କୋଭିଡ-୧୯ ନିୟମ ଉଲ୍ଲଂଘନ ପାଇଁ ନାଏବ ସରପଂଚ ନିଲମ୍ବିତ

ଭୁବନେଶ୍ୱର,(ଓଡିଶା ଟାଇମ୍) : କୋଭିଡ-୧୯ ନିୟମ ଓ କଟକଣାର ଉଲ୍ଲଂଘନ ଘଟଣାରେ ନାଏବ ସରପଂଚ ନିଲମ୍ବିତ । ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍ ଜେ.ଡଙ୍ଗପଦର ପଞ୍ଚାୟତର ନାଏବ ସରପଂଚ କୃଷ୍ଣ ଚନ୍ଦ୍ର ଜେନାଙ୍କୁ ରାଜ୍ୟ ସରକାର ନିଲମ୍ବନ କରିଛନ୍ତି। ଏ ନେଇ ପଚାଂୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି ।

ପ୍ରକାଶ ଥାଉକି ବର୍ତମାନ ରାଜ୍ୟରେ କରୋନା ଆକ୍ରାନ୍ତ ବଢି ବଢି ଚାଲିଥିବା ବିଶେଷ କରି ଗଞ୍ଜାମ ଜିଲ୍ଲାର ପରିସ୍ଥିତି ଉଦବେଗ ଜନକ ଥିବାରୁ ଜିଲ୍ଲା ପ୍ରଶାସନ ତରଫରୁ ବିଭିନ୍ନ କଟକଣା ଲାଗୁ କରାଯାଇ ପରିସ୍ଥିତି ନିୟନ୍ତ୍ରଣ
ଲାଗି ଉଦ୍ୟମ ଜାରି ରହିଛି । ଏଭଳି ସମୟରେ ସଂପୃକ୍ତ ନାଏବ ସରପଂଚ କୃଷ୍ଣ ଚନ୍ଦ୍ର ଜେନା ସମସ୍ତ କଟକଣା ଓ ନିୟମକୁ ଉଲ୍ଲଂଘନ କରି ବେଆଇନ ଭାବେ ଏକ ସମାବେଶ ଆୟୋଜନ କରିଥିଲେ । ଏ ସଂକ୍ରାନ୍ତୀୟ ଏକ ଭିଡିଓ ଭାଇରାଲ ହେବା ସହିତ ବିଭିନ୍ନ ଗଣାମାଧ୍ୟମରେ ମଧ୍ୟ ପ୍ରଚାର ପ୍ରସାର ହୋଇଛି ।

ଏ ନେଇ ଘଟଣାର ତଦନ୍ତ କରାଯିବା ସହିତ ନାଏବ ସରପଂଚ କୃଷ୍ଣ ଚନ୍ଦ୍ର ଜେନା ଓ ତାଙ୍କର ସହଯୋଗୀ ମାନଙ୍କ ବିରୁଦ୍ଧରେ ଆଇନ ଆନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ସରକାର ନାଏବ ସରପଂଚ କୃଷ୍ଣ ଚନ୍ଦ୍ର ଜେନାଙ୍କୁ ନିଲମ୍ବନ କରିଛନ୍ତି । ଏହାରି ମଧ୍ୟରେ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ପୂଜକ ଏବଂ କୃଷ୍ଣ ଚନ୍ଦ୍ର ଜେନାଙ୍କ ସମେତ ୧୦ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି।

Leave a Reply

Your email address will not be published.