ସରକାରଙ୍କ ଦୀପାବଳି ଉପହାର: ପେଟ୍ରୋଲ ୫ ଟଙ୍କା ଓ ଡିଜେଲ୍ କମିଲା ୧୦ ଟଙ୍କା
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ମହଙ୍ଗା ମାଡ଼ରେ ଆଉଟ ପାଉଟ ହେଉଥିବା ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେଇଛନ୍ତି କେନ୍ଦ୍ର ସରକାର। ଦୀପାବଳି ଭେଟି ସ୍ୱରୂପ କେନ୍ଦ୍ର ସରକାର ପେଟ୍ରୋଲର ଲିଟର ପିଛା ଦର ୫ ଟଙ୍କା ଓ ଡିଜେଲ ଦର ୧୦ ଟଙ୍କା ହ୍ରାସ କରିଛନ୍ତି। ଆସନ୍ତାକାଲି ଠାରୁ ଏହି ପରିବର୍ତ୍ତିତ ଦର ଲାଗୁ ହେବ। କେନ୍ଦ୍ର ସରକାର ତୈଳ ଦର ଉପରେ ଲାଗୁଥିବା ଉତ୍ପାଦ ଶୁଳ୍କ ହ୍ରାସ କରିଥିବାରୁ ପେଟ୍ରୋଲ ଓ ଡିଜେଲ ଦାମ ହ୍ରାସ ପାଇବାକୁ ଯାଉଛି।
ନ୍ୟୁଜି ଏଜେନ୍ସି ଏଏନ୍ଆଇ ଅନୁଯାୟୀ, ଭାରତ ସରକାର ଉତ୍ପାଦ ଶୁଳ୍କ ହ୍ରାସ କରିଛନ୍ତି। ପେଟ୍ରୋଲ ଉପରେ ଲାଗୁଥିବା ଉତ୍ପାଦ ଶୁଳ୍କକୁ ଲିଟର ପିଛା ୫ ଟଙ୍କା ଓ ଡିଜେଲ ଉପରେ ଲାଗୁଥିବା ଉତ୍ପାଦନ ଶୁଳ୍କକୁ ୧୦ ଟଙ୍କା ଲେଖାଏ ହ୍ରାସ କରାଯାଇଛି। ଆସନ୍ତାକାଲି ଅର୍ଥାତ ଦୀପାବଳି ଠାରୁ ଏହି ପରିବର୍ତ୍ତିତ ଦର ଲାଗୁ ହେବ। କେନ୍ଦ୍ର ସରକାର ପେଟ୍ରୋଲ ତୁଳନାରେ ଡିଜେଲ ଉପରେ ଲାଗୁଥିବା ଉତ୍ପାଦ ଶୁଳ୍କକୁ ପ୍ରାୟ ଦୁଇ ଗୁଣ ହ୍ରାସ କରିଛନ୍ତି। ଏହାର ରବି ଫସଲ ସମୟରେ ଚାଷୀଙ୍କ ପାଇଁ ବୁଷ୍ଟର ଡୋଜ୍ ଭାବେ କାମ କରିବ ବୋଲି କେନ୍ଦ୍ର ସରକାର ଆଶା କରିଛନ୍ତି। ସେହିପରି କେନ୍ଦ୍ର ପକ୍ଷରୁ ରାଜ୍ୟ ସରକାର ମାନଙ୍କ ପେଟ୍ରୋଲ ଓ ଡିଜେଲ ଉପରେ ଲାଗୁ କରୁଥିବା ଭ୍ୟାଟକୁ କମ କରିବାକୁ ପରାମର୍ଶ ଦେଇଛନ୍ତି। ରାଜ୍ୟ ସରକାରମାନେ ଭ୍ୟାଟ ହ୍ରାସ କଲେ ଲୋକମାନେ ମହଙ୍ଗା ମାଡ଼ରୁ ଆଶ୍ୱସ୍ତି ପାଇବେ ବୋଲି କେନ୍ଦ୍ର ସରକାର କହିଛନ୍ତି। ଗତବର୍ଷ ପେଟ୍ରୋଲ ଉପରେ ଲାଗୁଥିବା ଉତ୍ପାଦ ଶୁଳ୍କକୁ କେନ୍ଦ୍ର ସରକାର ୧୯.୯୮ ଟଙ୍କାରୁ ବଢ଼ାଇ ୩୨.୯ ଟଙ୍କାରେ ପହଞ୍ଚାଇଥିଲେ। ଏବେ କିନ୍ତୁ ଉତ୍ପାଦ ଶୁଳ୍କ ମାତ୍ର ୫ ଟଙ୍କା ହ୍ରାସ କରାଯାଇଛି।