ଗୁର୍ଜର ଆନ୍ଦୋଳନର ନେତା କିରୋଡି ସିଂଙ୍କ ନିଧନ
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ରାଜସ୍ଥାନରେ ଗୁର୍ଜର ଆନ୍ଦୋଳନର ନେତା କିରୋଡି ସିଂହ ବୈନସଲାଙ୍କ ପରଲୋକ ଘଟିଛି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲୁଥିଲା । ସେ ଗୁର୍ଜର ଆନ୍ଦୋଳନର ଏକ ବଡ ଚେହେରା ଥିଲେ । ପରେ ସେ ବିଜେପିରେ ସାମିଲ ହୋଇଥିଲେ । ବୈନସଲା ଭାରତୀୟ ସେନାରେ କର୍ଣ୍ଣଲ ମଧ୍ୟ ଥିଲେ । ତାଙ୍କ ନେତୃତ୍ୱରେ ୨୦୦୭ରେ ରାଜସ୍ଥାନରେ ଗୁର୍ଜର ଆନ୍ଦୋଳନ ଆରମ୍ଭ ହୋଇଥିଲା । ଗୁର୍ଜରଙ୍କୁ ସଂରକ୍ଷଣ ଦାବିରେ ଏହି ଆନ୍ଦୋଳନ କରାଯାଇଥିଲା । ସେ ଗୁର୍ଜର ସଂରକ୍ଷଣ ସଙ୍ଘର୍ଷ କମିଟିର ମୁଖ୍ୟ ଥିଲେ ।
ଲୋକସଭା ବାଚସ୍ପତି ଓମ ବିରଲା ବୈନସଲାଙ୍କ ନିଧନରେ ଶୋକ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ବୈନସଲା ସାମାଜିକ ଆନ୍ଦୋଳନର ନେତୃତ୍ୱକର୍ତ୍ତା ଥିଲେ । ସେ ସାମାଜିକ ଅଧିକାର ପାଇଁ ଆଜୀବନ ସଙ୍ଘର୍ଷ କରିଥିଲେ । ତାଙ୍କ ଅଭାବ ସଦାବେଳେ ପରିଲକ୍ଷିତ ହେବ । ପରିବାର ପ୍ରତି ମଧ୍ୟ ସେମାନେ ସମବେଦନା ଜଣାଇଛନ୍ତି । ସୂଚନାଯୋଗ୍ୟ, ବୈନସଲା ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ସେ ଦୁଇ ଥର କରୋନା ସଂକ୍ରମିତ ମଧ୍ୟ ହୋଇଥିଲେ । ଏବେ ତାଙ୍କ ପୁଅ ବିଜୟ ବୈନସଲା ଗୁର୍ଜର ସଂରକ୍ଷଣ ସମିତିର ମୁଖ୍ୟ ଅଛନ୍ତି ।