ଅଧୁରା ରହିଗଲା ଜେନେରାଲ ବିପିନ ରାଓ୍ଵତଙ୍କ ଶେଷ ଇଚ୍ଛା
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ହେଲିକପ୍ଟର ଦୁର୍ଘଟଣାରେ ଦେଶ ହରାଇଲା ପ୍ରଥମ ସିଡିଏସ ଜେନେରାଲ ବିିପିନ ରାଓ୍ଵତଙ୍କୁ। ଉତ୍ତରାଖଣ୍ଡର ପୌଡି ଜିଲ୍ଲାର ଦ୍ଵାରିଖାଲ ବ୍ଲକ ଅନ୍ତର୍ଗତ ସୈଣା ଗାଁ ନିଜ ବୀର ସନ୍ତାନକୁ ହରାଇ ଦୁଃଖରେ ଡୁବି ଯାଇଛି। କାଣ୍ଡାଖାଲ ଟାଉନଠୁ କିଛି ଦୂରରେ ରହିଛି ଦିବଙ୍ଗତ ଜେନେରାଲ ବିପିନ ରାଓ୍ଵତଙ୍କ ପୈତୃକ ଗାଁ ସୈଣା। ଏଠାରେ ରୁହନ୍ତି କକା ଭରତ ସିଂହ ରାଓ୍ଵତ ଓ ତାଙ୍କ ପରିବାର। ଏହି ଗାଁରେ କେବଳ ତାଙ୍କ ପରିବାର ହିଁ ବାସ କରୁଛନ୍ତି। କକା ଭରତ ସିଂହ ସେହି ଇଚ୍ଛା ବିଷୟରେ କହିଛନ୍ତି, ଯାହାକୁ ଜେନେରାଲ ରାଓ୍ଵତ ଅବସର ପରେ ପୂରା କରିବାକୁ ଚାହୁଁଥିଲେ।
୨୦୧୮ରେ ଆସିଥିଲେ ଗାଁ
ଜେନେରାଲ ବିପିନ ରାଓ୍ଵତଙ୍କ କକା ଭରତ ସିଂହ କହିଛନ୍ତି, ସେ କୌଣସି କାମରେ କୋଟଦ୍ଵାରା ବଜାର ଯାଇଥିଲେ। ମାତ୍ର ଯେମିତି ଘଟଣା ବିଷୟରେ ଶୁଣିଲେ ତୁରନ୍ତ ଘରକୁ ଫେରି ଆସିଥିଲେ। ଘରର ଆଖପାଖ କିଛି ଲୋକ ସାନ୍ତ୍ଵନା ଦେବା ପାଇଁ ପହଞ୍ଚି ଯାଇଥିଲେ। ସମସ୍ତଙ୍କ ଆଖି ଲୁହରେ ଛଳ ଛଳ ହୋଇ ଉଠିଥିଲା। ବାଷ୍ପଭରା କଣ୍ଠରେ ତାଙ୍କର ୭୦ ବର୍ଷୀୟ କକା କହିଛନ୍ତି, ସ୍ଥଳ ସେନାଧ୍ୟକ୍ଷ ହେବା ପରେ ଶେଷ ଥର ବିପିନ ୨୦୧୮ ଏପ୍ରିଲରେ ଗାଁକୁ ଆସିଥିଲେ। ଏହି ସମୟରେ ସେ କୂଳଦେବତାଙ୍କ ପୂଜା କରିଥିଲେ।
ଗାଁରେ ରହିବାକୁ ଚାହୁଁଥିଲେ
ଜେନେରାଲ ବିପିନ ରାଓ୍ଵତଙ୍କ କକା କହିଛନ୍ତି, ସେହି ଦିନ ସେ ନିଜ ପୈତୃକ ଜମିରେ ଘର ତିଆରି କରିବାକୁ ଚିନ୍ତା କରିଥିଲେ। ସେ ଜାନୁଆରୀରେ ଅବସର ନେବା ପରେ ଗାଁରେ ଘର ତିଆରି କରି ରହିବାକୁ ଚାହୁଁଥିଲେ। କକା କହିଛନ୍ତି, ବିପିନ ଗରିବଙ୍କ ପ୍ରତି ବଡ ଦୟାଳୁ ଥିଲେ। ବାରମ୍ବାର କହୁଥିଲେ, ଅବସର ନେବା ପରେ ସେ ନିଜ ଅଞ୍ଚଳର ଗରିବଙ୍କ ପାଇଁ କିଛି କରିବେ, ଯଦ୍ଵାରା ସେମାନଙ୍କର ଆର୍ଥିକ ସ୍ଥିତିରେ କିଛିଟା ସୁଧାର ଆସିବ। ଏପରିକି ଗ୍ରାମାଞ୍ଚଳରୁ ହେଉଥିବା ପଳାୟନକୁ ନେଇ ସେ ଦୁଃଖିତ ଥିଲେ।
ଜେନେରାଲ ବିପିନ ରାଓ୍ଵତଙ୍କ ନିଜ ଗାଁ ଏବଂ ଘର ପ୍ରତି ବହୁତ ମୋହ ଥିଲା। ମଝିରେ ମଝିରେ ସେ ଫୋନରେ କକାଙ୍କ ସହ କଥା ହେଉଥିଲେ। ଜେନେରାଲ ରାଓ୍ଵତ ନିଜ କକାଙ୍କୁ ଜଣାଇଥିଲେ ଯେ, ୨୦୨୨ ଏପ୍ରିଲରେ ଗାଁକୁ ଫେରିବେ। ଆଖିରୁ ଝରି ଯାଉଥିବା ଲୁହକୁ ପୋଛି କକା କହିଛନ୍ତି, କିଏ ଜାଣିଥିଲା ବିପିନର ସ୍ଵପ୍ନ ଅଧୁରା ରହିଯିବ।