ଆଜି ପବିତ୍ର ଜନ୍ମାଷ୍ଟମୀ; ଉତ୍ସବ ମୁଖର ପୁରପଲ୍ଲୀ
ଭୁବନେଶ୍ୱର, (ଓଡିଶା ଟାଇମ୍): ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପ୍ରଭୁ କୃଷ୍ଣ ଜନ୍ମ ଗ୍ରହଣ କରିଥିଲେ । ଯେଉଁ ଦିନକୁ ସାରା ଦେଶରେ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଇଥାଏ ।
ହିନ୍ଦୁ ଶାସ୍ତ୍ରାନୁଯାୟୀ ଭଗବାନ ବିଷ୍ଣୁଙ୍କର ଅବତାରୀ ପୁରୁଷ ପ୍ରଭୁ ଶ୍ରୀକୃଷ୍ଣଙ୍କର ଜନ୍ମଦିନକୁ ‘ଜନ୍ମାଷ୍ଟମୀ’ ରୂପେ ପାଳନ କରା ଯାଇଥାଏ । ଶ୍ରୀକୃଷ୍ଣ ମାନବ ସମାଜକୁ କର୍ମଯୋଗର ଶିକ୍ଷା ଦେଇଥାନ୍ତି । ଏପରିକି ଶ୍ରୀମଦ୍ ଭାଗବତରେ କର୍ମ ଅନୁସାରେ ଫଳ ମିଳିବ ବୋଲି ମଧ୍ୟ ଉଲ୍ଲେଖ ରହିଛି ।
ଜନ୍ମାଷ୍ଟମୀର ପରଦିନ ଅର୍ଥାତ୍ ନବମୀ ଦିନକୁ ନନ୍ଦୋତ୍ସବ ଭାବରେ ପାଳନ କରାଯାଇଥାଏ ।
ପୌରାଣିକ କଥାନୁଯାୟୀ ଦ୍ୱାପର ଯୁଗରେ ପ୍ରବଳ ପ୍ରତାପୀ ଓ ଦୁରାଚାରୀ କଂସକୁ ବଧ କରିବା ପାଇଁ ମାନବ ରୂପରେ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଧରାବତରଣ କରିଥିଲେ ଭଗବାନ ବିଷ୍ଣୁ।
କଂସ ପିତାଙ୍କୁ ଗାଦିଚ୍ୟୁତ୍ କରିବା ପରେ ନିଜେ ସିଂହାସନ ଅକ୍ତିଆର କରିଥିଲା । ତା’ର କ୍ରୁରତାରେ ସମସ୍ତେ ତ୍ରାହି ତ୍ରାହି ଡାକିଥିଲେ । ଏପରିକି ନିଜ ଭଉଣୀର ଅଷ୍ଟମ ଗର୍ଭରୁ ଜାତ ସନ୍ତାନ ତାଙ୍କ ମୃତ୍ୟୁର କାରଣ ହେବ ଜାଣି ସେ ଦେବକୀଙ୍କୁ ଓ ବସୁଦେବଙ୍କୁ କାରାଗାରରେ ଭର୍ତ୍ତି କରିଥିଲେ ।
ଲୋକ କଥାନୁଯାୟୀ ବନ୍ଦୀ ଭଗ୍ନୀ ଦେବକୀଙ୍କ ଗର୍ଭରୁ ବନ୍ଦିଶାଳାରେ ଅର୍ଧ ରାତ୍ରୀରେ ରୋହିଣୀ ନକ୍ଷତ୍ର-ବୃଷରାଶିର ସଂଯୋଗ ସମୟରେ କୃଷ୍ଣ ଜନ୍ମ ଲାଭ କରିଥିଲେ ।
ପାପର ବିନାଶ ଓ ଧର୍ମ ପ୍ରତିଷ୍ଠା ନିମନ୍ତେ ମାନବ ରୂପ ଧାରଣ କରିଥିବା କୃଷ୍ଣ ଭଗବାନ ପିତାଙ୍କୁ ନିଜ ଆର୍ବିଭାବ ସମ୍ପର୍କରେ ଜଣାଇଥିଲେ । ପରେ ତାଙ୍କ କହିବାନୁଯାୟୀ ପିତା ବସୁଦେବ ପ୍ରବଳ ବର୍ଷା ସାଙ୍ଗକୁ ଅନ୍ଧାର ରାତିରେ ନବଜାତ ପୁତ୍ରକୁ ନେଇ ଉଛୁଳା ଯମୁନା ନଦୀ ପାର ହେଇ ଗୋପପୁରରେ ପହଞ୍ଚିଥିଲେ । ସେଠାରୁ ନନ୍ଦ ରଜାଙ୍କ ଘରେ ଜନ୍ମିତ ବିଜୁଳି କନ୍ୟାଙ୍କ ପ୍ରତିବଦଳରେ କୃଷ୍ଣ ଛାଡି ଚାଲି ଆସିଥିଲେ ।
ଓଡିଶାରେ ମଧ୍ୟ ଜନ୍ମାଷ୍ଟମୀକୁ ଖୁବ୍ ଧୁମଧାମରେ ପାଳନ କରାଯାଇଥାଏ । ଏହି ଦିନରେ ଗାଁ ଠାରୁ ଆରମ୍ଭ କରି ସହର ଯାଏଁ ଉତ୍ସବ ମୁଖର ହୋଇ ପଡିଥାଏ ।
ଏହି ଦିନରେ ଶ୍ରଦ୍ଧାଳୁ ମାନେ ଉପବାସ କରିବା ସହିତ ମଧ୍ୟ ରାତ୍ରରେ କୃଷ୍ଣ ଜନ୍ମ ଉତ୍ସବ ପାଳନ ପରେ ଉପବାସ ଭାଙ୍ଗିଥାନ୍ତି । ଆଉ କେଉଁ କେଉଁ ସ୍ଥାନରେ କୀର୍ତ୍ତନ ମଧ୍ୟ କରାଯାଇଥାଏ ।
ହେଲେ ଚଳିତ ଥର କରୋନା ମହାମାରୀ ଯୋଗୁଁ ଜନ୍ମାଷ୍ଟମୀ ଉତ୍ସବ ସାମାନ୍ୟ ଫିକା ପଡିପାରେ ।