ବିଧାନସଭା ଅଧିବେଶନରେ ଅଭିଭାଷଣ ରଖିଲେ ରାଜ୍ୟପାଳ
ଭୁବନେଶ୍ବର, (ଓଡିଶା ଟାଇମ୍): ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି। ଅଧିବେଶନ ଆରମ୍ଭରୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଅଭିଭାଷଣ ଦେଇଛନ୍ତି। ଏହି ଅବସରରେ ରାଜ୍ୟପାଳ ସିଡିଏସ୍ ବିପିନ ରାୱାତଙ୍କ ସମେତ ଦିବଙ୍ଗତ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହା ସହ କରୋନା କାଳରେ ଲଢିଥିବା ଯୋଦ୍ଧାଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।
ଅଭିଭାଷଣରେ ରାଜ୍ୟପାଳ କହିଛନ୍ତି ଯେ, ରାଜ୍ୟରେ ପ୍ରତି ଲୋକକୁ ଉନ୍ନତ ମାନର ସ୍ଵାସ୍ଥ୍ୟ ସେବା ଦିଆଯାଉଛି। ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରେ ମାଗଣାରେ ସେବା ଦିଆଯାଉଛି। କ୍ୟାପିଟାଲ ହସ୍ପିଟାଲରେ ପିଜିଆଇ ପାଇଁ ସରକାର ମଞ୍ଜୁର କରିଛନ୍ତି। କରୋନା ମୁକାବିଲା ପାଇଁ ୫ କୋଟିରୁ ଅଧିକ ଟିକା ଦିଆଗଲାଣି। କରୋନା ଟେଷ୍ଟିଂ ପାଇଁ ବ୍ଲକ ସ୍ତରରେ ବ୍ୟବସ୍ଥା କରାଯାଇଛି। ୩୦ ଜିଲ୍ଲାକୁ ରେଳ ସଂଯୋଗ ଦେବା ପାଇଁ ସରକାର ପ୍ରତିଶୃତିବଦ୍ଧ ଅଛନ୍ତି। ସଡ଼କ ନିର୍ମାଣ ଓ ପରିବହନ କ୍ଷେତ୍ରରେ ବ୍ୟାପକ କାର୍ଯ୍ୟକ୍ରମ କରାଯାଉଛି। ଏବେ ଓଡ଼ିଶା ଏକ ବିଦ୍ୟୁତ ବଳକା ରାଜ୍ୟ ହୋଇପାରିଛି। କୋଭିଡରେ ଲୋକଙ୍କୁ କାମ ଦେବାକୁ ୨୧ କୋଟି ଶ୍ରମ ଦିବସ କରାଯାଇଛି। କର୍ମ ସଂସ୍ଥାନ ହରାଇଥିବା ପ୍ରବାସୀ ଶ୍ରମିକଙ୍କ ପାଇଁ ପ୍ୟାକେଜ ଘୋଷଣା ହୋଇଛି।
ଚାଷୀମାନଙ୍କୁ କାଳିଆ ଯୋଜନାରେ ସହାୟତା ଯୋଗାଇ ଦିଆଯାଇଛି। ୨୦୨୧-୨୨ ବର୍ଷରେ ଡ଼ିସେମ୍ବର ୨୦୨୧ ସୁଦ୍ଧା ୫୭ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ଭୂମିହୀନ ଚାଷୀ ପରିବାରକୁ ଏହି ସହାୟତା ଯୋଗାଇ ଦିଆଯାଇଛି । ମୋ ସରକାର ସମବାୟ ବ୍ୟାଙ୍କ୍ ଜରିଆରେ କ୍ଷୁଦ୍ର, ନାମମାତ୍ର, ଭୂମହୀନ, ଭାଗଚାଷୀ, ପ୍ରକୃତ ଚାଷୀ ଏବଂ ଗ୍ରାମ୍ୟ ମହିଳାଙ୍କ ୩୩, ୪୧୬ଟି ଯୁଗଦେୟ ଗୋଷ୍ଠୀଙ୍କୁ ୨୧୯ କୋଟି ଟଙ୍କା ଋଣ ଯୋଗାଇ ଦେଇଛନ୍ତି । ‘କାଳିଆ’ ଯୋଜନାରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ନିମନ୍ତେ ସୁଧହାର ୧ ପ୍ରତିଶତରୁ ‘ଶୂନ’ ପ୍ରତିଶତ କରାଯାଇଛି। ଯାହାଦ୍ୱାରା ୨୦୧୯-୨୦ ବର୍ଷରେ ସେଗୁଡ଼ିକ ସୁଧମୁକ୍ତ ଫସଲ ଋଣରେ ପରିଣତ ହୋଇପାରିଛି । ଚାଷୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ୫୦ ହଜାର ଟଙ୍କାରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ବର୍ତ୍ତମାନ ମାତ୍ର ୨ ପ୍ରତିଶତ ସୁଧହାରରେ ଯୋଗାଇ ଦିଆଯାଉଛି ।