ସ୍ୱାଧୀନତା ଦିବସ ପାଳନ ପାଇଁ ଜାରି ହେଲା ଗାଇଡଲାଇନ୍
ନୂଆଦିଲ୍ଲୀ , (ଓଡିଶା ଟାଇମ୍): କରୋନା ସଂକ୍ରମଣର ମହାମାରୀକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ସ୍ୱାଧୀନତା ଦିବସ ପାଳନ ନେଇ ଗାଇଡଲାଇନ୍ ଜାରି କରାଯାଇଛି ।
ଗାଇଡ୍ ଲାଇନ୍ ଅନୁଯାୟୀ ମାସ୍କ ପିନ୍ଧିବା, ସାନିଟାଇଜେସନ୍, ସାମାଜିକ ଦୂରତ୍ୱ ପାଳନ ଉପରେ ଗୁରୁତ୍ୱ ଦିଆଯାଇଛି । ଏନେଇ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟର ମୁଖ୍ୟ ସଚିବଙ୍କୁ ଚିଠି ଲେଖାଯାଇଛି । ଉକ୍ତ ଚିଠି ଅନୁଯାୟୀ ଲାଲକିଲ୍ଲାରେ ସ୍ୱାଧୀନତା ଦିବସ ପାଳନ ନେଇ କିଛିଟା କଟକଣା ଲାଗୁ କରାଯାଇଛି । ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକରେ ଦିନ ୯ଟାରେ ପତାକା ଉତ୍ତୋଳନ କରାଯିବ ।
ପତାକା ଉତ୍ତୋଳନ, ପ୍ରଧାନମନ୍ତ୍ରୀଙ୍କ ଅଭିବାଦନ ଓ ଜାତୀୟ ସଙ୍ଗୀତ ଗାନ ପରେ ୨୧ ତୋପ ସଲାମୀ ଦିଆଯିବ । ପରବର୍ତ୍ତୀ ସମୟରେ ପ୍ରଧାନମନ୍ତ୍ରୀଙ୍କ ଭାଷଣରେ ସ୍ୱାଧୀନତା ଦିବସ ଉତ୍ସବ ପାଳନ ଶେଷ ହେବ । ସେହିପରି ରାଜ୍ୟ ସ୍ତରରେ ପତାକା ଉତ୍ତୋଳନ ଓ ମୁଖ୍ୟମନ୍ତ୍ରୀଙ୍କ ଭାଷଣ କାର୍ଯ୍ୟକ୍ରମରେ ଅଧିକ ଜନ ଗହଳି ହେବନାହିଁ ।
ଏହି ଉତ୍ସବରେ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତ୍ୱକୁ ବାଧ୍ୟତାମୂଳକ କରାଯିବ । ଏହି ଦିନରେ କୋଭିଡ୍ ଯୋଦ୍ଧା ଯଥାକ୍ରମେ- ଡାକ୍ତର, ନର୍ସ ଓ ସଫେଇ କର୍ମୀଙ୍କୁ ମଧ୍ୟ ନିମନ୍ତ୍ରଣ କରାଯିବ ।
ଆହୁରି ମଧ୍ୟ ରାଜ୍ୟ ସମେତ ଜିଲ୍ଲା, ପଞ୍ଚାୟତ ଓ ଉପଖଣ୍ଡ ଆଦିରେ ମଧ୍ୟ ସ୍ୱାଧୀନତା ଉତ୍ସବ ପାଳନ ସମୟରେ କୋଭିଡ ଯୋଦ୍ଧାଙ୍କୁ ନିମନ୍ତ୍ରଣ କରାଯିବ ବୋଲି ଗାଇଡ ଲାଇନରେ ସୂଚନା ଦିଆଯାଇଛି । ଏଛଡା ଭିଡକୁ ଏଡାଇବା ଲାଗି ମଧ୍ୟ ଟେକ୍ନୋଲୋଜିର ବ୍ୟବହାର କରାଯାଇପାରିବ ।