ରାଜ୍ୟପାଳଙ୍କ ‘ନନ୍ଆଟାଚ୍ଡ ଆଟାଚ୍ମେଣ୍ଟ୍’ ପୁସ୍ତକ ପ୍ରକାଶିତ
ଭୁବନଶ୍ୱେର, (ଓଡ଼ିଶା ଟାଇମ୍): ବାହୁଡ଼ା ଯାତ୍ରା ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ଙ୍କ ଦ୍ଵାରା ଲିଖିତ ଆଧ୍ୟାତ୍ମିକ ପୁସ୍ତକ ‘ନନ୍ଆଟାଚ୍ଡ ଆଟାଚ୍ମେଣ୍ଟ୍’ ପ୍ରକାଶ ପାଇଛି । ପେନ୍ ଇନ୍ ବୁକ୍ସ ପକ୍ଷରୁ ପ୍ରକାଶିତ ଏହି ପୁସ୍ତକର ପ୍ରଥମ ଖଣ୍ଡକୁ ଅନୁଷ୍ଠାନର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା ରାଜଭବନ ପରିସରରେ ରାଜ୍ୟପାଳଙ୍କୁ ପ୍ରଦାନ କରିଛନ୍ତି। ଏ ଅବସରରେ ରାଜ୍ୟପାଳଙ୍କ ପତ୍ନୀ ସୁଶୀଳା ଦେବୀ ଉପସ୍ଥିତ ଥିଲେ ।
ପୁସ୍ତକ ପ୍ରକାଶ ନେଇ ରାଜ୍ୟପାଳ ଆନନ୍ଦ ପ୍ରକାଶ କରିଛନ୍ତି । ପୁସ୍ତକଟି ଶ୍ରୀମଦ୍ ଭଗବତ୍ଗୀତାର କର୍ମଯୋଗ ଉପରେ ଆଧାରିତ ।
ରାଜ୍ୟପାଳ କହିଛନ୍ତି ଯେ ଗୀତାକୁ କୌଣସି ଧର୍ମ, ଦେଶ ବା କାଳଖଣ୍ଡ ଭିତରେ ବାନ୍ଧିହେବନାହିଁ । ଏ ଗ୍ରନ୍ଥ ସବୁ କାଳରେ ସବୁ ଲୋକଙ୍କ ପାଇଁ ଉପଯୋଗୀ । ଗୀତା କ୍ଷୁଦ୍ର ପୁସ୍ତକ ହେଲେ ହେଁ ଏହାର ବ୍ୟାଖ୍ୟା ପାଇଁ ବିଶାଳ ଗ୍ରନ୍ଥ ମଧ୍ୟ ନିଅଣ୍ଟ ପଡ଼ିବ ।
କରୋନା କଟକଣା ସମୟରେ ‘ନନ୍ଆଟାଚ୍ଡ ଆଟାଚ୍ମେଣ୍ଟ୍’କୁ ପୁସ୍ତକାଳୟମାନଙ୍କରେ ଉପଲବ୍ଧ କରାଇବା କଷ୍ଟସାଧ୍ୟ ଥିବାବେଳେ ଆଗ୍ରହୀ ପାଠକମାନେ ଏହାକୁ ଆମାଜନ୍ ଅନ୍ଲାଇନ୍ ଷ୍ଟୋରରୁ କିଣିପାରିବେ ବୋଲି ପ୍ରକାଶକ ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି । ପୁସ୍ତକ ପ୍ରଦାନ ସମୟରେ ରାଜ୍ୟପାଳଙ୍କ ଲୋକସମ୍ପର୍କ ଅଧିକାରୀ ରକ୍ଷକ ନାୟକ ମଧ୍ୟ ଉପସ୍ଥିତ ଥିଲେ ।