ପତଳା କେଶ ପାଇଁ ଚିନ୍ତିତ କି, ଆପଣାନ୍ତୁ ଏହି ଘରୋଇ ଉପାୟ
(ଓଡିଶା ଟାଇମ) : ସୁନ୍ଦର କେଶ ପାଇବା ପାଇଁ ସମସ୍ତେ ଚାହାଁନ୍ତି । ହେଲେ ଅଧିକାଂଶ ମହିଳାମାନେ ପତଳା କେଶ ତଥା ଚୁଟି ଝଡିବା ଭଳି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ।
ଏଭଳି ସମସ୍ୟା ଲାଗି ଖାଇବା ପିଇବାରେ ଅବହେଳା, ବଜାରରେ ମିଳୁଥିବା କିଛି କେମିକାଲ ମିଶ୍ରିତ ହେୟାର ପ୍ରଡକ୍ଟ ଦାୟୀ ରହିଥାଏ । ତେବେ ଜାଣନ୍ତୁ ଘରୋଇ ଉପଚାର କରି କିପରି ସୁନ୍ଦର ଓ ମୋଟା କେଶ ପାଇପାରିବେ ।
ଅଣ୍ଡା – କେଶର ବୃଦ୍ଧି ଓ ପୋଷଣ ଲାଗି ଆପଣ ଚାହିଁଲେ ଅଣ୍ଡାର ବ୍ୟବହାର କରିପାରିବେ । ଅଣ୍ଡାରେ ଥିବା ପ୍ରୋଟିନ୍, ଭିଟାମିନ୍ ବି କପ୍ଲେକ୍ସ, ବାୟୋଟିନ୍ ଭଳି ଅନ୍ୟ ଜରୁରୀ ପୋଷକ ତତ୍ୱ ରହିଥାଏ । ଏହା କେଶକୁ ଝଡିବାରୁ ରକ୍ଷା କରିଥାଏ । ଏହାସହ କେଶକୁ ସୁନ୍ଦର, ମୁଲାୟମ ଓ ମଜଭୁତ କରିବାରେ ସହାୟକ ହୋଇଥାଏ । ଯଦି ଆପଣଙ୍କ ଚୁଟି ପତଳା ଓ ଝଡୁଥାଏ, ତାହେଲେ ଅଣ୍ଡା ଲଗାଇବା ଆରମ୍ଭ କରନ୍ତୁ ।
ମେଥୀ – ମେଥିରେ ପ୍ରୋଟିନ, ଆଇରନ ଓ ପୋଟାସିୟମ୍ ଆଦି ଭରି ରହିଥାଏ । ଯାହା କେଶକୁ ବଢାଇବା ଓ ଝଡିବାରୁ ରକ୍ଷା କରିଥାଏ । ଏହି ମେଥିରେ ପ୍ରାକୃତିକ ତେଲ ରହିଥାଏ, ଯାହା କେଶକୁ ଝଡିବାରୁ ରକ୍ଷା କରିବା ସହ ଚମକ ଆଣି ଦେଇଥାଏ । ସେଥିପାଇଁ ଏହାର ମଞ୍ଜିକୁ ରାତିସାରା ପାଣିରେ ଭିଜାଇ ରଖନ୍ତୁ ଏବଂ ଆପଣ ଚାହିଁଲେ ପରେ ଏହାର ପେଷ୍ଟକୁ କେଶର ମୂଳରେ ଭଲଭାବେ ଲଗାଇପାରିବେ । ପରେ କିଛି ସମୟ ଲାଗି ଏହାକୁ ଶୁଖିବାକୁ ଛାଡି ଦିଅନ୍ତୁ । ଶୁଖିଗଲା ପରେ ଭଲଭାବେ କେଶକୁ ଧୋଇଦିଅନ୍ତୁ ।
ଦହି– ଦହିକୁ ଏକ ଭଲ ପ୍ରାକୃତିକ ମଶ୍ଚରାଇଜର ମଧ୍ୟ କୁହାଯାଇଥାଏ । ସେହିପରି ଅଁଳା ପାଉଡରରେ ଭିଟାମିନ୍ ସି ଭରି ରହିଥାଏ । କିଛି ଅଁଳା ପାଉଡରେ ଦରକାର ଅନୁଯାୟୀ ଦହି ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ପରେ ଏହାକୁ ଭଲଭାବେ କେଶରେ ମାଲିସ କରି ଶୁଖିବାକୁ ଛାଡି ଦିଅନ୍ତୁ । ପରେ ମୁଣ୍ଡରେ ସାମ୍ପୁ ଲଗାଇ ଘଷିଘଷି ସଫା କରିନିଅନ୍ତୁ ।
ହେୟାର କଟ୍– ନିୟମିତ ବ୍ୟବଧାନରେ ହେୟାର କଟ୍ କରନ୍ତୁ । ଯାହାଦ୍ୱାରା କେଶ ଫାଟିବା ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ । ଏଥିସହିତ କେଶ ବୃଦ୍ଧିରେ ମଧ୍ୟ ସହାୟକ ହୋଇଥାଏ । ହେୟାର ଏକ୍ସପର୍ଟଙ୍କ ମତରେ ରେଗୁରାଲ ହେୟାର କଟ୍ କରିବା ଦ୍ୱାରା କେଶ ଫାଟିବା ଏବଂ ହେୟାର ଫଲ୍ ପରି ସମସ୍ୟାରୁ ଉପଶମ ମିଳିପାରିବ ।