ଲୋକସେବା ଭବନରୁ ଉଠିଲା କରୋନା କଟକଣା, ଏପ୍ରିଲ ୧୮ରୁ ସାମ୍ୱାଦିକଙ୍କ ପ୍ରବେଶକୁ ଅନୁମତି
ଭୁବନେଶ୍ବର, (ଓଡିଶା ଟାଇମ୍): ବହୁ ବିବାଦ ପରେ କଟକଣା ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। କରୋନା ଯୋଗୁଁ ଲୋକସେବା ଭବନରେ ପ୍ରବେଶ ଉପରେ ଲାଗୁ କଟକଣାକୁ ହଟାଇ ନେବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏ ନେଇ ଗୃହ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । ଏହା ସହିତ ଖାରବେଳ ଭବନ ଏବଂ ରାଜୀବ ଭବନରୁ ମଧ୍ୟ କୋଭିଡ କଟକଣା ହଟାଇ ଦିଆଯାଇଛି ।
ଉଲ୍ଲେଖଯୋଗ୍ୟ ଯେ, କରୋନା ଯୋଗୁଁ ପ୍ରାୟ ଦୁଇ ବର୍ଷ ହେବ ଲୋକସେବା ଭବନକୁ ଯିବା ପରେ କଟକଣା ଲାଗୁ କରାଯାଇଥିଲା। ଏପରିକି ସାମ୍ୱାଦିକଙ୍କ ପ୍ରବେଶ ଉପରେ ମଧ୍ୟ କଟକଣା ଲାଗୁ କରାଯାଇଥିଲା । ଯାହାକୁ ନେଇ ବିରୋଧୀ ଏବଂ ବୁଦ୍ଧିଜୀବୀଙ୍କ କଡା ସମାଲୋଚନାର ଶିକାର ହୋଇଥିଲେ ରାଜ୍ୟ ସରକାର। ଅନ୍ୟପଟେ ଏବେ କରୋନା ମାମଲା ହ୍ରାସ ହେବା ସହ ସ୍ଥିତି ପୂର୍ବାବସ୍ଥାକୁ ଫେରିବାରେ ଲାଗିଛି। ଏହାକୁ ନଜରରେ ରାଜ୍ୟ ସରକାର କଟକଣାକୁ ହଟାଇବାକୁ ନିଷ୍ପତ୍ତି ନେଇଥିବା ଜଣାପଡିଛି।
ଆସନ୍ତା ଏପ୍ରିଲ ୧୮ରୁ ଲୋକସେବା ଭବନ ସମେତ ଖାରବେଳ ଭବନ ଏବଂ ରାଜୀବ ଭବନ ଖୋଲାଯିବ। କେବଳ ସ୍ବୀକୃତି ପ୍ରାପ୍ତ ସାମ୍ବାଦିକଙ୍କୁ ଲୋକସେବା ଭବନକୁ ଯିବାକୁ ଅନୁମତି ଦିଆଯିବ। ଏହାସହ ଲୋକସେବା ଭବନ ସର୍ବସାଧାରଣଙ୍କ ପାଇଁ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି।