ଟ୍ରମ୍ପଙ୍କୁ କେହି ତ ଜଣେ ଅଟକାଅ…

BHUBANESWAR: ଆମେମାନେ ମଣିଷ ଟି ! ଆମେମାନେ ବଞ୍ଚିଛେ ଟି ! କାହିଁକି ବଞ୍ଚିଛେ ? କଣ କରୁଛେ ? କେତେ ଦିନ ଆମେ ଏମିତି ‘ଦେଖ-ଶୁଣ-ଚୁପ’ ନୀତି ଆପଣାଇ ଚାଲିଥିବା ! ଆମ ଆଖିଆଗରେ ଏସବୁ କଣ ଘଟି ଯାଉଛି, କଣ ଘଟିବାକୁ ଯାଉଛି ? ଯାହା କିଛି ହେଉଛି, ଏ ସମାଜ ଓ ବିଶ୍ବ ପାଇଁ କଣ ଭଲ ହେଉଛି !

ଆମେରିକାର ଗଣତନ୍ତ୍ର ବିଶ୍ବରେ ସର୍ବ ପୁରାତନ । ଏହାର ନ୍ୟାୟ ବ୍ୟବସ୍ଥା ଉପରେ ସାରା ବିଶ୍ବର ଅନେକ ମାତ୍ରାରେ ଭରସା ଏବଂ ବିଶ୍ବାସ ରହିଛି । କାରଣ ଅନେକ ଘଟଣାରେ ବିଶ୍ବବାସୀ ଏହା ଦେଖିଛନ୍ତି । କିନ୍ତୁ ଆମେରିକା ଯେ ଭଲ, ଏହାର ନୀତି-ନିଷ୍ପତ୍ତି ସବୁକିଛି ଭଲ, ତାହା କହିବା ଆଦୌ ଠିକ ହେବନି । ଆମେରିକାକୁ ଏବେ ସବୁଆଡୁ ଖାଲି ତୀବ୍ର ନିନ୍ଦା ଓ ସମାଲୋଚନା । ଦେଶ ଭିତରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ବିରୋଧରେ ବିକ୍ଷୋଭ କିଛି କମ ନାହିଁ । ତଥାପି ଟ୍ରମ୍ପ ବୁଝୁ ନାହାଁନ୍ତି ।…

ଟ୍ରମ୍ପ ବୁଝୁ ନାହାଁନ୍ତି, ନା ବୁଝିପାରୁ ନାହାଁନ୍ତି, ନା ବୁଝିବାକୁ ଚେଷ୍ଟା କରୁ ନାହାଁନ୍ତି । ଆମେରିକା ସବୁ ଦୃଷ୍ଟିରୁ ବିଶ୍ବରେ ବଳଶାଳୀ ଏବଂ ଏକ ନମ୍ବର ବୋଲି, ଟ୍ରମ୍ପ ସାହେବ ଏମିତି ଗର୍ବ ଓ ଅହଙ୍କାର ଦେଖାଉଛନ୍ତି କି ! ଇନ୍ଦ୍ରଚନ୍ଦ୍ର ନମାନି, ଧରାକୁ ସରା ମଣୁଛନ୍ତି କାହିଁକି ? କଣ ବିଶ୍ବକୁ ସମ୍ପୂର୍ଣ୍ଣ ଧ୍ବଂସ କରିଦେବାକୁ ପ୍ରତିଜ୍ଞା କରିଛନ୍ତି ସେ ! ଏମିତି କରି ସେ ଆମେରିକାବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି, Make America Great Again, MAGA ମିଶନକୁ ସାକାର କରିପାରିବେ ତ ! ଦିନକୁ ଦିନ ଦୁର୍ବଳ ହେଉଥିବା ଦୟନୀୟ ଡଲାରକୁ ମଜଭୁତ କରିପାରିବେ ତ ! ନା ଆମେରିକାକୁ ସବୁ ଦୃଷ୍ଟିରୁ, ସବୁଦିନ ପାଇଁ ଦୁର୍ବଳ କରିଦେଇ ଯିବେ ! ରାଜନୈତିକ, କୂଟନୈତିକ, ଅର୍ଥନୈତିକ, ଭୌଗଳିକ ଦୃଷ୍ଟିକୋଣରୁ ତନ୍ନ ତନ୍ନ କରି ଦେଖିଲେ, ଟ୍ରମ୍ପ କେବେ ବି ତାଙ୍କ ମିଶନ Fulfill କରିପାରିବେ ନାହିଁ । ତଥାପି ସେ ପାଗଳଙ୍କ ଭଳି ଡେଉଁଛନ୍ତି, ଆଉ ଠୋ ଠୋ ହୋଇ ହସୁଛି ବିଶ୍ବ । ଗୋଟେ ଦେଶର ରାଷ୍ଟ୍ରମୁଖ୍ୟ କଣ ଏମିତି ହେବା ଦରକାର ? ତାହା ପୁଣି ଆମେରିକାର ! …

