ବିଶାଖାପାଟନମ୍‌ର ଏକ ଔଷଧ କମ୍ପାନୀରେ ବିଷାକ୍ତ ଗ୍ୟାସ୍ ଲିକ୍

ବିଶାଖାପାଟଣା, (ଓଡିଶା ଟାଇମ୍) : ଆନ୍ଧ୍ରପ୍ରଦେଶର ବିଶାଖାପାଟନମରେ ପୁଣି ଥରେ ଗ୍ୟାସ୍ ଲିକ୍ ଘଟଣା ଘଟିଛି । ଏଥିରେ ଏପର୍ଯ୍ୟନ୍ତ ୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବର୍ତ୍ତମାନ ୪ ଜଣ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ସୂଚନାଯୋଗ୍ୟ ଯେ, ପରବଦାରେ ଅବସ୍ଥିତ ଜବାହରଲାଲ ନେହେରୁ ଫାର୍ମା ସିଟିରେ ଗ୍ୟାସ୍ ଲିକ୍ ହୋଇଛି। ୨୯ ଜୁନ୍ ବିଳମ୍ବିତ ରାତିରେ ସାନୋର ଲାଇଫ୍ ସାଇନ୍ସେସ୍ ପ୍ରାଇଭେଟ୍ ଲିମିଟେଡ୍ ନାମକ ଏକ କମ୍ପାନୀରୁ ବେଞ୍ଜି ମେଡିଜୋଲ୍ ନାମକ ବିଷାକ୍ତ ଗ୍ୟାସ୍ ଲିକ୍ ହୋଇଥିଲା । କମ୍ପାନୀରେ କାମ କରୁଥିବା ୬ ଜଣ ଲୋକ ଏହି ବିଷାକ୍ତ ଗ୍ୟାସ୍ କବଳରେ ଆସିଥିଲେ । ସେଥିମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪ ଜଣ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । କିଛି ଦିନ ପୂର୍ବେ ବିଶାଖାପାଟନମରେ ଗ୍ୟାସ୍ ଲିକ୍ ଘଟଣା ଘଟିଥିଲା ।

ଆହତମାନଙ୍କୁ ଆର.କେ. ହସ୍ପିଟାଲରେ ଚିକିତ୍ସା କରାଯାଉଛି । ଆହତଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଥିବାବେଳେ ୩ ଜଣ ବିପଦମୁକ୍ତ ଅଛନ୍ତି । ଆହତମାନଙ୍କ ମଧ୍ୟରେ ଦୁଇ ଜଣ ରସାୟନ ବିଜ୍ଞାନୀ ଥିବାବେଳେ ମୃତକଙ୍କ ମଧ୍ୟରେ ସିଫ୍ଟ ଇନଚାର୍ଜ ଆର ନରେନ୍ଦ୍ର ଏବଂ ଅନ୍ୟ ଜଣେ ବ୍ୟକ୍ତି ଗୌରୀଶଙ୍କର ଅଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ଏହି ଦୁର୍ଘଟଣାରେ ସମ୍ପୃକ୍ତ ଲୋକଙ୍କୁ ପଚରାଉଚରା କରିବାକୁ ପୋଲିସ ଉଦ୍ୟମ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ମେ ୭ ତାରିଖରେ ବିଶାଖାପାଟନମ୍ ର ଏଲଜି ପଲିମର୍ସ କମ୍ପାନୀର ଏକ ପ୍ଲାଣ୍ଟରେ ଗ୍ୟାସ୍ ଲିକ୍ ହେବା ଦ୍ବାରା ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା ।

Leave a Reply

Your email address will not be published.