ବିଜେପିର ଗୁଜରାଟ ଟେନସନ୍

 ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌):  ଗୁଜରାଟ ନିର୍ବାଚନ କେବଳ ବିଜେପି ପାଇଁ ନୁହେଁ ମୋଦୀ-ଶାହଙ୍କ ପାଇଁ  ଏକ ଭାଗ୍ୟ ଓ ଭବିଷ୍ୟତର ପ୍ରଶ୍ନ । କ’ଣ ହେବ ଏଥରର ରେଜଲ୍‌ଟ । ସରକାର ବିରୋଧୀ ହାୱାରେ ପ୍ରଭାବିତ ହେବ କି ବିଜେପି ?  ଘାଟାରେ ପକାଇବ କି ଆମ୍ ଆଦ୍‌ମୀ ପାର୍ଟି ? ରୁରାଲ୍ ବେଲ୍‌ଟରେ ୨୦୧୭ ସ୍ଥିତି ସାମ୍ନା କରିବ କି ବିଜେପି ? ଏମିତି ଅନେକ ପ୍ରଶ୍ନ ଆଉ ସେସବୁକୁ ପ୍ରତିହତ କରିବାକୁ ବିଲକୁଲ୍ ମାପିଚୁପି ଚାଲୁଛି ବିଜେପି । ବହୁ ସିଟିଂ ବିଧାୟକଙ୍କ ଟିକେଟ୍ କାଟି, ନୂଆ ମୁହଁଙ୍କ ମାଧ୍ୟମରେ ନୂଆ ଇମେଜ୍ ବିଲ୍‌ଡ ଅପ୍ କରିବାକୁ ଉଦ୍ୟମ କରୁଛି ଦଳ । ତଥାପି ଛାଇ ଦେଖି ଥରୁଛି । ବିଜେପି କହୁଛି, ଗୁଜରାଟରେ ଏଥର ଥ୍ରୀ ଡିଜିଟ୍ ବିଜୟ ନିଶ୍ଚିତ… ବିଭିନ୍ନ ଓପିନିଅନ୍ ପୋଲ୍ ବି ଦଳକୁ ଦେଇଛନ୍ତି ଅପର୍ ହାଣ୍ଡ । ତଥାପି ରିଅଲ୍ ରେଜଲ୍‌ଟକୁ ନେଇ ରହୁଛି ଶଙ୍କା ଓ ଆଶଙ୍କା । କ’ଣ ଥିଲା ଏବଂ  କେମିତି ହୋଇପାରେ ଗୁଜରାଟ ରାଜନୀତିର ପର୍ମୁଟେସନ୍-କମ୍ବିନେସନ୍, ଆସନ୍ତୁ  ନଜର ପକାଇବା…।

ଗୁଜରାଟ ଚ୍ୟାଲେଞ୍ଜରେ ପ୍ରାର୍ଥୀ ଚୟନ ହିଁ ଦର୍ଶାଇ ଦେଉଛି, ଏ ରାଜ୍ୟକୁ ନେଇ ବଡ଼ ଟେନସନରେ ରହିଛି ଭାରତୀୟ ଜନତା ପାର୍ଟି । କେଶୁଭାଇ ପଟେଲଙ୍କ ପରେ ଗୁଜରାଟକୁ ବିଜେପିର ହବ୍ ବନାଇ ଦେଇଥିବା ନରେନ୍ଦ୍ର ମୋଦୀ ଏବେ ଦେଶର ପ୍ରଧାନମନ୍ତ୍ରୀ । ଖାଲି ସେ ନୁହଁନ୍ତି, ଗୁଜରାଟରେ ବିଜେପିକୁ ଶିଖର ଛୁଇଁବାରେ ତାଙ୍କୁ ଶତ ପ୍ରତିଶତ ସହଯୋଗ କରିଥିବା ଅମିତ ଶାହ ଏବେ କେନ୍ଦ୍ର ଗୃହମନ୍ତ୍ରୀ । ଅର୍ଥାତ୍‌ ଭାରତ ସରକାରଙ୍କ ଉଭୟ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କ ହୋମ୍ ଷ୍ଟେଟ୍ ହେଉଛି ଗୁଜରାଟ । ତେଣୁ ଏଭଳି ସ୍ଥିତିରେ ଗୁଜରାଟ ନିର୍ବାଚନ ଜିତିବା ସେମାନଙ୍କ ପାଇଁ ସବୁଠାରୁ ବଡ଼ ସମ୍ମାନର ପ୍ରଶ୍ନ, ଏହା ପରବର୍ତ୍ତୀ ସମୟରେ ସେମାନଙ୍କ ଭାଗ୍ୟ ଓ ଭବିଷ୍ୟତ ବି ହୋଇପାରେ!