ଟ୍ରମ୍ପ ନାଚୁଛନ୍ତି, ସାରା ବିଶ୍ବ ଦେଖୁଛି । ସେ ମଧ୍ୟ ସାରା ବିଶ୍ବକୁ ନଚାଉଛନ୍ତି । ବିଶ୍ବର ଅନ୍ୟ ଦୁଇ ମହାଶକ୍ତି- ରୁଷିଆ ଓ ଚୀନ, କାଁ ଭାଁ ମନ୍ତବ୍ୟ ଦେଉଛନ୍ତି ସତ, କିନ୍ତୁ ସମ୍ପୂର୍ଣ୍ଣ ନିରବଦ୍ରଷ୍ଟା ସାଜିଛନ୍ତି କହିଲେ ଭୁଲ ହେବନି । ଟ୍ରମ୍ପ ଯଦି ଆମେରିକାକୁ ବିଶ୍ବର No-1 ପୋଜିସନରୁ ତଳକୁ ଖସାଇ ଦିଅନ୍ତି, ତେବେ କିଏ ହେବ ବିଶ୍ବର ନୂଆ No-1 Country ? ରୁଷିଆ ନା ଚୀନ !…

ଟ୍ରମ୍ପଙ୍କ ବାଉଳା ଚାଉଳା ନିଷ୍ପତ୍ତିରେ କିଛି ଅନ୍ତର୍ଜାତୀୟ ସଂସ୍ଥା ଗୁରୁତର ଭାବେ ପ୍ରଭାବିତ ହେଉଛନ୍ତି । ହଜି ଯିବାର ସମ୍ଭାବନା ମଧ୍ୟ ସୃଷ୍ଟି ହେଲାଣି । ନାଟୋ ଏବଂ ୟୁରୋପୀୟ ସଂଘ ଭାଙ୍ଗି ଯିବାର ସମ୍ଭାବନା ଅଧିକ । ଗାଜା ପୁନର୍ଗଠନ ନାଁରେ Board of Peace ଗଠନ, ଜାତିସଂଘର ଜୀବନ୍ତ ସମାଧି ସଦୃଶ ଲାଗୁଛି । ନାଟୋ ଏବଂ ୟୁରୋପୀୟ ସଂଘ ଭାଙ୍ଗିଗଲେ, ରୁଷିଆକୁ ସାମରିକ ତାକତ ଦୃଷ୍ଟିକୋଣରୁ ସବୁଠାରୁ ବଡ଼ ଫାଇଦା ମିଳିବା ଏକ ପ୍ରକାର ନିଶ୍ଚିତ । ରୁଷିଆ ବିଶ୍ବର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ହୋଇଯାଇ ପାରେ । ନାଟୋ ଓ ୟୁରୋପୀୟ ସଂଘର ପତନ, ରୁଷିଆର ଫାଇଦା ପାଇଁ ପରସ୍ପର, ପରସ୍ପରର ପରିପୂରକ । କାରଣ ନାଟୋର ଅଧିକାଂଶ ସଦସ୍ୟ ରାଷ୍ଟ୍ର ହେଉଛନ୍ତି ୟୁରୋପୀୟ ଏବଂ ୟୁରୋପୀୟ ସଂଘର ଅଧିକାଂଶ ରାଷ୍ଟ୍ର ନାଟୋର ସଦସ୍ୟ । ଚୀନକୁ ମଧ୍ୟ ଏହା ଅନେକାଂଶରେ ଫାଇଦା ଦେବ, କିନ୍ତୁ ରୁଷିଆ ଭଳି ନୁହେଁ ।…

