ମହଙ୍ଗା ହେବ ସାନିଟାଇଜର; ଲାଗିବ ୧୮% ଜିଏସଟି
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଆଲକୋହଲ୍ ବେସଡ୍ ହ୍ୟାଣ୍ଡ ସାନିଟାଇଜର ଉପରେ ୧୮ ପ୍ରତିଶତ ଜିଏସଟି ଲାଗିବ ବୋଲି ସୂଚନା ଦେଇଛନ୍ତି ଅଥୋରିଟି ଫର୍ ଆଡଭାନ୍ସ ରୁଲିଂ (ଏଏଆର) । ଯେହେତୁ ଏଥିରେ ଆଲକୋହଲ ମିଶିଛି ସେଥିପାଇଁ ଏହା ଉପରେ ଜିଏସଟି ଲାଗୁ କରାଯିବ।
ସ୍ପ୍ରିଙ୍ଗଫିଲ୍ଡ ଇଣ୍ଡିଆ ଡିସଟିଲାଇରିସ୍ ନାମକ ଏକ କମ୍ପାନୀ ଗୋଆ ସ୍ଥିତ ଏଏଆର ବେଞ୍ଚର ଦ୍ୱାରସ୍ଥ ହୋଇଥିଲା । କମ୍ପାନୀ ଦ୍ୱାରା ସାରା ଦେଶରେ ଯୋଗାଇ ଦିଆଯାଉଥିବା ସାନିଟାଇଜରର ବର୍ଗୀକରଣ କରାଯାଉ ଏବଂ ଏହା ଉପରେ ଜିଏସଟିର ସ୍ଥିତି ସ୍ପଷ୍ଟ କରାଯାଉ । ଏପରିକି ହ୍ୟାଣ୍ଡ ସାନିଟାଇଜର ଜିଏସଟି ବାହାରେ ରହିଛି କି ବୋଲି କମ୍ପାନୀ ପକ୍ଷରୁ ପଚରାଯାଇଥିଲା ।
ହେଲେ ଏହାର ଜବାବ ଦେବାକୁ ଯାଇ ଗୋଆ ବେଞ୍ଚ ପକ୍ଷରୁ କୁହାଯାଇଛି ସାନିଟାଇଜର ହେଉଛି ଆଲକୋହଲ ଯୁକ୍ତ । ଏହି ପରିପ୍ରେକ୍ଷୀରେ ଏହା ଉପରେ ୧୮ ପ୍ରତିଶତ ଜିଏସଟି ଲାଗିବ । ସେହିପରି ଏଏଆର ପକ୍ଷରୁ ମଧ୍ୟ କୁହାଯାଇଛି ଯେ କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରଣାଳୟ ହ୍ୟାଣ୍ଡ୍ ସାନିଟାଇଜରକୁ ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରେ ରଖିଥିବା ବେଳେ ଜିଏସଟି ଆଇନର ଗୋଟିଏ ଅଲଗା ସୂଚି ରହିଛି ।
ଏନେଇ ଏକ୍ସପର୍ଟ ମାନେ କହିଛନ୍ତି ଯେ କରୋନା ଭାଇରସ ଯୋଗୁଁ ଆବଶ୍ୟକୀୟ ସାମଗ୍ରୀ ତାଲିକାରେ ଏହାକୁ ରଖା ଯାଇଥିଲା । ଏଥିପାଇଁ ଏବେ ଟ୍ୟାକ୍ସ ଲାଗିବା ନେଇ ସରକାର ସ୍ଥିତି ସ୍ପଷ୍ଟ କରିବା ଆବଶ୍ୟକ । ଏଭଳି ସମୟରେ ଏଏଆର ଆଲକୋହଲ ଯୁକ୍ତ ସାନିଟାଇଜର ଉପରେ ଜିଏସଟି ଲଗାଇବା ପାଇଁ କହିଛି । ତେବେ ଏଏଆର ନିଷ୍ପତ୍ତି ସବୁ ସାନିଟାଇଜର ଉପରେ ଲାଗିବ କି ନାହିଁ ସେନେଇ କିଛି ସ୍ପଷ୍ଟ ହୋଇନି ।
କରୋନା ଭାଇରସ ସମୟରେ ଦେଶବ୍ୟାପୀ ମାସ୍କ ଓ ଆଲକୋହଲ ଯୁକ୍ତ ସାନିଟାଇଜରର ବିକ୍ରି ବିପୁଳ ପରିମାଣର ହୋଇଥିଲା । ଯେଉଁଥିପାଇଁ ମେଡିସିନ୍ ଷ୍ଟୋର ଠାରୁ ଆରମ୍ଭ କରି ରାସନ ଦୋକାନ ଯାଏଁ ସମସ୍ତେ ମାସ୍କ ଓ ସାନିଟାଇଜର ବିକ୍ରି କରୁଥିବା ଦେଖିବାକୁ ମିଳୁଥିଲା ।