୨୦୨୪ ସାଧାରଣ ନିର୍ବାଚନକୁ ଆଉ ପାଖାପାଖି ଦେଢ଼ ବର୍ଷ ଥିବା ବେଳେ ଗୁଜରାଟ ବିଜୟ ହିଁ ବିଜେପି ପୋଷ୍ଟର ବୟଙ୍କ ପାଇଁ ହେବ ବୁଷ୍ଟର୍ ସଦୃଶ । ଯେଉଁଥିପାଇଁ ସରକାର ବିରୋଧୀ ହାୱାକୁ ପ୍ରତିହତ କରିବାକୁ ଫୁଲ୍ ଦମ୍ ଲଗାଇ ଦେଇଛି ବିଜେପି । ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଅନୁୟାୟୀ, ଡିସେମ୍ବର ପହିଲା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୩୮ ଜଣ ସିଟିଂ ବିଧାୟକଙ୍କ ଟିକେଟ୍ କଟିଥିବା ବେଳେ ଏବଂ ୫ ତାରିଖ ଦ୍ବିତୀୟ ନିର୍ବାଚନ ପାଇଁ ୫୯ ଜଣ ନୂଆ ମୁହଁ ଦେଇଛି ଦଳ । ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ମଧ୍ୟ ଆଉ କିଛି ସିଟିଂ ବିଧାୟକଙ୍କ ଟିକେଟ୍ କାଟିବା ସମ୍ଭାବନା ରହିଛି । ତେବେ କାହିଁକି… କାହିଁକି ୨୦୨୨ ନିର୍ବାଚନରେ ନିଜ ଛାଇକୁ ଦେଖି ବିଜେପି ଏତେ ଭୟଭୀତ ? କଣ ହୋଇପାରେ ଏହାର କାରଣ ?

କଂଗ୍ରେସ ନା ଆମ୍ ଆଦମୀ ପାର୍ଟି ?