ଚୀନକୁ କିନ୍ତୁ ମିଳିବ ଜବରଦସ୍ତ ଆର୍ଥିକ ଫାଇଦା । ଡଲାର ଦୁର୍ବଳତାର ସବୁଠାରୁ ବଡ଼ ଫାଇଦା ମିଳିବ ଚୀନକୁ । ଟ୍ରମ୍ପଙ୍କ ବାଉଳା-ଚାଉଳା ନିଷ୍ପତ୍ତି ଓ କାର୍ଯ୍ୟକଳାପ ଯୋଗୁଁ ଡଲାରର ମୂଲ୍ୟ ଦ୍ରୁତ ଗତିରେ ନିମ୍ନଗାମୀ ହେବାରେ ଲାଗିଛି । Currency Anchorର ଏ ସ୍ଥିତି ଦେଖି, ଅନ୍ତର୍ଜାତୀୟ ବଜାର ଅତି ମାତ୍ରାରେ ଅସ୍ଥିର । ଯେଉଁଥି ପାଇଁ ହୁ ହୁ ହୋଇ ବଢ଼ି ଚାଲିଛି ସୁନା ଓ ରୁପାର ଭାଉ । ମୋତେ ତ ଲାଗୁଛି, ଟ୍ରମ୍ପ ରାଷ୍ଟ୍ରପତି ପଦରେ ଥିବା ଯାଏଁ ଏମତି ହେଉଥାନ୍ତୁ, ଲୋକେ ସୁନା ଓ ରୁପାରେ ନିବେଶ କରି ଫାଇଦା ପାଉଥାନ୍ତୁ । ଡ୍ରାଗନର Biscopic Eye କିନ୍ତୁ, ଅନ୍ୟ ସମସ୍ତଙ୍କ ଆଖିଠାରୁ ଯଥେଷ୍ଟ ସୁଦୂରପ୍ରସାରୀ । ଗତ ୨-୩ ବର୍ଷରେ ୟୁକ୍ରେନ ବିରୋଧୀ ଯୁଦ୍ଧ ଖର୍ଚ୍ଚ ମେଣ୍ଟାଇବାକୁ ରୁଷିଆ ପ୍ରଚୁର ପରିମାଣର ସୁନା ବିକି ଦେଇଥିବା ବେଳେ ଚୀନ କିଣିଛି ସର୍ବାଧିକ ପରିମାଣର । ଏଇଠି ଚିନ୍ତା କରନ୍ତୁ, ଡଲାର ଓ ଚୀନର ମୁଦ୍ରା ୟୁଆନର ସ୍ଥିତି ଆଗକୁ କଣ ନହେବ ! …

ଟ୍ରମ୍ପ କେବଳ ଆମେରିକାକୁ ଆର୍ଥିକ ଓ ସାମରିକ ଦୃଷ୍ଟିକୋଣରୁ ଅତି ଦୁର୍ବଳ କରିଦେବେନି, ବରଂ ବିଶ୍ବ ଦରବାରରେ ଆମେରିକାର ପ୍ରତିଷ୍ଠାକୁ ସବୁଦିନ ପାଇଁ ବରବାଦ କରିଦେଇ ଯିବେ । ବିଶ୍ବ କୂଟନୈତିକ ମାନଚିତ୍ରରେ ଆମେରିକାର Imageକୁ ଅତିମାତ୍ରାରେ Tarnish କରିଦେବେ । ଆମେରିକା ତାର କୂଟନୈତିକ ବିଶ୍ବସନୀୟତା ଏବଂ ଗ୍ରହଣୀୟତା ସବୁଦିନ ପାଇଁ ହରାଇବ । ଭେନେଜୁଏଲା, ଇରାନ ଓ ଗ୍ରୀନଲାଣ୍ଡ ପ୍ରସଙ୍ଗରେ ଟ୍ରମ୍ପଙ୍କ ନେତୃତ୍ବାଧୀନ ଆମେରିକାର ଆଭିମୁଖ୍ୟ ଏବଂ ପଦକ୍ଷେପକୁ ଯଦି, ସବୁ ଦୃଷ୍ଟିରୁ ଦେଖିବା, ତେବେ ତାହା ବିଶ୍ବ ପାଇଁ ଅତି ଭୟଙ୍କର ହେବାକୁ ଯାଉଛି । କାରଣ ଅନ୍ତର୍ଜାତୀୟ ସ୍ତରର ଅଧିକାଂଶ ପ୍ରତିଷ୍ଠିତ ସଂସ୍ଥା ହୁଏତ, ସବୁଦିନ ପାଇଁ ଗୁରୁତ୍ବ ହରାଇ ପାରନ୍ତି । ଇତିହାସ ହୋଇଯାଇ ପାରନ୍ତି ।…

