କରୋନା ନିୟନ୍ତ୍ରଣ ପାଇଁ ରାଜଧାନୀରେ ଲାଗୁ ହେବ ଗଞ୍ଜାମ ଫର୍ମୁଲା
ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜଧାନୀ ଭୁବନେଶ୍ୱରରେ କମିବାର ନା ଧରୁନି କରୋନା । ପ୍ରତିଦିନ ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ତେଣୁ କରୋନା ନିୟନ୍ତ୍ରଣ ନେଇ ଭୁବନେଶ୍ୱରରେ ଗଞ୍ଜାମ ଫର୍ମୁଲା ଲାଗୁ ହେବ । ବ୍ୟାପକ ହେଲଥ୍ ସ୍କ୍ରିନିଂ ପାଇଁ ୫୬୫ଟି ରାପିଡ୍ ରେସପନ୍ସ ଟିମ ଗଠନ କରାଯିବ । ବସ୍ତି ଓ ଅନ୍ୟାନ୍ୟ ଅଂଚଳରେ ହେଲଥ୍ ସ୍କ୍ରିନିଂ କରିବ ରାପିଡ୍ ରେସପନ୍ସ ଟିମ୍। ରାଜଧାନୀରେ କରୋନା ସଂକ୍ରମଣ ଅଣାୟତ୍ତ ହେଉଥିବାରୁ ବିଏମ୍ସି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଏନେଇ କୋଭିଡ୍ ଦାୟିତ୍ଵରେ ଥିବା ଆଇଏଏସ୍ ପାରୁଲ ପଟ୍ଓ୍ଵାରୀ ସୂଚନା ଦେଇଛନ୍ତି।
ସୂଚନାନୁଯାୟୀ, ବିଏମସି ପକ୍ଷରୁ ହୋମ ଆଇସୋଲେସନରେ ଥିବା ଲୋକଙ୍କ ଘରୁ ବର୍ଜ୍ୟବସ୍ତୁ ସଂଗ୍ରହ କରାଯିବ। ଏହାସହ ସେମାନେ କରୋନା ନିୟମ ମାନୁଛନ୍ତି କି ନାହିଁ ସେନେଇ ଆକ୍ରାନ୍ତଙ୍କ ଉପରେ କଡ଼ା ନଜର ରହିବ। କରୋନା ନେଇ ସନ୍ଦେହ ହେଲେ ୧୯୨୯କୁ କଲ୍ କରି ତଥ୍ୟ ପାଇପାରିବେ । ଏନେଇ କୋଭିଡ଼ ଦାୟିତ୍ୱରେ ଥିବା ଆଇଏଏସ ପାରୁଲ ପଟୱାରୀ ସୂଚନା ଦେଇଛନ୍ତି।
ଭୁବନେଶ୍ଵର ମହାନଗର ନିଗମ ଅଞ୍ଚଳରେ ବର୍ତ୍ତମାନ ସୁଦ୍ଧା ୧୪,୪୯୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୯,୩୫୦ ଜଣ ସୁସ୍ଥ ହୋଇଥିବା ବେଳେ ୫,୦୭୭ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି। ଏଥିସହ ୫୨ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।