୧୯୯୫ରୁ ନିରନ୍ତର ୨୭ ବର୍ଷ ଧରି ଗୁଜରାଟରେ କ୍ଷମତାରେ ଅଛି ବିଜେପି । ୨୦୧୪ରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ୨୦୧୭ରେ ହୋଇଥିଲା ନିର୍ବାଚନ । ଆଉ ୨୦୧୭ ନିର୍ବାଚନର ଫଳାଫଳ, ୨୦୨୨ରେ ବିଜେପି ପାଇଁ ଭୂତ ହୋଇ ଡରାଉଛି । ଦୁଇ ଦଶନ୍ଧୀରେ ୨୦୧୭ର ରେଜଲ୍‌ଟ, ବିଜେପି ପାଇଁ ହୋଇଥିଲା ୨ ଅଙ୍କ ବିଶିଷ୍ଟ । ୧୮୨ ଆସନରୁ ବିଜେପିକୁ ୯୯ ଏବଂ କଂଗ୍ରେସକୁ ୭୭ଟି ଆସନ ମିଳିଥିଲା । ୨୦୧୨ରେ ମଧ୍ୟ ଦୁଇ ଦଳ ମଧ୍ୟରେ ଆସନ ବ୍ୟବଧାନ କମ୍ ରହିଥିଲା । ସେଥର ବିଜେପିକୁ ୧୧୬ ଆସନ ମିଳିଥିବା ବେଳେ କଂଗ୍ରେସକୁ ମିଳିଥିଲା ୬୦ । ଦେଖିବାକୁ ଗଲେ, ନରେନ୍ଦ୍ର ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ ବି କଂଗ୍ରେସର ସ୍ଥିତି ସେତେଟା ଖରାପ ନଥିଲା । ରାଜ୍ୟରେ କଂଗ୍ରେସର ଭୋଟ ଶେୟାର ୩୦ରୁ ୪୦ ପ୍ରତିଶତ ଥିବା ବେଳେ ବିଜେପିର ରହିଛି ୪୦ରୁ ୫୦ ପ୍ରତିଶତ । ୨୦୧୨ ଅପେକ୍ଷା ୨୦୧୭ରେ କଂଗ୍ରେସର ଉଭୟ ଭୋଟ୍ ଶେୟାର୍ ଓ ଆସନ ସଂଖ୍ୟା ବଢ଼ିଲା । ଯାହା ୨୦୨୨ରେ ବିଜେପିର ବ୍ଲଡ୍ ପ୍ରେସର୍ ବଢ଼ାଇବା ଏକ ପ୍ରକାର ନିସ୍ଚିତ କହିଲେ ଭୁଲ ହେବନି । ପୁଣି ୨୦୧୪ରୁ ନରେନ୍ଦ୍ର ମୋଦି, ପ୍ରଧାନମନ୍ତ୍ରୀ ହୋଇଥିବା ବେଳେ, ବର୍ତ୍ତମାନ ସୁଦ୍ଧା ରାଜ୍ୟବାସୀ ଦେଖିଲେଣି ୩ ଜଣ ମୁଖ୍ୟମନ୍ତ୍ରୀ । ଆନନ୍ଦିବେନ୍ ପଟେଲଙ୍କୁ ଦାୟିତ୍ବ ଦେଇ ମୋଦି ଦିଲ୍ଲୀ ଗଲେ, ହେଲେ ୨୦୧୭- ଟର୍ମ ଶେଷ ଯାଏ ସେ ପଦରେ ରହିପାରିଲେ ନାହିଁ । ୨୦୧୬ରେ ଆସିଲେ ବିଜୟ ରୁପାଣି, ଆଉ ୨୦୨୧ରୁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଭୂପେନ୍ଦ୍ର ପଟେଲ ।

 

କାହିଁକି ମୁଖ୍ୟମନ୍ତ୍ରୀ ପରେ ମୁଖ୍ୟମନ୍ତ୍ରୀ ବଦଳିଛନ୍ତି… କଣ ହୋଇପାରେ ଏହାର କାରଣ ?

