ସ୍ଥାନାନ୍ତର ହେବନି ମାଷ୍ଟରକ୍ୟାଣ୍ଟିନ ସ୍ଥିତ ସ୍ଥାପତ୍ୟ ଘୋଡା
ଭୁବନେଶ୍ବର, (ଓଡିଶା ଟାଇମ୍): ହଟିବନି କଳିଙ୍ଗ ଘୋଡ଼ା । ମାଷ୍ଟରକ୍ୟାଣ୍ଟିନ ଛକରେ ହିଁ ରହିବ ଘୋଡ଼ା । ଓଡ଼ିଶାର ଐତିହ୍ୟ ପ୍ରତୀକ ତଥା ଦୀର୍ଘ ଦଶନ୍ଧି ଧରି ରାଜଧାନୀର ଶୋଭା ବଢ଼ାଉଥିବା ମାଷ୍ଟରକ୍ୟାଣ୍ଟିନ ଥିବା ଘୋଡ଼ାକୁ ସେଠାରୁ ସ୍ଥାନାନ୍ତର କରିବା ପାଇଁ ଯୋଜନା ଚାଲିଥିଲା । ଯାହାକି ଏବେ ବିରାମ ଲାଗିଛି । ବିଶେଷସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ସ୍ମାର୍ଟ ଜନପଥର ବିକାଶ ପାଇଁ ଏହି ଘୋଡ଼ାକୁ ରାଜଭବନ ସାମ୍ନାକୁ ଉଠାଇ ନିଆଯିବ ପାଇଁ ଯେଉଁ ନିଷ୍ପତ୍ତି ନିଆଯାଇଥିଲା। ସେ ନିଷ୍ପତ୍ତିକୁ ଏବେ ବଦଳିଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ ଯେ, ଗତ ୮ତାରିଖରେ ସଂସ୍କୃତି ବିଭାଗ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଥିଲା ଯେ ମାଷ୍ଟରକ୍ୟାଣ୍ଟିନ୍ ଛକରେ ଥିବା ଐତିହ୍ୟ ଘୋଡ଼ାକୁ ସ୍ଥାନାନ୍ତରିତ କରାଯିବ। ମଧୁବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ଘୋଡ଼ାକୁ ନେଇ ଥୋଇ ଦେବାକୁ ବିଡିଏକୁ ଦାୟିତ୍ବ ମଧ୍ୟ ଦିଆଯାଇଥିଲା। ମାସକ ମଧ୍ୟରେ ବିଡିଏ ଏହାକୁ ସ୍ଥାନାନ୍ତର କରିବ ବୋଲି କୁହାଯାଇଥିଲା। ଯାହାକୁ ନେଇ ବିବାଦ ଉପୁଜିଥିଲା। ବିବାଦ ପରେ ଏବେ ସଂସ୍କୃତି ବିଭାଗ ମାଷ୍ଟର କ୍ୟାଣ୍ଟିନ୍ ଛକରୁ ଐତିହ୍ୟ ଘୋଡ଼ା ନହଟାଇବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଶିଶୁଭବନ ଠାରୁ ବାଣୀବିହାର ପର୍ଯ୍ୟନ୍ତ ଜନପଥ ରାସ୍ତାକୁ ଅଧିକ ମନୋରମ ଓ ସୁଗମ କରାଯିବ। ସ୍ମାର୍ଟ ଜନପଥ ନାମରେ ଖ୍ୟାତ ରାଜଧାନୀର ଏହି ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ପାଇଁ ମାଷ୍ଟର କ୍ୟାଣ୍ଟିନ୍ ଛକରୁ ଯୋଦ୍ଧା ଘୋଡ଼ା ପ୍ରତିମୂର୍ତ୍ତିକୁ ହଟାଇବା ପାଇଁ ନିଷ୍ପତ୍ତି ନେଇଥିଲେ ସରକାର। ରାଜ୍ୟ ସରକାରଙ୍କ ସରକାରୀ ସନ୍ତକ ଭାବେ ବ୍ୟବହୃତ ଏହି ଯୋଦ୍ଧା ଘୋଡ଼ାଟି ମୂଳତଃ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ରହିଛି। ଦିବଂଗତ ସ୍ଥପତି ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ଦ୍ବାରା ନିର୍ମିତ ଏହି ନୂଆ ଘୋଡ଼ାଟି ୧୯୮୮ରେ ଭୁବନେଶ୍ବରରେ ସ୍ଥାପନା କରାଯାଇଥିଲା।