ଟ୍ରମ୍ପଙ୍କ ପାଟିରୁ ଯାହା ବାହାରୁଛି, ସଙ୍ଗେ ସଙ୍ଗେ ସେ ତାହା ଲାଗୁ କରି ଦେଉଛନ୍ତି । ମନକୁ ଯାହା ଆସୁଛି… ପୁଣି ମନଇଚ୍ଛା ଯାହା ଉପରେ ନାହିଁ ତା ଉପରେ ଟାରିଫ ଲଗାଇ ଦେଉଛନ୍ତି । ଟ୍ରମ୍ପଙ୍କ Board of Peace ସଂଗଠନରେ ସାମିଲ ହେବାକୁ ଫ୍ରାନ୍ସ ମନା କରିଦେବା ପରେ, ତା ଉପରେ ୨ ଶହ ପ୍ରତିଶତ ଟାରିଫ ଲଗାଇବାକୁ ଧମକ ଦେଇଛନ୍ତି । ପୁଣି ରାଷ୍ଟ୍ରପତି ମାନୁଏଲ ମାକ୍ରନ, ତାଙ୍କ ସହ Whats Appରେ ଯେଉଁ ସବୁ କୂଟନୈତିକ Chat କରିଛନ୍ତି, ସେସବୁର Screen Shot, ଟ୍ରମ୍ପ ସାହେବ ତାଙ୍କ Truth Social ହାଣ୍ଡଲରେ ଛାଡ଼ି ପବ୍ଲିକ କରି ଦେଇଛନ୍ତି । ଟ୍ରମ୍ପଙ୍କ ପାଇଁ କିଛି ଅସମ୍ଭବ ନୁହେଁ । ସେ ଯାହା ଚାହିଁବେ କରିଦେବେ । ଚାହିଁଲେ, ପରମାଣୁ ଶକ୍ତିର ବ୍ୟବହାର କରି ଫାଳେ ବିଶ୍ବ ବି ଧ୍ବଂସ କରିଦେବା କିଛି ବିଚିତ୍ର ନୁହେଁ । ଆରେ, ଯେଉଁ ଦେଶର ରାଷ୍ଟ୍ରପତି, ଅନ୍ୟ ଦେଶରେ (ଭେନେଜୁଏଲା) ପଶି, ସେଠାକାର ରାଷ୍ଟ୍ରପତିଙ୍କୁ ତାଙ୍କ ବେଡରୁମରୁ ରାତିଅଧରେ ସସ୍ତ୍ରୀକ ଅପହରଣ କରି ନେଉଛି, ସେ ଲୋକ ପାଖରେ କଣ ଯେ ଅସମ୍ଭବ ! …

ସବୁଠାରୁ ବିଡ଼ମ୍ବନାର କଥା ହେଉଛି, ବିଶ୍ବର ସର୍ବ ପୁରାତନ ଗଣତନ୍ତ୍ରର ନିର୍ବାଚିତ କଂଗ୍ରେସ (ଆମେରିକାର କଂଗ୍ରେସ) କରୁଛି କଣ ? ୨୦୨୦ ରାଷ୍ଟ୍ରପତି ନିର୍ବାଚନ ଟ୍ରମ୍ପ ହାରି ଯାଇଥିଲେ । ଯେଉଁଥି ପାଇଁ ନିଜ ସମର୍ଥକଙ୍କୁ ମତାଇ Capitol Hill ଉପରେ ଆକ୍ରମଣ କରାଇଥିଲେ । ସେତେବେଳେ ଆମେରିକା କଂଗ୍ରେସର ବାଚସ୍ପତି (ନାନସି ପେଲୋସୀ) ଟ୍ରମ୍ପଙ୍କ ରିପବ୍ଲିକାନ ପାର୍ଟିର ହୋଇ ମଧ୍ୟ, କ୍ୟାପିଟଲ ହିଲ୍ ଆକ୍ରମଣ ପ୍ରସଙ୍ଗରେ ଟ୍ରମ୍ପଙ୍କୁ ଦୋଷୀ କହିବାକୁ ପଛାଇ ନଥିଲେ । କିନ୍ତୁ ଏବେ ଟ୍ରମ୍ପଙ୍କ ନିଷ୍ପତ୍ତି ଓ ପଦକ୍ଷେପକୁ ତାଙ୍କ ଦେଶରେ ତୀବ୍ର ବିରୋଧ ଏବଂ ସମାଲୋଚନା ହେଉଥିଲେ ମଧ୍ୟ ଆମେରିକା କଂଗ୍ରେସ ଚୁପ୍ । ଆଶ୍ଚର୍ଯ୍ୟ ଲାଗୁନି !…

