ପ୍ଲାଟ୍‌ଫର୍ମକୁ  ଚଢ଼ିଗଲା ମାଲଗାଡ଼ି, ୩ ମୃତ ୨ ଗୁରୁତର

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌): ଡୋଙ୍ଗୋଆପୋଷୀରୁ ଆସୁଥିବା ଏକ ମାଲବାହୀ ଟ୍ରେନ୍‌ ସୋମବାର ସକାଳେ କୋରେଇଠାରେ ଲାଇନ୍‌ଚ୍ୟୁତ ହୋଇଛି। ଲାଇନ୍‌ଚ୍ୟୁତ ହୋଇଥିବା ୮ ୱାଗନ୍‌ ପ୍ଲାଟ୍‌ଫର୍ମ ଉପରେ ଥିବା ଟିକେଟ୍‌ କାଉଣ୍ଟର ଉପରକୁ ମାଡ଼ିଯିବା ହେତୁ ୩ଜଣଙ୍କ ମୃତ୍ୟୁ ଘଟିଛି। ଆଉ ଦୁଇଜଣ ଗୁରୁତର ଆହତ ହୋଇଥିବା ପୂର୍ବତଟ ରେଳପଥର ମୁଖ୍ୟ ଜନସମ୍ପର୍କ ଅଧିକରୀ ବିଶ୍ୱଜିତ ସାହୁ ସୂଚନା ଦେଇଛନ୍ତି। ଆହତମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ଓଲଟି ପଥିବା ମାଲ୍‌ଗାଡ଼ିଟି ଷ୍ଟସନ୍‌ର ଉଭୟ ଲାଇନଉପରେ ବିଛାଡ଼ି ପଡ଼ିବା ହେତୁ ଏହି ଟ୍ରେନ୍‌ ଦେଇ ଯିବା-ଆସିବାକୁ ଥିବା ସମସ୍ତ ଟ୍ରେନ୍‌କୁ ପ୍ରବେଶ ବାରଣ କରାଯାଇଛି। ୧୬ଟି ଟ୍ରେନ୍‌ର ଦିଗ ପରିବର୍ତ୍ତନ କରାଯାଇଥିବା ବେଳେ ୯ଟି ଟ୍ରେନ୍‌କୁ ବାତିଲ କରାଯାଇଛି। ୫ଟି ଟ୍ରେନ୍‌କୁ ଆଂଶିକ ବାତିଲ କରାଯାଇଛି। ପୂର୍ବତଟ ରେଳପଥ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ଏଠାରେ ବାତିଲ୍‌ ଟ୍ରେନ୍‌ଗୁଡ଼ିକର ସୂଚନା ଉପଲବ୍ଧ କରାଗଲା।

ସକାଳ ୬ଟା ୪୫ ବେଳକୁ  ଏହି ମାଲ୍‌ଗାଡ଼ିଟି କୋରେଇ ଷ୍ଟେସନ୍‌ଠାରେ ଲାଇନଚ୍ୟୁତ ହୋଇଥିଲା।  ଇଞ୍ଜିନ୍‌ ଷ୍ଟେସନ୍‌ ବିଲଡିଂ ପାର କରିବା ପରେ ଖାଲି ବଗି ଲାଇନ୍‌ଚ୍ୟୁତ ହେବା ଫଳରେ ୱାଗନଗୁଡ଼ିକ ଡେଇ ପ୍ଲାଟଫର୍ମ ଉପରକୁ ଚଢ଼ିଯାଇଥିଲା। ପରେ ତାହା ଓଲଟି ଷ୍ଟେସନ୍‌ ବିଲଡିଂରେ ପଡ଼ିବା ହେତୁ  ଟିକେଟ କାଉଣ୍ଟର ପାଖ ବିଲ୍ଡିଂ ଭାଙ୍ଗିବା ସହ ଯାତ୍ରୀଙ୍କ ଯିବା ଆସିବା ଲାଗି ଥିବା ଫୁଟ୍‌ ଓଭରବ୍ରିଜ୍‌ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।

ମୁଖ୍ୟମନ୍ତ୍ରୀ ଓ ରେଳମନ୍ତ୍ରୀ ଘଟଣାକୁ ନେଇ ଦୁଃଖପ୍ରକାଶ କରିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ରେଳମନ୍ତ୍ରୀ ଅଶ୍ୱିନୀ କୁମାର ଏକ ଟ୍ୱିଟ୍‌ରେ ମୃତ ବ୍ୟକ୍ତିଙ୍କ ପରିବାର ସଦସ୍ୟମାନଙ୍କୁ ୫ ଲକ୍ଷ ଟଙ୍କର, ଗୁରୁତର ଆହତଙ୍କୁ ଏକଲକ୍ଷ ଟଙ୍କା ଏବଂ ଆହତଙ୍କ ପାଇଁ ୨୫ ହଜାର ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି।

ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଆଦେଶ ଦେବା ସହ ମୃତକଙ୍କ ପରିବାରବର୍ଗଙ୍କ ଲାଗି ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି।

Leave a Reply

Your email address will not be published.