ଏଠି କାରଣ ସ୍ପଷ୍ଟ । କାରଣକୁ ନିଜେ ସ୍ପଷ୍ଟ କରି ଦେଇଛି ଦଳ । ବିଜୟ ରୁପାଣି, ଯିଏ କି ଦିନେ ମୁଖ୍ୟମନ୍ତ୍ରୀ ଥିଲେ, ତାଙ୍କୁ ମିଳିନାହିଁ  ଏଥର ନିର୍ବାଚନ ଲଢ଼ିବାକୁ ଟିକେଟ । ଯାହା ଏକ ଓପନ୍ ସିକ୍ରେଟ୍… ଅର୍ଥାତ୍ ଯେତେ ଲୁଚାଇବାକୁ ଚେଷ୍ଟା କଲେ ମଧ୍ୟ ଜଳଜଳ ହୋଇ ବାହାରକୁ ଦେଖାଯାଉଛି । କେବଳ ବିଜୟ ରୁପାଣି ନୁହଁନ୍ତି, ଏମିତି ବହୁ ସିଟିଂ ବିଧାୟକଙ୍କୁ ୨୦୨୨ ନିର୍ବାଚନରେ ପ୍ରସ୍ଥାନ ଦ୍ବାର ଦେଖାଇଛି ବିଜେପି । ନୂଆ ମୁହଁଙ୍କୁ ଆଗକୁ ଆଣି, ବିଜେପିର ନୂଆ ଇମେଜ୍ ବିଲ୍‌ଡ୍ ଅପ୍ କରିବାକୁ ଚେଷ୍ଟା କରୁଛନ୍ତି ମୋଦି-ଶାହ ଯୋଡ଼ି । ଗୁଜରାଟରେ ବିଜେପି ସିଟି ସେଣ୍ଟ୍ରିକ୍ ପାର୍ଟି ହୋଇଥିବା ବେଳେ ରୁରାଲ ବେଲ୍‌ଟରେ କଂଗ୍ରେସର ରହିଛି ଷ୍ଟ୍ରଙ୍ଗ ହୋଲ୍‌ଡ । ୨୦୧୨ ଅପେକ୍ଷା ୨୦୧୭ ବିଧାନସଭା ନିର୍ବାଚନରେ ଗ୍ରାମାଞ୍ଚଳରେ କଂଗ୍ରେସର ଭୋଟ୍ ଶେୟାର୍ ଏବଂ ଆସନ ବଢ଼ିଥିଲା । ୫୭ରୁ ଦଳ ୭୧କୁ ଆସିଥିଲା, ଯେଉଁଠିକି ୭୭ରୁ ୬୩କୁ ଖସିଥିଲା ବିଜେପି । ରାଜ୍ୟର ୪୨ ସହରରୁ ଅଧିକାଂଶରେ ଫୁଲ ଫୁଟାଇବାରେ ସକ୍ଷମ ହୋଇଥିଲା ବିଜେପି । ତେବେ ଏଥର ଗୁଜରାଟ ବିଧାନସଭା ନିର୍ବାଚନରେ ଏଣ୍ଟ୍ରି ମାରିଛି ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି । ୨୦୨୧ରେ କଂଗ୍ରେସକୁ ମାତ୍ ଦେଇ ସୁରତ୍ ମୁନିସପାଲ୍ ହାତେଇବା ପରେ ଆମ୍ ଆଦମୀ ପାର୍ଟି ଉତ୍ସାହିତ । ଦିଲ୍ଲୀ ମଡେଲକୁ ଧରି ପୂରା ଗୁଜରାଟ ଘାଣ୍ଟୁଛନ୍ତି କେଜ୍ରିୱାଲ । ତାହା ପୁଣି ରାଜ୍ୟର ପ୍ରମୁଖ ପ୍ରମୁଖ ସହରରେ । କଣ ହୋଇପାରେ ଏଠି ଭୋଟ୍‌ର ପର୍ମୁଟେସନ୍ ଏବଂ କମ୍ବିନେସନ୍ !!! କଂଗ୍ରେସର ନା ବିଜେପିର ଭୋଟ୍‌ ଶେୟାର୍‌କୁ ଖାଇବ ଆପ୍ ? କଂଗ୍ରେସ ଭୋଟକୁ ନିଜ ସପକ୍ଷରେ ନେବା ଆପ୍ ପାଇଁ ସହଜ । କାରଣ ଗୁଜରାଟ ପାଇଁ କଂଗ୍ରେସର ଆଗ୍ରହ ଥିବା ଏଯାଏ ଦେଖିବାକୁ ମିଳିଲାନି । ରାହୁଲ ଗାନ୍ଧି ଭାରତ ଯୋଡ଼ ଯାତ୍ରାରେ ବ୍ୟସ୍ତ ଥାଇ ଏଯାଏ ଗୁଜରାଟ ଯାଇ ନାହାନ୍ତି, ପୁଣି ଭାରତ ଯୋଡ଼ ଯାତ୍ରାର ମାନଚିତ୍ରରେ ଗୁଜରାଟ ନାହିଁ । କଂଗ୍ରେସର ଅନ୍ୟ ନେତାଏ ଯାଇ ପ୍ରଚାର କରୁଛନ୍ତି, କିନ୍ତୁ ସେମାନେ ସେଭଳି କ୍ରାଉଡ୍ ପୁଲର୍ ଭଳି ଦେଖାଯାଉ ନାହାନ୍ତି । ଏହା ବିଜେପି ଏବଂ ଆପ୍ ପାଇଁ ଫାଇଦା ହୋଇପାରେ କିନ୍ତୁ କଂଗ୍ରେସ ଦବଜବା ଥିବା ରୁରାଲ୍ ଭୋଟ୍‌କୁ ନେଇ ଅଧିକ ଚିନ୍ତାରେ ବିଜେପି । ଯଦି କଂଗ୍ରେସର ରୁରାଲ୍ ଭୋଟ୍ ସେତେଟା ପ୍ରଭାବିତ ନହେଲା ଏବଂ ସହରାଞ୍ଚଳରେ ଆପ୍, ଉଭୟ କଂଗ୍ରେସ ଓ ବିଜେପିର ଭୋଟ୍‌କୁ ଖାଇଲା, ତେବେ ମୋଦି-ଶାହଙ୍କ ପାଇଁ କଥା ସରିଲା । କାରଣ ବିଜେପିକୁ କ୍ଷମତା ଠାରୁ ଦୂରେଇ ରଖିବାକୁ କଂଗ୍ରେସ ଯାହା କିଛି କରିପାରେ । ୨୦୧୪ରେ ଦିଲ୍ଲୀରେ ଆପ୍ ସହ ମିଶି ୪୯ ଦିନ ସରକାରରେ ଥିଲା କଂଗ୍ରେସ । ୨୦୧୮ରେ କର୍ଣ୍ଣାଟକରେ ୩ ନମ୍ବର ଜେଡିଏସକୁ ସମର୍ଥନ ଦେଇ ଏକ ନମ୍ବର ବିଜେପିକୁ କ୍ଷମତା ଠାରୁ ଦୂରେଇ ରଖିଥିଲା କଂଗ୍ରେସ । ପୁଣି ୨୦୧୯ରେ ମହାରାଷ୍ଟ୍ରରେ ଏନସିପି ସହ ମିଶି ଶିବସେନାକୁ ସମର୍ଥନ ଦେଇ ଏକ ନମ୍ବର ବିଜେପିର ପାଦ ତଳର ମାଟି ଖସାଇ ଦେଇଥିଲା । ତେଣୁ ଏଭଳି ସ୍ଥିତିରେ ଛାଇ ଦେଖି ବିଜେପି ଭୟଭୀତ ହେବା ଏକ ପ୍ରକାର ନିଶ୍ଚିତ କହିଲେ ଭୁଲ ହେବନି ।

