ହାଥରସ୍ ଘଟଣାକୁ ଭୟାନକ ଦର୍ଶାଇଲେ ସୁପ୍ରିମକୋର୍ଟ, ଯୋଗୀ ସରକାରଙ୍କୁ ମାଗିଲେ ୩ ଜବାବ
ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଉତ୍ତର ପ୍ରଦେଶର ହାଥରସ୍ରେ ଦଳିତ ଯୁବତୀଙ୍କ ସହ ଗଣବଳାତ୍କାର ଏବଂ ହତ୍ୟା ଘଟଣାକୁ ନେଇ ଦାଖଲ ଜନସ୍ଵାର୍ଥ ମାମଲାରେ ଆଜି ସୁପ୍ରିମକୋର୍ଟର ଶୁଣାଣି ହୋଇଛି। ଶୁଣାଣି ବେଳେ ଯୋଗୀ ଆଦିତ୍ୟନାଥ ସରକାର ସର୍ବୋଚ୍ଚ ନ୍ୟାୟାଳୟର ଜଜଙ୍କ ତତ୍ଵାବଧାନରେ ମାମଲାର ତଦନ୍ତ ଦାବି କରିଛନ୍ତି। ଅନ୍ୟପଟେ କୋର୍ଟ ଘଟଣାକୁ ଭୟାନକ ଦର୍ଶାଇ ସରକାରଙ୍କୁ ଅନେକ ପ୍ରଶ୍ନ ପଚାରିଛନ୍ତି। ସୁପ୍ରିମକୋର୍ଟ ଉତ୍ତର ପ୍ରଦେଶ ସରକାରଙ୍କୁ ସତ୍ୟପାଠ ଦାଖଲ କରି ଏହାର ଜବାବ ଲୋଡିଛନ୍ତି ଯେ, ହାଥରସ୍ ମାମଲାରେ ପୀଡିତ ପରିବାର ଓ ସାକ୍ଷୀଙ୍କ ସୁରକ୍ଷା କେମିତି କରାଯାଉଛି। ମାମଲାର ପରିବର୍ତ୍ତୀ ଶୁଣାଣି ଆସନ୍ତା ସପ୍ତାହରେ ହେବ।
ପ୍ରଧାନ ବିଚାରପତି ଏସଏ ବୋବଡେଙ୍କ ପୀଠରେ ସୂଚୀବଦ୍ଧ ଏକ ଜନସ୍ଵାର୍ଥ ଯାଚିକାର ଶୁଣାଣି ବେଳେ ରାଜ୍ୟ ସରକାର ଉଚ୍ଚତମ ନ୍ୟାୟାଳୟରେ ହାଥରସ୍ ମାମଲାରେ ସିବିଆଇ ଯାଞ୍ଚର ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଛନ୍ତି। ଯୋଗୀ ସରକାର କୋର୍ଟକୁ କହିଛନ୍ତି ଯେ, ନିରପେକ୍ଷ ତଦନ୍ତରେ ଉତ୍ପନ ହେଉଥିବା ବାଧାରୁ ବଞ୍ଚିବା ପାଇଁ ସିବିଆଇ ଦ୍ଵାରା ମାମଲାର ତଦନ୍ତ କରାଇବାକୁ ଅନୁରୋଧ କରାଯାଉଛି।
ଉତ୍ତର ପ୍ରଦେଶ ସରକାର ପ୍ରଧାନ ବିଚାରପତି ଏସଏ ବୋବଡେ, ଏଏସ ବୋପାନ୍ନା ଓ ଭି ରାମାସୁବ୍ରମଣ୍ୟମଙ୍କ ପୀଠରେ କହିଛନ୍ତି ରାଜ୍ୟ ସରକାର ଏହା ପୂର୍ବରୁ ହାଥରସ୍ର ମାମଲାର ତଦନ୍ତ ସିବିଆଇ ଦ୍ଵାରା କରାଇବାକୁ କେନ୍ଦ୍ର ସରକାରକୁ ସୁପାରିସ୍ କରିଛନ୍ତି। ସରକାର କହିଛନ୍ତି ଏହି ଘଟଣାରେ ଅନେକ ପ୍ରକାରର ଗୁଜବ ପ୍ରଚାର କରାଯାଉଛି, ଏହା ଉପରେ ରୋକ୍ ଲଗାଯିବାର ଆବଶ୍ୟକତା ରହିଛି।
ସୁପ୍ରିମକୋର୍ଟ ହାଥରସ୍ ମାମଲା ବହୁତ ଗୁରୁତ୍ଵପୂର୍ଣ୍ଣ ହୋଇଥିବାର ଏହାର ଶୁଣାଣି କରାଯାଉଛି ବୋଲି କହିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ହାଥରସ୍ ମାମଲାରେ ଓକିଲଙ୍କୁ ଏହି ଘଟଣା ବହୁତ ଭୟାନକ ବୋଲି କହିଛନ୍ତି। ଉତ୍ତର ପ୍ରଦେଶ ସରକାର ତରଫରୁ କୋର୍ଟରେ ଉପସ୍ଥିତ ସଲିସିଟର ଜେନେରାଲ ତୁଷାର ମେହଟ୍ଟା ଏହି ମାମଲାରେ ନେରେଟିଭ୍ ପରେ ନେରେଟିଭ୍ ପ୍ରସ୍ତୁତ କରାଯାଉଥିବା କହିଛନ୍ତି। ଏହା ଦୁଃଖର ଘଟଣା ଯେ ୧୯ ବର୍ଷୀୟ ଝିଅର ମୃତ୍ୟୁ ଘଟିଛି। ଆମେ ସିବିଆଇ ତଦନ୍ତ ଚାହୁଁଛୁ। ମାମଲାରେ ମୁକ୍ତ ଓ ଅବାଧ ଟ୍ରାଏଲ ଦରକାର। ସିବିଆଇ ଛାନବିନ କରୁ ଏବଂ ସୁପ୍ରିମକୋର୍ଟ ତଦନ୍ତର ସମୀକ୍ଷା କରୁ। କିଛି ରାଜନୈତିକ ଦଳ ନିଜର ନିହିତ ସାଧନ ପାଇଁ ନକରାତ୍ମକ ମାହୋଲ ସୃଷ୍ଟି କରୁଥିବା ସେ କହିଛନ୍ତି।