ବୁର୍ଲାରେ ପୂର୍ବ ଶତ୍ରୁତାର କରୁଣ ପରିଣତି, ୨ ମୃତ ଓ ୩ ଗୁରୁତର ଆହତ
ସମ୍ବଲପୁର, (ଓଡିଶା ଟାଇମ୍) : ପୁଣି ମଙ୍ଗଳାର ବିଳମ୍ବିତ ରାତିରେ ଏକ ଘଟଣା ବୁର୍ଲା ସହରକୁ ଅଶାନ୍ତ କରିଦେଇଛି। ଏକ ମାରଣାନ୍ତକ ଆକ୍ରମଣ କରିବା ଘଟଣାରେ ଗୋଟିଏ ପରିବାରର ୩ଜଣ ଗୁରୁତର ଭାବେ ଆହତ ହୋଇ ବୁର୍ଲା ଭିମସାରରେ ଚିକିତ୍ସାଧିନ ଅବସ୍ଥାରେ ଚିକିତ୍ସାଧିନ ରହିଥିବା ବେଳେ ୨ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତ ୨ ଜଣଙ୍କ ମଧ୍ୟରୁ ଜଣଙ୍କ ନାଁ ବୁଲୁ ବୋଲି ଜଣାଯାଇଛି।
ଘଟଣାଟି ବୁର୍ଲା ସହରର ସେଣ୍ଟର ଲାଇନରେ ଘଟିଛି। ଖବର ପାଇ ଭିମସାରରେ ବୁର୍ଲା ଏସଡିପିଓ ଶିଶୁରଞ୍ଜନ ମହାପାତ୍ର ପହଞ୍ଚି ଗୁରୁତରଙ୍କୁ ଭେଟିବା ସହିତ ଏହି ହତ୍ୟା ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
ତେବେ ଖବର ଅନୁଯାୟୀ, ଘଟଣାରେ ସମ୍ପୃକ୍ତ କୌଣସି ଅଭିଯୁକ୍ତଙ୍କୁ ପୁଲିସ ଗିରଫ୍ କରି ନ ଥିବା ବେଳେ ୪ ଜଣଙ୍କୁ ଅଟର ରଖି ପଚରା ଉଚରା କରୁଛି। ଘଟଣାସ୍ଥଳରୁ ଭୁଜାଲି, ଠେଙ୍ଗା ଓ ଅନ୍ୟାନ୍ୟ ମାରଣାସ୍ତ୍ରକୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରାଯାଇଛି। ସୂଚନା ମତେ ସେଣ୍ଟର ଲାଇନ କଲୋନୀର ବିଶୋଇ ପରିବାର ଉପରେ ଦିର୍ଘ ୩ ବର୍ଷ ତଳରେ ହୋଇଥିବା କଲିଝଗଡ଼ାକୁ ନେଇ ସଂଘବଦ୍ଧ ଭାବରେ ଆକ୍ରମଣ ହୋଇଥିବା ବିଶ୍ୱସ୍ଥ ସୂତ୍ରରୁ ସୂଚନା ମିଳିଛି। ଏଥିରେ ପିତବାଶ ବିଶୋଇ (୫୦), ତାଙ୍କ ସ୍ତ୍ରୀ ସଂଗୀତା ବିସୋଇ (୪୭) , ତାଙ୍କ ବଡ ପୁଅ ବୁଲୁ ବିଶୋଇ (୩୪), ସାନ ପୁଅ ମୁନା ବିଶୋଇ (୩୦) ଏବଂ ପିତବାଶଙ୍କ ଶଲା ନରେନ୍ଦ୍ର ଭାଣ୍ଡେକର (୫୨) ଗୁରୁତର ଭାବରେ ଆହତ ହୋଇଛନ୍ତି। ସମସ୍ତଙ୍କୁ ଭୁଜାଲିରେ ଆକ୍ରମଣ କରି ଦୁର୍ବୁତ୍ତ ମାନେ ଫେରାର ହୋଇଯାଇଥିବା ଜଣାପଡ଼ିଛି।