ଗଞ୍ଜାମବାସୀଙ୍କୁ ସ୍ମାର୍ଟ ହେଲଥ୍ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର,(ଓଡିଶା ଟାଇମ୍): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟର ଗଞ୍ଜାମ ଜିଲ୍ଲା ଗସ୍ତ କରି ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି ।  ମୁଖ୍ୟମନ୍ତ୍ରୀ ପ୍ରସିଦ୍ଧ ତାରାତାରିଣୀ ପୀଠ ନିକଟରେ ବିଜୁ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଏହାଦ୍ୱାରା ଜିଲ୍ଲାର ପ୍ରାୟ ୨୫ ଲକ୍ଷରୁ ଅଧିକ ହିତାଧିକାରୀ ଉପକୃତ ହେବେ। ରାଜ୍ୟର ଅନ୍ୟତମ ବୃହତ୍ ଜିଲ୍ଲା ଭାବେ ଗଞ୍ଜାମ ଏହି ମହତ୍ତ୍ଵପୂର୍ଣ୍ଣ ସ୍ୱାସ୍ଥ୍ୟ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଯାଇଛି।

ରବିବାର ସକାଳେ ପ୍ରଥମେ ତାରାତାରିଣୀ ପୀଠରେ ଦେବୀ ଦର୍ଶନ କରିଥିଲେ ମୁଖ୍ୟମନ୍ତ୍ରୀ । ଏହାପରେ ସେ ଆୟୋଜିତ ସଭାରେ ଯୋଗ ଦେଇଥିଲେ । ସେଠାରେ ବିଏସକେଓ୍ୱାଇ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ କରାଯାଇଥିଲା। ଏଥି ସହିତ ଡିଜିଟାଲ ମାଧ୍ୟମରେ ୨୨୮୧ କୋଟି ଟଙ୍କାର ୧୨୯୯ ପ୍ରକଳ୍ପ ଲୋକାର୍ପିତ କରିଥିଲେ ସେ। ସେଥିରୁ ୫୭୦.୯୭ କୋଟିରେ ହୋଇଥିବା ୬୫୧ଟି ପ୍ରକଳ୍ପ ଉଦ୍‌ଘାଟନ କରିବା ସହ ୧୫୮୨.୯୯୪ କୋଟି ଟଙ୍କାରେ ହେବାକୁ ଥିବା ୬୪୫ ପ୍ରକଳ୍ପ ସକାଶେ ସେ ଶୁଭ ଦେଇଥିଲେ । ଅନ୍ୟ ୩ଟି ପ୍ରକଳ୍ପ ହିଂଜିଲିକାଟୁରେ ସେ ଆରମ୍ଭ କରିବେ। ଉଲ୍ଲେଖନୀୟ ଭାବେ ଜିଲ୍ଲାର ଏକମାତ୍ର ମହାନଗର ବ୍ରହ୍ମପୁରବାସୀଙ୍କ ନିମନ୍ତେ ୩୨.୭୫ କୋଟିରେ ନିର୍ମିତ ବହୁମୁଖୀ ଜରା ନିବାସ, ୧୩.୪୦ କୋଟି ଟଙ୍କାରେ ନିର୍ମିତ ଶଶୀଭୂଷଣ ରଥ ସରକାରୀ ମହିଳା ମହାବିଦ୍ୟାଳୟ କୋଠା ଆଦି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନ୍‌ଲାଇନ୍‌ରେ ଉଦ୍‌ଘାଟିତ ହୋଇଛି।

ଏତତ୍ ବ୍ୟତୀତ ତାରାତାରିଣୀ ପୀଠର ଭବ୍ୟ ରୂପାନ୍ତରଣ ଘଟିଛି। କେବଳ ମନ୍ଦିର ନୁହେଁ, ଏହା ଚତୁଃପାର୍ଶ୍ବର ନବକଳେବର ହୋଇଛି। ଆଗାମୀ ଦିନରେ ଏହା ଏକ ଅନ୍ତର୍ଜାତୀୟ ଆଧ୍ୟାତ୍ମିକ ପର୍ଯ୍ୟଟନସ୍ଥଳୀ ଭାବେ ଲୋକାଦୃତ ହେବ । ସେଥିପାଇଁ ପର୍ଯ୍ୟଟକଙ୍କ ପାଇଁ ସମସ୍ତ ସୁବିଧା ସୁଯୋଗ ପ୍ରସ୍ତୁତ କରାଯାଉଛି। ସିଂହଦ୍ଵାର ହେଉ କି ତୀର୍ଥଯାତ୍ରୀଙ୍କ ସକାଶେ ଯାବତୀୟ ସୁବିଧା ସୁଯୋଗ, ପାଦଚଲା ରାସ୍ତା, ବିଶୁଦ୍ଧ ପାନୀୟ ଜଳ, ଅଭ୍ୟର୍ଥନା କେନ୍ଦ୍ର, ମୁଣ୍ଡନ ପ୍ରକୋଷ୍ଠ, ସର୍ବସାଧାରଣ ଶୌଚାଳୟ ସାଙ୍ଗକୁ ପାହାଡ଼ ଉଚ୍ଚରେ ମନ୍ଦିର ପରିସରର ସୌନ୍ଦର୍ଯ୍ୟକରଣ କରାଯାଇଛି। ଆହୁରି ମଧ୍ୟ ତାରାତାରିଣୀ ପୀଠରେ ପ୍ରସାଦ ସେବନ ମଣ୍ଡପ ଠାରେ ଜିଲ୍ଲାର ପଞ୍ଚାୟତ ପ୍ରତିନିଧିଙ୍କ ସହ ମୁଖ୍ୟମନ୍ତ୍ରୀ କୋଭିଡ୍ ମୁକାବିଲା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ବାବଦରେ ଆଲୋଚନା କରିଛନ୍ତି।

Leave a Reply

Your email address will not be published. Required fields are marked *