ଦ୍ବିତୀୟ ଥର ଟ୍ରମ୍ପ ରାଷ୍ଟ୍ରପତି ହେବା ପରେ Hush Money ମାମଲାରେ, କୋର୍ଟଙ୍କ ଦ୍ବାରା ଦୋଷୀ ସାବ୍ୟସ୍ତ ହୋଇ ମଧ୍ୟ ପଦରେ ଅଛନ୍ତି । ବିଶ୍ବର ସର୍ବ ପୁରାତନ ଗଣତନ୍ତ୍ରରେ ଏଭଳି ହେବା କିଛି ଅଜବ ଲାଗୁନି ! କିନ୍ତୁ ଏବେ, ଟ୍ରମ୍ପ କାଳରେ ଏମିତି ଗୋଟେ ପରେ ଗୋଟେ ଅଜବ ଘଟଣା ଦେଖିବାକୁ ମିଳୁଛି । କାରଣ ଆମେରିକା ଇତିହାସରେ କୌଣସି ରାଷ୍ଟ୍ରପତି କେବେ ବି ନିଜକୁ ଅନ୍ୟ ଦେଶର କାର୍ଯ୍ୟକାରୀ ରାଷ୍ଟ୍ରପତି ବୋଲି ଘୋଷଣା କରି ନଥିବା ବେଳେ ଟ୍ରମ୍ପ ସାହେବ କିନ୍ତୁ ତାହା କରି ଦେଖାଇଛନ୍ତି । ନିଜକୁ ଭେନେଜୁଏଲାର Acting President ଘୋଷଣା କରି ସାରିଛନ୍ତି ସେ । ପୁଣି କାନାଡା, ଭେନେଜୁଏଲା ଏବଂ ଗ୍ରୀନଲାଣ୍ଡକୁ ନେଇ ଆମେରିକାର ନୂତନ ଭୌଗଳିକ ମାନଚିତ୍ର Draw କରିଛନ୍ତି । ଏନେଇ AI ଫଟୋ ପୋଷ୍ଟ କରିଛନ୍ତି । ହସ ଲାଗୁନି… ଏହା ଟ୍ରମ୍ପଙ୍କ ପିଲାଳିଆମି ନା ପାଗଳାମି !…

କ୍ୟାପିଟଲ୍ ହିଲ୍ ଆକ୍ରମଣ ବେଳର ଆମେରିକା କଂଗ୍ରେସ ଓ ବର୍ତ୍ତମାନର କଂଗ୍ରେସ ମଧ୍ୟରେ ଅନେକ ବ୍ୟତିକ୍ରମ ଦେଖିବାକୁ ମିଳୁଛି । ଠିକ ଯେମିତି, ଟ୍ରମ୍ପଙ୍କ ଟାରିଫ ନିଷ୍ପତ୍ତି ସଂକ୍ରାନ୍ତ ମାମଲାର ଶୁଣାଣିକୁ ୩ ଥର ଟାଳି ସାରିଲେଣି ଆମେରିକାର ସୁପ୍ରିମକୋର୍ଟ । ଏମିତି ଟାଳି ଟାଳି, ଆମେରିକାର ସୁପ୍ରିମକୋର୍ଟ, ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଏକ ପ୍ରକାର Free Hand ଦେଉ ନାହାଁନ୍ତି ତ ! ନା, ଆମ ଭାରତ ଭଳି ସେଠି ମଧ୍ୟ ନ୍ୟାୟଦେବୀଙ୍କ ଆଖିରୁ କଳାପଟି ଖୋଲି ଦିଆଯାଇଛି… ସବୁକିଛି ଦେଖି ସାରିବା ପରେ, ମାମଲାର ଶୁଣାଣି କରିବାକୁ ଅପେକ୍ଷା କରିଛନ୍ତି କି ଆମେରିକାର ନ୍ୟାୟଦେବୀ !…

ଆରେ, ଟ୍ରମ୍ପ ସବୁ ସାରିଦେବେରେ… କେହି ତ ଜଣେ ତାଙ୍କୁ ଅଟକାଅ…

Leave a Reply

Your email address will not be published. Required fields are marked *