ତୃଣମୂଳରେ ଦମ୍ଭ

ଗୁଜରାଟରେ ଗତ ପଞ୍ଚାୟତ ଓ ମୁନିସପାଲ୍ ନିର୍ବାଚନରେ ବିଜେପିର ପ୍ରଦର୍ଶନ ଭଲ ରହିଛି । ଯାହାକୁ ନେଇ ଦଳ ଏକ ପ୍ରକାର ଦମ୍ଭରେ । କିନ୍ତୁ ପଞ୍ଚାୟତ ଓ ମୁନିସିପାଲ୍ ନିର୍ବାଚନ ସ୍ଥାନୀୟ ନେତାଙ୍କ ମୁହଁକୁ ଦେଖି ହେଉଥିବା ବେଳେ ବିଧାନସଭା ନିର୍ବାଚନ ତା ଠାରୁ ଟିକେ ଦୂରରେ । ଏଭଳି ସ୍ଥିତିରେ ସମୟ ହିଁ ସ୍ପଷ୍ଟ କରିବ ବିଜେପିର ସ୍ଥିତି । ତଥାପି ଫୁଲ୍ ଦମ୍ ପରିଶ୍ରମ କରି ଗୁଜରାଟକୁ ନିଜ ପକେଟରେ ରଖିବାକୁ ଚେଷ୍ଟା ଚଳାଇଛି ବିଜେପି । ମୋଦୀ, ଏବେ ବି ନିଜ ରାଜ୍ୟର ଲୋକପ୍ରିୟ ନେତା ଥିବା ବେଳେ ପାଖାପାଖି ୨୫ଟି ରାଲି କରିବେ ବୋଲି ଜଣାପଡ଼ିଛି । ଏଥି ସହିତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବି ହୋମ୍‌ ଷ୍ଟେଟରେ ହାଇ ଅକ୍‌ଟେନ୍ ପ୍ରଚାର କରିବାକୁ ଯାଉଛନ୍ତି । ଏମାନଙ୍କ ବ୍ୟତୀତ ବିଜେପିର ଅନ୍ୟ ଷ୍ଟାର୍ ପ୍ରଚାରକ, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ମନ୍ତ୍ରୀ ରାଜନାଥ ସିଂହ, ସ୍ମୃତି ଇରାନୀ, ଅର୍ଜୁନ ମୁଣ୍ଡା, ଗଜେନ୍ଦ୍ର ଶିଂହ ଶେଖାୱତ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରମୁଖ ଗୁଜରାଟରେ କରିବେ କରିବେ ପ୍ରଚାର ।

ଲଗାତାର ୨୭ ବର୍ଷ ଧରି ଗୁଜରାଟରେ କଂଗ୍ରେସ ରାଜ୍ କରୁଛି, ହେଲେ ଏଯାଏଁ କଂଗ୍ରେସ କରିଥିବା ରେକର୍ଡର ଛାଇ ଛୁଇଁ ପାରିନି । ୧୯୮୫ ନିର୍ବାଚନରେ ରାଜ୍ୟର ୧୮୨ ଆସନରୁ ରେକର୍ଡ ୧୪୯ ଆସନ ହାତେଇଥିଲା କଂଗ୍ରେସ, ଭୋଟ୍ ଶେୟାର୍ ଥିଲା ୫୫ ପ୍ରତିଶତ । ୨୦୦୨ ନିର୍ବାଚନରେ ବିଜେପି ୧୨୭ ଆସନରେ ଜିତିଥିଲା, ଯାହାକି ଦଳ ପାଇଁ ବର୍ତ୍ତମାନ ସୁଦ୍ଧା ରେକର୍ଡ । ପୁଣି ଏଯାଏଁ ଦଳର ଭୋଟ୍ ଶେୟାର୍ ୫୦ ପ୍ରତିଶତ ଛୁଇଁନି । ତଥାପି ପ୍ରଧାନମନ୍ତ୍ରୀ କହୁଛନ୍ତି ଏଥର ଗୁଜରାଟରେ ବିଜେପିର ହେବ ଥ୍ରୀ ଡିଜିଟ୍ ବିଜୟ… ୨୦୦୨ର ୧୨୭ ରେକର୍ଡ ଭାଙ୍ଗିବ ଦଳ । ବିଭିନ୍ନ ଓପିନିଅନ୍ ପୋଲ୍ ମଧ୍ୟ ବିଜେପି ସପକ୍ଷରେ କହୁଛନ୍ତି । କିନ୍ତୁ ରିଅଲ୍ ରେଜଲ୍‌ଟ ପାଇଁ ଡିସେମ୍ବର ୮କୁ ଅପେକ୍ଷା ।

Leave a Reply

Your email address will not be published. Required fields are marked *