଟର ଓ ଭୁବନେଶ୍ୱରରେ ୧୬ ମିଲିମିଟର ବର୍ଷା ହୋଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ରେକର୍ଡ଼ କରିଛି ।